ଭାଇଚାରାର ଗାଁ ଡଡ଼ବାଡ଼ି : ଯେଉଁଠି ମାମଲା ଥାନାକୁ ଯାଏନି; କଳି ଝଗଡ଼ା ହେଲେ ଏକାଠି ସମାଧାନ କରିଥାନ୍ତି ସାରା ଗାଁ Kanak News

କନକ ବ୍ୟୁରୋ : ବର୍ତ୍ତମାନ ପରିସ୍ଥିତିରେ ସମାଜରେ ଭାଇ -ଭାଇ ମଧ୍ୟରେ ରହୁନି ସମ୍ପର୍କ । ପରସ୍ପର ମାରପିଟ୍ ଓ ହଣାକଟା ଚାଲିଛି। କଥା ଯାଇ ଥାନାରେ ପହଞ୍ଚିବା ଭଳି ଘଟଣା ନିତିଦିନିଆ ହୋଇଛି। ହେଲେ ଏମିତି ଏକ ଗାଁ ଅଛି। ଯେଉଁଠି ଭାଇଚାରା ସମ୍ପର୍କ ଏବେ ବି ଅତୁଟ ରହିଛି। କାହା ଘରେ କଳି ଝଗଡ଼ା ହୁଏ ନାହିଁ କି ମାମଲା କେବେ ଥାନାକୁ ଯାଇ ପହଞ୍ଚି ନାହିଁ। ସେହିଭଳି ଗାଁ ହେଉଛି କନ୍ଧମାଳ ଜିଲ୍ଲାର ଡଡ଼ବାଡ଼ି।
କ.ନୂଆଗାଁ ବ୍ଲକ୍ର ଏହି ଗାଁଟି ଏକ ପାହାଡ଼ ଉପରେ ଅବସ୍ଥିତ। ଏହି ଗାଁରେ ୧୦୦ରୁ ଊର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି। ଲୋକସଂଖ୍ୟା ୨୫୦ ହେବ। ଅଧିକାଂଶ ଆଦିବାସୀ ସମ୍ପ୍ରଦାୟର। ଗାଁ’ଟି ପାହାଡ଼ ଉପରେ ଅବସ୍ଥିତ ଥିବାରୁ ରାସନ ଜିନିଷ ଆଣିବା ପାଇଁ ହେଉ କି କୌଣସି ଜରୁରୀ କାମ ପାଇଁ ଗ୍ରାମବାସୀଙ୍କୁ ଓଳିଏ କାମଧନ୍ଦା ଛାଡ଼ିବାକୁ ପଡ଼ିଥାଏ। ବିଭିନ୍ନ ସମସ୍ୟା ରହିଥିଲେ ବି ୫ ବର୍ଷ ପୂର୍ବେ ଡଡ଼ବାଡ଼ି ପରିମଳ ମୁକ୍ତ ଗାଁ ଭାବେ ଚର୍ଚ୍ଚାକୁ ଆସିଥିଲା। ଜିଲ୍ଲାର ପ୍ରଥମ ଗାଁ ଯେଉଁଠି ସମସ୍ତେ ନିଜନିଜ ଘରେ ପାଇଖାନା ନିର୍ମାଣ କରିଥିଲେ। ତାହା ପୁଣି ନିଜସ୍ବ ଖର୍ଚ୍ଚରେ। ପ୍ରଶାସନ ପାଇଖାନା ଖର୍ଚ୍ଚ ଅର୍ଥ ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କୁ ପ୍ରଦାନ କରିଥିଲା । ଜିଲ୍ଲାର ଅନ୍ୟ ଦୁର୍ଗମ ଓ ଅପହଞ୍ଚ ଗାଁଗୁଡ଼ିକୁ ସ୍ବଚ୍ଛ ଭାରତର ବାଟ ଦେଖାଇଥିବା ଡଡ଼ବାଡ଼ି ଗାଁରେ ରହିଛି ଭାଇଚାରା ସମ୍ପର୍କ। ଯାହାକି ଅନ୍ୟ ଗାଁକୁ ଦେଖିବାକୁ ମିଳି ନଥାଏ।
କାହାର ଦେହ ଖରାପ ହେଉ। କିଏ ଅସୁବିଧାରେ ପଡୁ। ସଙ୍ଗେସଙ୍ଗେ ଗ୍ରାମବାସୀ ଏକଜୁଟ୍ ହୋଇ ସାହାଯ୍ୟ କରିବାକୁ ବାହାରି ପଡ଼ନ୍ତି। ରୋଗୀକୁ ଡାକ୍ତରଖାନା ନେଇଥାନ୍ତି, ଆଉ ଚାନ୍ଦା ଆଦାୟ କରି ଅସୁବିଧାରେ ପଡ଼ିଥିବା ଗାଁର ଲୋକକୁ ସାହାଯ୍ୟ କରିଥାନ୍ତି। ପ୍ରତି ପରିବାର ଭିତରେ ଏଭଳି ଭାଇଚାରା ସମ୍ପର୍କ ୩୦-୪୦ ବର୍ଷ ହେଲା ରହି ଆସିଛି ବୋଲି କହନ୍ତି ଗାଁର ବୟୋଜ୍ୟେଷ୍ଠ ମକରଧ୍ବଜ ପ୍ରଧାନ। ସବୁଠାରୁ ବଡ଼ କଥା ହେଲା, ଭାଇଚାରା ସମ୍ପର୍କ ଯୋଗୁଁ କାହା ଘରେ କଳି ଝଗଡ଼ା କେବେ ହୁଏନି। ଆଉ କୌଣସି ଛୋଟମୋଟ ପାରିବାରିକ ବିବାଦ, କଳି ଝଗଡ଼ା ହେଲେ, ସାରା ଗାଁ ଏକାଠି ତାହାର ସମାଧାନ କରିଥାନ୍ତି। ମାମଲା ଆଜି ସୁଦ୍ଧା ଥାନାକୁ ଯାଇ ନାହିଁ ବୋଲି କହନ୍ତି ଆଉ ଜଣେ ବୟୋଜ୍ୟେଷ୍ଠ ଭିକାରୀ ମଲ୍ଲିକ।
ଡଡ଼ବାଡ଼ି ଗାଁରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ବି ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି। କାମଧନ୍ଦା ଯୋଗାଇ ଦିଆଯାଉ ନାହିଁ। ଆଉ ଯୁବକ ଓ ଯୁବତୀମାନଙ୍କ ଆତ୍ମନିଯୁକ୍ତି ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ଭାଇଚାରା ସମ୍ପର୍କ ହେଉ କି ଜିଲ୍ଲାରେ ପ୍ରଥମ ସ୍ବଚ୍ଛ ଭାରତର ମୂଳଦୁଆ ପକାଇବା କ୍ଷେତ୍ରରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଡଡ଼ବାଡ଼ି ଗାଁ ପ୍ରତି ପ୍ରଶାସନର କେବେ ଶୁଭ ଦୃଷ୍ଟି ପଡୁଛି ତାକୁ ଦେଖିବାର କଥା।
from Kanak News https://ift.tt/3nguKwD https://ift.tt/2I0le0B
No comments: