
କନକ ବ୍ୟୁରୋ : ଛେଳି ଚରାଇବାକୁ ଯାଇଥିଲାବେଳେ ହଠାତ୍ ମାଡ଼ିଆସିଲା ବନ୍ୟାଜଳ। ଜୀବନ ବିକଳରେ ଏକ ଟାପୁ ଉପରକୁ ଚଢ଼ିଯିବା ପରେ ସେଠି ଫସି ରହିଥିଲେ ଜଣେ ଯୁବକ ଓ ଅନ୍ୟ ଜଣେ ବାଳକ। ଅଗ୍ନିଶମ ବାହିନୀ ଉଦ୍ଧାର କଲାବେଳକୁ ଅଦମ୍ୟ ସାହସ ଦେଖାଇ ଦୁଇଜଣ ଭରାନଈରେ ପହଁରି ପହଁରି କୂଳକୁ ଆସିଥିଲେ। ଏବେ ଦୁହେଁ ସୁସ୍ଥ ରହିଥିବା ଜଣାପଡ଼ିଛି।
ସବୁଦିନ ପରି ସୋମବାର ପୂର୍ବାହ୍ନରେ ବୁଢ଼ାବଳଙ୍ଗ ନଈ ଆରପଟକୁ ଛେଳି ଚରାଇବାକୁ ଯାଇଥିଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଁଳାଗୁଞ୍ଜା ଗାଁ ଡାହିସାହିର ଦେବେନ୍ଦ୍ର ସିଂ , ଉପେନ୍ଦ୍ର ସିଂ । ଗଲାବେଳେ ନଦୀଶଯ୍ୟାରେ ଆଣ୍ଠୁଏରୁ କମ୍ ପାଣିଥିଲା। ହେଲେ ଛେଳି ଧରି ଫେରିବାବେଳକୁ ମଝିନଈରେ ହଠାତ୍ ମାଡ଼ିମାସିଲା ଉପରମୁଣ୍ଡରୁ ବନ୍ୟାଜଳ। ସେତେବେଳେ ଦିନ ପ୍ରାୟ ୧୨ଟା ସମୟ। ଛେଳି ସହ ଜୀବନ ବିକଳରେ ଏକ ପଥର ଟାପୁ ଉପରକୁ ଦୁହେଁ ଚଢ଼ିଗଲେ। ସେମାନଙ୍କ ଚିତ୍କାର ଶୁଣି ପାଖଆଖରୁ ଲୋକ ରୁଣ୍ଡ ହେବା ସହ ଅଗ୍ନିଶମ କେନ୍ଦ୍ର ଓ ପୁଲିସକୁ ଖବର ଦେଇଥିଲେ। ସେତେବେଳକୁ ଜଳସ୍ତର କ୍ରମଶଃ ବଢ଼ିଚାଲିଥିଲା। କୂଳରେ ରୁଣ୍ଡ ହୋଇଥିବା ଲୋକେ ‘ପହଁରି ପହଁରି ଚାଲିଆସ’ ବୋଲି ଚିତ୍କାର କରୁଥା’ନ୍ତି। ଶେଷରେ, ଉଭୟ ଆଉ ଦମକଳ ବାହିନୀକୁ ଅପେକ୍ଷା କରି ନ ଥିଲେ। ସାହସ ସଞ୍ଚୟ କରି ପହଁରି ପହଁରି କୂଳକୁ ପଳାଇ ଆସିଥିଲେ। ତେବେ, ପାଖାପାଖି ୪୦ ମିନିଟ୍ ସେହି ଟାପୁରେ ରହି ଉଦ୍ଧାର ଅପେକ୍ଷାରେ ରହିଥିଲେ ଦି’ଜଣ। ପରେ ଘଟଣାସ୍ଥଳସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ କସରତ ପରେ ଛେଳି ଦୁଇଟିକୁ ନଈ ମଝିରୁ ଉଦ୍ଧାର କରିଥିଲେ। ଉଭୟ ଦେବେନ୍ଦ୍ର ଓ ଉପେନ୍ଦ୍ର ସୁସ୍ଥ ଥିବା ସୂଚନା ମଳିଛି।
from Kanak News https://ift.tt/3iS1yJv https://ift.tt/3hRmFuu
No comments: