ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତରେ ରାଜ୍ୟ ମହିଳା କମିଶନ ଉଚିତ ଆଭିମୁଖ୍ୟ ପୋଷଣ କରିନାହାନ୍ତି । ମହିଳା କମିଶନ ଏକତରଫା ତାଙ୍କର ରାୟ ଶୁଣାଇଛନ୍ତି ବୋଲି କହି ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଗତକାଲି ରାଜ୍ୟ ମହିଳା କମିଶନକୁ ପ୍ରତିକ୍ରିୟା ଦେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କହିଥିଲେ, “ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିସିପିଙ୍କୁ ଲେଖାଯାଇଛି। ଏହାସହିତ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣ(ଡିଏଲଏସଏ)ଙ୍କୁ ମଧ୍ୟ ମହିଳା କମିଶନ ଚିଠି ଲେଖିଛନ୍ତି। ଓଟିଭି ପରିଚାଳନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡା ହାଜର ହୋଇଥିଲେ ବି ଶୁଣାଣିବେଳେ ଅନୁପସ୍ଥିତ ଥିବାରୁ ତାଙ୍କୁ ଡିସିପିଙ୍କ ମାଧ୍ୟମରେ ସପ୍ତାହକ ମଧ୍ୟରେ ନୋଟିସ୍ ଜାରି କରାଯିବ ଓ ହାଜର ହେବାକୁ କୁହାଯିବ।”
ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କ ଏହି ପ୍ରତିକ୍ରିୟା ହିଁ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପଡ଼ୁଥିବା ଚାପ ଓ ସର୍ବବୃହତ୍ ଓଡ଼ିଆ ଟିଭି ନ୍ୟୁଜ୍ ଚ୍ୟାନେଲ ‘ଓଟିଭି’କୁ କିଭଳି ଭାବେ ସରକାରୀ ପ୍ରାୟୋଜିତ ହଇରାଣ ପାଇଁ ପ୍ରୟାସ କରାଯାଉଛି ତାହା ଜଳଜଳ ହୋଇ ଜଣାପଡ଼ୁଛି।
ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ପୂର୍ବତନ ରାଜ୍ୟ ମହିଳା କମିଶନ ସଦସ୍ୟା ତଥା ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା କହିଛନ୍ତି ଯେ, “ଏହି ମାମଲାରେ ମହିଳା କମିଶନ ଯେଉଁଭଳି ଆଭିମୁଖ୍ୟ ପୋଷଣ କରିଛନ୍ତି ସେପରି କରିବା ଉଚିତ୍ ନୁହେଁ। ଯେତେବେଳେ କୌଣସି ଅଭିଯୋଗ ଉପରେ ସିଆରପିସି ଓ ପୋକସୋ ଆଇନରେ ମାମଲା ରୁଜୁ ହୋଇସାରିଛି ଓ ତାହା ପୁଲିସର ତଦନ୍ତ ପରିସର ମଧ୍ୟରେ ରହିଛି, ସେହି ମାମଲାରେ ମହିଳା କମିଶନଙ୍କର କୌଣସି ଭୂମିକା ନଥାଏ। କିମ୍ବା ତାହା ତାଙ୍କର କ୍ଷମତା ପରିସରଭୁକ୍ତ ମଧ୍ୟ ନୁହେଁ। ଯଦି ପୁଲିସ୍ ଏହି ମାମଲାରେ ଏଫଆଇଆର ରଖିନଥାନ୍ତା ତା’ହେଲେ କମିଶନ ସେଥିରେ ହସ୍ତକ୍ଷେପ କରିଥାନ୍ତେ। ଏହି ମାମଲାରେ ମହିଳା କମିଶନ କିଭଳି ଓ କେଉଁ ଆଇନ ବଳରେ ଗୋଟିଏ ଟିଭି ଚ୍ୟାନେଲର ପରିଚାଳନା ନିର୍ଦ୍ଦେଶିକାଙ୍କୁ ନୋଟିସ୍ କଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି। ତା’ଛଡ଼ା ଯଦି କୌଣସି ଅଭିଯୋଗ ଆସିବ ତା’ର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯିବ। ପୁଲିସ୍ ଏପର୍ଯ୍ୟନ୍ତ ଅଭିଯୋଗ ଉପରେ ତଦନ୍ତ ଜାରି ରଖିଥିବାବେଳେ କେଉଁ ରିପୋର୍ଟକୁ ଆଧାର କରି ପୀଡ଼ିତାଙ୍କୁ କ୍ଷତିପୂରଣ ବା ସହାୟତା ଦେବାକୁ ମହିଳା କମିଶନ ସୁପାରିସ୍ କଲେ? ଯେହେତୁ ପୁଲିସ୍ ଏହି ମାମଲାର ତଦନ୍ତ ଜାରି ରଖିଛି ଓ ଏପର୍ଯ୍ୟନ୍ତ ଚାର୍ଜସିଟ୍ ଦାଖଲ କରିନି, ତା’ହେଲେ ଦୁଷ୍କର୍ମ ହୋଇଛି ବୋଲି ମହିଳା କମିଶନ ଜାଣିଲେ କେମିତି? ବିନା ତଦନ୍ତରେ ଏଭଳି ମତାମତ ଦେବା କମିଶନଙ୍କ ପକ୍ଷେ ଅନୁଚିତ୍। ପୀଡ଼ିତାଙ୍କୁ କ୍ଷତିପୂରଣ ଦେବା ପାଇଁ କାହାରି ସୁପାରିସର ଆବଶ୍ୟକତା ମଧ୍ୟ ନଥାଏ। ଯଦି ତଦନ୍ତରେ ଦୁଷ୍କର୍ମ ହୋଇଥିବା ଜଣାପଡ଼େ, ତା’ହେଲେ ଡିଏଲଏସଏ ନିଜ ଆଡ଼ୁ ଏହି କ୍ଷତିପୂରଣ ଦେଇଥାନ୍ତି। ତେଣୁ ମହିଳା କମିଶନ ଅଧ୍ୟକ୍ଷା ଗତକାଲି ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରାଜନୀତିକ ଚାପ କିମ୍ବା ଅନ୍ୟ କୌଣସି ଚାପରେ ଏଭଳି କରାଯାଉଛି” ବୋଲି ଶ୍ରୀମତୀ ଚଢ଼ା କହିଛନ୍ତି।
ସୂଚନାଯୋଗ୍ୟ, ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ୨୦ଦିନ ପରେ ମଧ୍ୟ ପୁଲିସ୍ ଏପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତମାନଙ୍କ ପାଖରେ ପହଂଚି ପାରିନି। ଅଭିଯୋଗ ନଥିବା ଓଟିଭିର ବରିଷ୍ଠ ସମ୍ବାଦିକ ଓ ଏଚଆର ମୁଖ୍ୟଙ୍କୁ ଡାକି ଘନଘନ ଜେରା କରିବାରେ ଲାଗିଛି। ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅସମର୍ଥ ହୋଇଥିବା କମିଶନରେଟ ପୁଲିସ ପୁଣି ଆଉ ୩ ସପ୍ତାହ ସମୟ ନେଇଥିବା ମହିଳା କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
The post ମହିଳା କମିଶନ ଉଚିତ୍ ଆଭିମୁଖ୍ୟ ପୋଷଣ କରି ନାହାନ୍ତି-ନମ୍ରତା ଚଢ଼ା appeared first on OTV Khabar..
from OTV Khabar. https://ift.tt/3hOcuXz
No comments: