ରାଜ୍ୟରେ ୨୩୮୪ କୋଟିର ଜିଏସ୍‌ଟି ଆଦାୟ : ସାରା ଦେଶରେ ଆଦାୟ ୯୫ ହଜାର କୋଟି ଟପିଲା; ରାଜ୍ୟମାନଙ୍କ ଖାତାକୁ ଶୀଘ୍ର ଆସିବ ୨୫ ହଜାର କୋଟି Kanak News

କନକ ବ୍ୟୁରୋ : ସେପ୍ଟେମ୍ବର ମାସରେ ଉଭୟ ଦେଶ ଓ ରାଜ୍ୟରେ ଅଧିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହୋଇଛି। ଓଡ଼ିଶାରେ ଏହି ମାସରେ ୨୩୮୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ। ୨୦୧୯ ସେପ୍ଟେମ୍ବରରେ ରାଜ୍ୟରେ ୨୦୧୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବରରେ ୯୫,୪୮୦ କୋଟି ଟଙ୍କାର ଜିଏସ୍‌ଟି ଆସାୟ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସଟିର ଭାଗ ୧୭,୪୭୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ୨୩,୧୩୧ କୋଟି ଟଙ୍କା, ସମନ୍ବିତ ଜିଏସ୍‌ଟି ୪୭,୪୮୪ କୋଟି ଟଙ୍କା ଓ ସେସ୍‌ ଆକାରରେ ୭୧୨୪ କୋଟି ଟଙ୍କା ରହିଛି। ଆମଦାନି କରାଯାଇଥିବା ସାମଗ୍ରୀରୁ ୨୨,୪୪୨ କୋଟି ଟଙ୍କାର ଆଇଜିଏସ୍‌ଟି ଓ ୭୮୮ କୋଟି ଟଙ୍କାର ସେସ୍‌ ଆଦାୟ କରାଯାଇଛି। ନିୟମିତ ସେଟଲ୍‌ମେଣ୍ଟ୍‌ ଆକାରରେ ସରକାର ଆଇଜିଏସ୍‌ଟିରୁ ୨୧,୨୬୦ କୋଟି ଟଙ୍କା ସିଜିଏସ୍‌ଟିକୁ ଓ ୧୬,୯୯୭ କୋଟି ଟଙ୍କା ଏସ୍‌ଜିଏସ୍‌ଟିକୁ ଦେଇଛନ୍ତି ।

ନିୟମିତ ସେଟଲ୍‌ମେଣ୍ଟ୍‌ ପରେ ସେପ୍ଟେମ୍ବରରେ ସିଜିଏସ୍‌ଟି ପରିମାଣ ୩୯,୦୦୧ କୋଟି ଟଙ୍କା ଓ ଏସ୍‌ଜିଏସ୍‌ଟି ୪୦,୧୨୮ କୋଟି ଟଙ୍କା ହୋଇଛି। ସର୍ବଭ‌ାରତୀୟ ସ୍ତରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୪ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ଆମଦାନି ହେଉଥିବା ସାମଗ୍ରୀରୁ ଜିଏସଟି ଆଦାୟ ୧୦୨ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଦେଶ ଭିତର କାରବାରରୁ ଆଦାୟ ୧୦୫ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଏପ୍ରିଲ୍‌ରେ ୩୨,୧୭୨ କୋଟି ଟଙ୍କା, ମେ’ରେ ୬୨,୧୫୧ କୋଟି ଟଙ୍କା, ଜୁନ୍‌ରେ ୯୦,୯୧୭ କୋଟି ଟଙ୍କା, ଜୁଲାଇରେ ୮୭,୪୨୨ କୋଟି ଟଙ୍କା, ଅଗଷ୍ଟରେ ୮୬,୪୪୯ କୋଟି ଟଙ୍କା ଓ ସେପ୍ଟେମ୍ବର ମାସରେ ୯୫,୪୮୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। କରୋନା ମହାମାରୀ ପ୍ରଭାବ ଦୃଷ୍ଟିରେ ଗତବର୍ଷ ତୁଳନାରେ ଏପ୍ରିଲ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସବୁ ମାସରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଛି। ଜିଏସ୍‌ଟି ତଥ୍ୟ ପ୍ରକାଶ ପାଇବା ପରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ବୋଲି ‌ସରକାର ଯେଉଁ ଆଶା ରଖିଛନ୍ତି ତାହାକୁ ଟିକସ ଆଦାୟ ସଂଖ୍ୟା ଅଧିକ ଦୃଢ଼ୀଭୂତ ‌କରିଛି। ସେପ୍ଟେମ୍ବରରେ ରେଳ ଜରିଆରେ ମାଲ୍ ପରିବହନ ୧୫ ପ୍ରତିଶତ ବୃଦ୍ଧି ପାଇଥିବା ସେ କହିଛନ୍ତି।

