ରାୟଗଡ଼ା: ବର୍ଷା ହେବାରୁ ୩ଜଣ ଯୁବକ ଗଛତଳେ ଆଶ୍ରୟ ନେଇଥିଲେ। ହଠାତ୍ ଏହି ସମୟରେ ବଜ୍ରପାତ ହେବାରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଆମ୍ବଦଳା ଥାନା ଅନ୍ତର୍ଗତ ଇନ୍ଦିରାପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ- ନରେଶ ସୁନା ଓ ଅର୍ଜଲାଲ ପାଲକିଆ।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ହରିଜନ ସାହିର ଏହି ୩ ଯୁବକ ଗାଁ ନିକଟ ପଡ଼ିଆକୁ ଯାଇଥିଲେ। ହଠାତ୍ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବାରୁ ଏମାନେ ସମସ୍ତେ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ତେବେ ଏହି ସମୟରେ ବଜ୍ରପାତ ହେବା ଯୋଗୁ ୩ ଯୁବକ ଏହାର ଶିକାର ହୋଇଥିଲେ।
ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଆମ୍ବଦଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ନରେଶ ଓ ଅର୍ଜଲାଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ଆହତଙ୍କୁ ଗୁରୁତର ଅବସ୍ଥାରେ ଅମ୍ବାଦଳା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଅମ୍ବାଦଳା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍ ହେଲା ବଜ୍ରପାତ appeared first on OTV Khabar..
from OTV Khabar. https://ift.tt/32MsEMU
No comments: