
କନକ ବ୍ୟୁରୋ : ଅବଧି ଶେଷ ହେବା ପରେ କେନ୍ଦୁଝର ଜିଲ୍ଲାର ୧୨ଟି ଖଣିରେ ପୁରୁଣା ଲିଜ୍ଧାରୀଙ୍କ ଦ୍ୱାରା ଖନନ କରାଯାଇଥିବା ଖଣିଜ ପଦାର୍ଥ ଆଉ ପରିବହନ ହୋଇପାରିବ ନାହିଁ। ଏଭଳି ନିର୍ଦେଶ ଦେଇଛନ୍ତି କେନ୍ଦୁଝର ଡିଏଫ୍ଓ। ଡିଏଫ୍ଓଙ୍କ ନିର୍ଦେଶନାମା ନମ୍ବର ୫୮୫୬ ପରେ ଆଜିଠାରୁ ଏହି ୧୨ଟି ଖଣିରେ ଲୁହାପଥର ପରିବହନ ବନ୍ଦ ରହିଛି। ଖଣି ନିର୍ଦେଶକ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଖଣିରୁ ଲୁହାପଥର ଉଠାଇବାକୁ ପୁରୁଣା ଲିଜ୍ଧାରୀଙ୍କୁ ଆଉ ଗୋଟିଏ ମାସ ସମୟ ଦେବାକୁ ଅନୁରୋଧ କରିଥିଲେ ବି ଆଜି ପର୍ଯ୍ୟନ୍ତ ଏନେଇ ଅନୁମତି ମିଳିନଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ମେସର୍ସ କେଜେଏସ୍ ଆଲୁୱାଲିଆଙ୍କ ନୂଆଗାଁ ଆଇରନ ଓର୍ ମାଇନ୍ସ, କେପି ଇଣ୍ଟରପ୍ରାଇଜର୍ସର ଠାକୁରାଣୀ ଲୌହଖଣି, ମେସର୍ସ ରୁଙ୍ଗଟାର ଜଜାଙ୍ଗ ଲୌହ ଓ ମାଙ୍ଗାନିଜ ଖଣି, ମେସର୍ସ ମାଙ୍ଗିଲାଲ ରୁଙ୍ଗଟାଙ୍କ କାଳିମାଟି ଓ ସିଆଲଯୋଡ଼ା ଲୌହ ଏବଂ ମାଙ୍ଗାନିଜ ଖଣି, ମେସର୍ସ ରୁଙ୍ଗଟା ସନ୍ସର କାଟାସାହି ମାଙ୍ଗାନିଜ ଖଣି, ଏସେଲ୍ ମାଇନିଂର ଲଙ୍ଗାଲୋଟା ଲୌହ ଓ ମାଙ୍ଗାନିଜ ଖଣି ଏବଂ କାଶିଆ ଲୌହ ଓ ମାଙ୍ଗାନିଜ ଖଣି, କେଏନ୍ ରାମ ଆଣ୍ଡ କୋର ରୋଇଡା-୨ ଲୌହଖଣି, କଳିଙ୍ଗ ମାଇନିଂ କର୍ପୋରେସନ, ମେସର୍ସ ସିରାଜୁଦ୍ଦିନ ଆଣ୍ଡ କୋର ବାଲଦା ବ୍ଲକ୍ ଲୌହଖଣି, ଆର୍ପିସାଓର ଗୁଆଲି ଲୌହଖଣି, ମେସର୍ସ ପଟ୍ଟନାୟକ ମିନେରାଲସର ଜରିବାହାଲ ଲୌହଖଣିର ଲିଜ୍ ଅବଧି ୨୦୨୦ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଥିଲା। ପୁରୁଣା ଲିଜ୍ଧାରୀମାନେ ଉତ୍ତୋଳିତ ହୋଇଥିବା ଖଣିଜ ଦ୍ରବ୍ୟକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପରିବହନ କରିପାରିବେ ବୋଲି ଡିଏଫ୍ଓ ପତ୍ର ସଂଖ୍ୟା ୨୦୭୭ ତା ୩୧.୦୩.୨୦୨୦ରେ ଅନୁମତି ପ୍ରଦାନ କରିଥିଲେ। ଗତକାଲି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖରେ ପୁରୁଣା ଲିଜ୍ଧାରୀଙ୍କୁ ଦିଆଯାଇଥିବା ସମୟ ସୀମା ଶେଷ ହୋଇଯାଇଛି। ୨୯ ତାରିଖରେ ଚିଠି ନମ୍ବର ୫୮୫୬ରେ କେନ୍ଦୁଝର ଡିଏଫ୍ଓ ଏସବୁ ଖଣିରୁ ପୁରୁଣା ଲିଜ୍ଧାରୀଙ୍କୁ ଆଉ ଖଣିଜ ପଦାର୍ଥ ନଉଠାଇବାକୁ ଚିଠି କରିଛନ୍ତି।
from Kanak News https://ift.tt/2GpyL0S https://ift.tt/3io00WE
No comments: