ଆଗ୍ରା ୧୩/୧୦:ଆଗ୍ରାର ଥାନା ତାଜଗଞ୍ଜ ଅଞ୍ଚଳରେ ପୂର୍ବତନ ଯବାନଙ୍କ ପତ୍ନୀଙ୍କୁ ଜୀବନ୍ତ ଜଳାଇ ଦିଆଯାଇଛି। ଘଟଣାର ସୂତ୍ରପାତ ପିଲାମାନଙ୍କ ଝଗଡ଼ା ଯୋଗୁଁ ହୋଇଥିଲା କିନ୍ତୁ ଏହା ଏତେ ବଢ଼ିଯାଇଥିଲା ଯେ ଗୋଟିଏ ପକ୍ଷର ଲୋକେ ଅନ୍ୟ ପକ୍ଷର ମହିଳାଙ୍କୁ ଜୀବନ୍ତ ଜଳାଇ ଦେଇଥିଲେ। ଚିକିତ୍ସା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାଟି ଘଟିଛି ରବିବାର ସନ୍ଧ୍ୟାରେ।
ଆଗ୍ରାର ପୁଷ୍ପାଞ୍ଜଳି ଇକୋ ସିଟି କଲୋନୀରେ ପୂର୍ବତନ ଯବାନ ଅନିଲ କୁମାରଙ୍କ ପତ୍ନୀ ଘର ସାମନାରେ ଛିଡ଼ା ହୋଇଥିଲେ। ସେତିକିବେଳେ କିଛି ଲୋକ ଆସିଥିଲେ ଏବଂ ତାଙ୍କ ଉପରେ କିରୋସିନି ତେଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ ଏବଂ ଦୌଡ଼ି ପଳାଇଥିଲେ। ମହିଳାଙ୍କ ଚିତ୍କାର ଶୁଣି ତାଙ୍କ ପରିବାର ଲୋକେ ଏବଂ ପିଲାମାନେ ବାହାରକୁ ଆସିଥିଲେ। ପଡ଼ୋଶୀଙ୍କ ସହାୟତାରେ ଅନିଲ କୁମାର ମହିଳାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ୪-୫ଦିନ ତଳେ ପୀଡ଼ିତ ଅନିଲ କୁମାର ଏବଂ କଲୋନୀରେ ହିଁ ରହୁଥିବା ଭାରତ ଖରେଙ୍କ ପୁଅଙ୍କ ମଧ୍ୟରେ ସାମାନ୍ୟ କଥାରେ ବଚସା ହୋଇଯାଇଥିଲା। ବିବାଦ ପରେ ଭାରତ ଖରେ ପୂର୍ବତନ ଯବାନ ଅନିଲ କୁମାରଙ୍କ ବିରୋଧରେ ଏସସି ଏସଟି ଆକ୍ଟ ଧାରାରେ ମାମଲା ରୁଜୁ କରି ଦେଇଥିଲେ।
ଏହି ମାମଲାରେ ବୁଝାମଣା ପାଇଁ ଭାରତ ଖରେଙ୍କ ଘରେ ପଞ୍ଚାୟତ ରଖାଯାଇଥିଲା। ପଞ୍ଚାୟତରେ ଭାରତ ଖରେଙ୍କ ଏକ ଡଜନରୁ ଅଧିକ ସମ୍ପର୍କୀୟ ଉପସ୍ଥିତ ଥିଲେ। ବୁଝାମଣା କରିବା ବାବଦରେ ଭାରତ ,ଅନିଲଙ୍କଠୁ ୧୦ଲକ୍ଷ ଟଙ୍କା ମାଗିଥିଲେ। ସେ ଏତେ ଟଙ୍କା ଦେବାକୁ ଅସମର୍ଥ ବୋଲି କହିଥିଲେ। ଏହି କାରଣ ଯୋଗୁଁ ପଞ୍ଚାୟତରେ ବୁଝାମଣା ହୋଇପାରିନଥିଲା।
ଏହି ସମୟରେ ଭରତ ଖରେ ଏବଂ ତାଙ୍କ ଘରକୁ ଆସିଥିବା ତାଙ୍କ ସମର୍ଥକ,ସମ୍ପର୍କୀୟମାନେ ଏହି ଘଟଣା ଘଟାଇଥିଲେ। ଘଟଣା ପରଠୁ ଭରତ ଖରେ ନିଜ ପରିବାର ସହ ବିଲଡିଂ ଛାଡ଼ି ଫେରାର ହୋଇ ଯାଇଛନ୍ତି। ମାମଲାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କଲୋନୀରେ ରହୁଥିବା ପରିବାରର ବୟାନ ରୁଜୁ କରିଛନ୍ତି। ପ୍ରତ୍ୟେକ ଆଙ୍ଗଲରୁ ମାମଲାର ଯାଞ୍ଚ କରାଯାଉଛି। ଅଭିଯୋଗ ଆଧାରରେ ମାମଲା ରୁଜୁ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ।
from Prameya News7 https://ift.tt/30VVA3B

No comments: