
କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଜଣେ ଆଇଆର୍ବିଏନ୍ ଯବାନ ଘଟାଇଛନ୍ତି ଉନ୍ମତ୍ତ କାଣ୍ତ। ବ୍ଲକ୍ କଲୋନିରେ ଜଣକ ଘରେ ପଶି ଏକ ଛୁଆ ବେକରେ ଛୁରି ଲଗାଇ ସୁନା ଅଳଙ୍କାର ଲୁଟ ଉଦ୍ୟମ କରିଛନ୍ତି। ପ୍ରତିରୋଧ କରିବାକୁ ଯାଇ ତିନି ଜଣ ଛୁରାଘାତରେ ଆହତ ହୋଇଛନ୍ତି।
ଆହତମାନେ ହେଲେ ଅଭିଜିତ ପ୍ରଧାନ ଓ ପଡ଼ୋଶୀ ବିଜୟଲକ୍ଷ୍ମୀ ପଣ୍ତା ଓ ଛୋଟ ଝିଅ ଅଭିସ୍ନା ପ୍ରଧାନ। ଅଭିସ୍ନା ସାମାନ୍ୟ ଆହତ ହୋଇଥିବା ବେଳେ ଅଭିଜିତ ଓ ବିଜୟଲକ୍ଷ୍ମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକେ ସଂପୃକ୍ତ ଯବାନ ମାନସ କୁମାର ମାଝୀକୁ କାବୁ କରି ନିର୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତର କରିଛନ୍ତି।
ମାନସ କୁମାର ମାଝୀ ୩୪୯ ବାଟାଲିୟନର ୮ମ ଆରବିଏନ୍ରେ ସିପାହୀ ଭାବେ କାର୍ଯ୍ୟରତ ଥିବା ବେଳେ ଏବେ ବାଲିଗୁଡା ଜେଲ ଗାର୍ଡ ହିସାବରେ ନିୟୋଜିତ ହୋଇଛନ୍ତି। ହଠାତ୍ ଯବାନ ଜଣକ ବ୍ଲକ୍ କଲୋନିରେ ରହୁଥିବା ବାଲିଗୁଡ଼ା ବ୍ଲକ୍ର କର୍ମଚାରୀ ଅଭିଜିତ ପ୍ରଧାନଙ୍କ ଘରେ ପଶି ତାଙ୍କ ଛୋଟଝିଅ ବେକରେ ଛୁରି ଲଗାଇ ଘରର ସବୁ ସୁନା ଅଳଙ୍କାର ଦେବାକୁ ଧମକାଇ ଥିଲେ। ଅଭିଜିତଙ୍କ ପରିବାର ଲୋକେ ଭୟରେ ଚିତ୍କାର କରିବାରୁ ପାଟିଶୁଣି ସାହି ପଡୋଶୀମାନେ ଜମା ହୋଇ ଯାଇଥିଲେ।
ତେବେ ହିତାହିତ ଜ୍ଞାନ ହରାଇଥିବା ଯବାନ ଜଣଙ୍କ ପରିବାର ଲୋକଙ୍କୁ ଛୁରି ଆକ୍ରମଣ କରିଥିଲେ। ଫଳରେ ପାଖରେ ଥିବା ତିନି ଜଣ ଛୁରି ମାଡ଼ରେ ଗୁରୁତର ହୋଇଥିଲେ। ସାହିବାସିନ୍ଦା କୌଣସି ମତେ ଯବାନ୍ଙ୍କୁ କାବୁ କରି ନିଧୁର୍ମ ଛେଚିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତ ଯବାନଙ୍କୁ ଗିରଫ କରିବା ସହ ଆହତଙ୍କୁ ଚିକିତ୍ସା ନିମନ୍ତେ ବାଲିଗୁଡ଼ା ଉପଖଣ୍ତ ଚିକିତ୍ସାଳୟକୁ ପଠାଇଥିଲା। ଯବାନ୍ଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।
from Kanak News https://ift.tt/33Z7GL5 https://ift.tt/378uGJE
Reviewed by SUBHENDU BARAL
on
October 14, 2020
Rating:
No comments: