୫୦ ବର୍ଷିଆ ସୁଧ ମୁକ୍ତ ଋଣ : ଓଡ଼ିଶା ଭାଗରେ ପଡ଼ିବ ୩୪୮ କୋଟି; ୫୦,୦୦୦ ଟଙ୍କା ପାଇଁ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡ଼ିବ ୧,୧୮,୦୦୦ ଟଙ୍କା Kanak News

କନକ ବ୍ୟୁରୋ : ମାନ୍ଦାବସ୍ଥା ଦେଇ ଗତି କରୁଥିବା ଅର୍ଥନୀତକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବା ଲାଗି କେନ୍ଦ୍ର ସରକାର ନିକଟରେ କେତେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଥିଲେ। ରାଜ୍ୟଗୁଡ଼ିକୁ ୫୦ ବର୍ଷିଆ ଅବଧିର ୧୨ ହଜାର କୋଟି ଟଙ୍କା ସୁଧ ମୁକ୍ତ ଋଣ ଦିଆଯିବ ବୋଲି କୁହାଯାଇଛି। ଦୁଇଟି ଭାଗରେ ଏହି ରାଶି ମିଳିବ। ପ୍ରଥମ ଭାଗରେ ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ୍‌ ଆଧାରରେ ୧୦ ହଜାର କୋଟି ଟଙ୍କାକୁ ରାଜ୍ୟଗୁଡ଼ିକ ମଧ୍ୟରେ ବଣ୍ଟନ କରାଯିବ। ସେଥିରୁ ଓଡ଼ିଶା ଭାଗରେ ୩୪୮ କୋଟି ଟଙ୍କା ପଡ଼ିବ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ରାଜ୍ୟ ସରକାର ବଜେଟ୍‌ରେ ଯେଉଁ ୩୫,୨୦୯ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଟକଳ ଧାର୍ଯ୍ୟ କରିଛନ୍ତି ଏହି ରାଶି ତାହାର ମାତ୍ର ୧ ପ୍ରତିଶତ ସହ ସମାନ। ୧୦ ହଜାର କୋଟି ଟଙ୍କା ବ୍ୟବସ୍ଥାରୁ ଓଡ଼ିଶା କିଛିଟା ଲାଭ ପାଇବ।

ଦ୍ୱିତୀୟ ଭାଗରେ ଯେଉଁ ଦୁଇ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି, ସେଥିରୁ ଓଡ଼ିଶାକୁ କିଛି ମିଳିବ ନାହିଁ। କାରଣ ଏହି ରାଶିର ଭାଗ ପାଇବା ଲାଗି ଯେଉଁ ସର୍ତ୍ତ ରହିଛି ତାହାକୁ ଓଡ଼ିଶା ପାଳନ କରିନାହିଁ। ଆତ୍ମନିର୍ଭର ବିତ୍ତୀୟ ନିଅଣ୍ଟ ପ୍ୟା‌କେଜ୍‌ରେ ଯେଉଁ ୪ ପ୍ରକାର ସଂସ୍କାର ବିଷୟରେ କୁହାଯାଇଛି ଯେଉଁ ରାଜ୍ୟଗୁଡ଼ିକ ଅତିକମ୍‌ରେ ସେଥିରୁ ୩ଟି ସଂସ୍କାର କାର୍ଯ୍ୟକାରୀ କରିବେ ସେମାନଙ୍କୁ ଦୁଇ ହଜାର କୋଟି ଟଙ୍କାରୁ ଭାଗ ମିଳିବ। ସେହି ସର୍ତ୍ତ ଅନୁସାରେ ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ, ତେଲେଙ୍ଗାନା, କେରଳ, ବିହାର, ପଞ୍ଜାବ, ଝାଡ଼ଖଣ୍ଡ, ଛତିଶଗଡ଼, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶକୁ ଟଙ୍କାଟିଏ ବି ମିଳିବ ନାହିଁ। ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ହରିୟାଣା ଏହି ଟଙ୍କା ପାଇବାକୁ ଯୋଗ୍ୟତା ହାସଲ କରିଛନ୍ତି। ଏସ୍‌ବିଆଇ ଇକୋରାପ୍ ରିପୋର୍ଟ ଅନୁସାରେ, ଆତ୍ମନିର୍ଭର ବିତ୍ତୀୟ ନିଅଣ୍ଟ ପ୍ୟ‌ାକେଜ୍‌ରେ ଦିଆଯାଇଥିବା ଚାରିଟି ସର୍ତ୍ତ ହେଉଛି-ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ, ଇଜ୍ ଅଫ୍ ଡୁଇଙ୍ଗ୍‌ ବିଜନେସ୍‌, ବିଦ୍ୟୁତ ବିତରଣ ଓ ପୌରସଂସ୍ଥାର ରାଜସ୍ବ କ୍ଷେତ୍ରରେ ସଂସ୍କାର ଆଣିବା ।

ଏହି ଚାରି ସଂସ୍କାର ମଧ୍ୟରୁ ତିନିଟି ସଂସ୍କାର ରାଜ୍ୟ ସରକାର ଆଣିନାହାନ୍ତି। କେନ୍ଦ୍ର ସରକାର ଯେଉଁ ୧୨ ହଜାର କୋଟି ଟଙ୍କାର ୫୦ ବର୍ଷିଆ ସୁଧ ମୁକ୍ତ ଋଣ ବ୍ୟବସ୍ଥା କରାଇବେ ବୋଲି କହିଛନ୍ତି ତାହା ରାଜ୍ୟଗୁଡ଼ିକର କୌଣସି କାମରେ ଲାଗିବ ନାହିଁ। କାରଣ ୧୮ଟି ରାଜ୍ୟର ବଜେଟ୍‌ରେ ଧାର୍ଯ୍ୟ କରାଯାଇଥିବା ୭,୪୨,୧୧୬ କୋଟି ଟଙ୍କାର ପୁଞ୍ଜି ବ୍ୟୟ ତୁଳନାରେ ଏହି ରାଶି ହେଉଛି ମାତ୍ର ୧.୬ ପ୍ରତିଶତ। ଏକ ହିସାବରୁ ଜଣାପଡ଼ିଛି ଯେ ୫୦ ବର୍ଷିଆ ସୁଧ ମୁକ୍ତ ଋଣ ସ୍କିମ୍‌ରେ ରାଜ୍ୟଗୁଡ଼ିକ ଲାଭବାନ ହେବେ। କିନ୍ତୁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୪୦ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। କାରଣ ସରକାରୀ ପ୍ରତିଭୂତିରେ ୭% ସୁଧ ମିଳୁଛି। ସେହି ଅନୁସାରେ ଯଦି ହିସାବ କରାଯିବ ତେବେ କେନ୍ଦ୍ର ସରକାରଙ୍କ ସୁଧ ଆୟ ହ୍ରାସ ପାଇବ। ତାହାକୁ ଜାତୀୟ କ୍ଷତି ବୋଲି କୁହାଯାଇପାରିବ।

ଏଲ୍‌ଟିସି ବଦଳରେ କ୍ୟାସ୍‌ ଭାଉଚର୍‌ ଜାରି କରିବା ଲାଗି ସରକାର ଯେଉଁ ସ୍କିମ୍ ଘୋଷଣା କରିଛନ୍ତି ତାହା ସଫଳ ହେବାର ବହୁତ କମ୍ ସମ୍ଭାବନା ରହିଛି। ଏହାର ପ୍ରମୁଖ କାରଣ ହେଉଛି ଏହି ସ୍କିମ୍‌ ପାଇଁ ରଖାଯାଇଥିବା ସର୍ତ୍ତ। ଏହି ସ୍କିମ୍‌କୁ ଯେଉଁମାନେ ଗ୍ରହଣ କରିବେ ସେମାନଙ୍କୁ ନିଜ ପକେଟ୍‌ରୁ ଜିଏସ୍‌ଟି ଗଣିବାକୁ ପଡ଼ିବ। ଯଦି ଜିଏସ୍‌ଟି ଦେୟକୁ ସରକାର ବହନ ନକରିବେ ତେବେ ଅତିବେଶିରେ କେନ୍ଦ୍ର ସରକାରଙ୍କ ୧୦-୧୫% କର୍ମଚାରୀ ଏହି ସ୍କିମ୍‌କୁ ଗ୍ରହଣ କରିବେ ବୋଲି ଆକଳନ କରାଯାଇଛି। ଏକ ହିସାବରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ଭଡ଼ା ବାବଦରେ ୫୦ ହଜାର ଟଙ୍କା ପାଇବାକୁ ଯୋଗ୍ୟ ତେବେ ତାଙ୍କୁ ସେହି ସୁବିଧା ପାଇବା ଲାଗି ସାମଗ୍ରୀ କିମ୍ବା ସେବା ଉପରେ ୧,୫୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହା ଉପରେ ତାଙ୍କୁ ଅତିକମ୍‌ରେ ୧୮୦୦୦ ଟଙ୍କାର ଜିଏସ୍‌ଟି ଗଣିବାକୁ ପଡ଼ିବ। ଅର୍ଥାତ ୧,୧୮,୦୦୦ ଟଙ୍କା ନିଜ ପକେଟ୍‌ରୁ ଖର୍ଚ୍ଚ କଲେ ହିଁ ୫୦ ହଜାର ଟଙ୍କାର ଲାଭ ମିଳିବ। କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ ଲୋକମାନେ ଖର୍ଚ୍ଚ ନୁହେଁ, ସଞ୍ଚୟ କରିବା ଉପରେ ମନୋନିବେଶ କରୁଛନ୍ତି। ତେଣୁ କେନ୍ଦ୍ର କର୍ମଚାରୀମାନେ ଏହି ସ୍କିମ୍‌ ଗ୍ରହଣ ନକରିବାର ଅନେକ ସମ୍ଭାବନା ରହିଛି।



from Kanak News https://ift.tt/3dwh2kS https://ift.tt/3nQNPFL
୫୦ ବର୍ଷିଆ ସୁଧ ମୁକ୍ତ ଋଣ : ଓଡ଼ିଶା ଭାଗରେ ପଡ଼ିବ ୩୪୮ କୋଟି; ୫୦,୦୦୦ ଟଙ୍କା ପାଇଁ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡ଼ିବ ୧,୧୮,୦୦୦ ଟଙ୍କା Kanak News ୫୦ ବର୍ଷିଆ ସୁଧ ମୁକ୍ତ ଋଣ : ଓଡ଼ିଶା ଭାଗରେ ପଡ଼ିବ ୩୪୮ କୋଟି; ୫୦,୦୦୦ ଟଙ୍କା ପାଇଁ ପକେଟ୍‌ରୁ ଖର୍ଚ୍ଚ କରିବାକୁ ପଡ଼ିବ ୧,୧୮,୦୦୦ ଟଙ୍କା Kanak News Reviewed by SUBHENDU BARAL on October 14, 2020 Rating: 5

No comments:

Powered by Blogger.