ରାଜ୍ୟମାନଙ୍କ ଖାତାକୁ ଶୀଘ୍ର ଆସିବ ୨୫ ହଜାର କୋଟି
ସମନ୍ବିତ ଜିଏସ୍‌ଟି ବାବଦ ୨୫ ହଜାର କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଖୁବ୍‌ଶୀଘ୍ର ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଇଜିଏସ୍‌ଟିକୁ ନେଇ ଗଠିତ ଏକ ମନ୍ତ୍ରୀଗୋଷ୍ଠୀ ଏହି ଟଙ୍କା ରାଜ୍ୟଗୁଡ଼ିକୁ ଦେବା ଲାଗି ସୁପାରିସ୍ କରିଥିବା ଜଣାପଡ଼ିଛି। ଆଇଜିଏସ୍‌ଟି ଟଙ୍କାକୁ କେନ୍ଦ୍ର ସରକାର ଭାରତୀୟ ଏକୀକୃତ ପାଣ୍ଠି (କନସୋଲିଡେଟେଡ୍‌ ଫଣ୍ଡ୍‌ ଅଫ୍‌ ଇଣ୍ଡିଆ)ରେ ରଖୁଥିବା ନେଇ ନିକଟରେ ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ (ସିଏଜି) ଉଦବେଗ ପ୍ରକାଶ କରିଥିଲେ। ରାଜ୍ୟଗୁଡ଼ିକୁ ଦେବାକୁ ଥିବା କ୍ଷତିପୂରଣ ରାଶି ଯୋଗାଡ଼ କରିବା ଲାଗି ବିଳାସପୂର୍ଣ୍ଣ ଓ ସ୍ବାସ୍ଥ୍ୟ ପ୍ରତି ହାନିକାରକ ସାମଗ୍ରୀ ଉପରେ ସେସ୍‌ ଲାଗୁ କରାଯାଇଛି। ସେସ୍‌ରୁ ହେଉଥିବା ଆୟକୁ ‘କ୍ଷତିପୂରଣ ସେସ୍‌ ପାଣ୍ଠି’ରେ ଜମା କରିବାର ନିୟମ ରହିଛି। କିନ୍ତୁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ରାଶି ଦେବା ପରେ ଯେଉଁ ଟଙ୍କା ବଳକା ରହୁଥିଲା ତାହାକୁ କେନ୍ଦ୍ର ସରକାର ଏକୀକୃତ ପାଣ୍ଠିରେ ରଖୁଥିଲେ। ଏହା ବେଆଇନ ବୋଲି ସିଏଜି ନିଜ ରିପୋର୍ଟରେ କହିଥିଲେ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ସଫେଇ ଦେଇଥିଲେ ଯେ ସରକାରଙ୍କ ସବୁ ପ୍ରକାର ଆୟ ପ୍ରଥମେ ଏକୀକୃତ ପାଣ୍ଠିରେ ଜମା ହୁଏ ଏବଂ ସେହିଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ। କେନ୍ଦ୍ର ସରକାର କୌଣସି ଜିଏସ୍‌ଟି ନିୟମ ଉଲ୍ଲଂଘନ କରିନାହାନ୍ତି ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସଫେଇ ଦିଆଯାଇଥିଲା।



from Kanak News https://ift.tt/3inMHpa https://ift.tt/32TJTKO
ରାଜ୍ୟରେ ୨୩୮୪ କୋଟିର ଜିଏସ୍‌ଟି ଆଦାୟ : ସାରା ଦେଶରେ ଆଦାୟ ୯୫ ହଜାର କୋଟି ଟପିଲା; ରାଜ୍ୟମାନଙ୍କ ଖାତାକୁ ଶୀଘ୍ର ଆସିବ ୨୫ ହଜାର କୋଟି Kanak News ରାଜ୍ୟରେ ୨୩୮୪ କୋଟିର ଜିଏସ୍‌ଟି ଆଦାୟ : ସାରା ଦେଶରେ ଆଦାୟ ୯୫ ହଜାର କୋଟି ଟପିଲା; ରାଜ୍ୟମାନଙ୍କ ଖାତାକୁ ଶୀଘ୍ର ଆସିବ ୨୫ ହଜାର କୋଟି Kanak News Reviewed by SUBHENDU BARAL on October 01, 2020 Rating: 5

No comments:

Powered by Blogger.