ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ: ୨୦ରୁ ୩ ଦିନ ରାଜ୍ୟବ୍ୟାପୀ ବର୍ଷା, ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ; ଆଜି ଏହି ସବୁ ଜିଲ୍ଲାରେ ଝଡ଼ତୋଫାନ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଯୋଗୁଁ ଆସନ୍ତା ୨୦ରୁ ୨୨ତାରିଖ, ୩ ଦିନ ଧରି ରାଜ୍ୟବ୍ୟାପୀ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧ, ଯାଜପୁର, ଭଦ୍ରକ, କଳାହାଣ୍ଡି, ଗଞ୍ଜାମ ଓ ପୁରୀ ଭଳି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।
କେନ୍ଦ୍ରର ନିର୍ଦ୍ଦେଶକଙ୍କ କହିବାନୁସାରେ, ଏବେର ପାଣିପାଗର ସ୍ଥିତି ପରଖିଲେ ଜଣାପଡ଼ୁଛି, ମୌସୁମୀ ଟ୍ରଫ୍ ଲାଇନ୍ ଏବେ ନିଜ ପାରମ୍ପରିକ ସ୍ଥାନରୁ ଉତ୍ତର ଆଡ଼କୁ ଗତି କରୁଛି। ମୌସୁମୀ ଟ୍ରଫ୍ର ପଶ୍ଚିମ ମୁଣ୍ଡ ହିମାଳୟ ପାଦଦେଶର ନିକଟବର୍ତୀ ହୋଇଥିବା ବେଳେ ଏହାର ପୂର୍ବ ମୁଣ୍ଡ ବରେଲି, ସୁଲତାନପୁର ପାଟଣା ଓ ମାଲ୍ଦା ହୋଇ ପୂର୍ବ-ଉତ୍ତରପୂର୍ବ ଆଡ଼କୁ ଗତି କରି ନାଗାଲାଣ୍ଡ ହୋଇ ଆସାମ ଆଡ଼କୁ ଲମ୍ବିଛି। ଏଥିପାଇଁ ରାଜ୍ୟରେ ଏବେ ବି ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ଏହା ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପରିମାଣ ସ୍ବାଭାବିକଠାରୁ କମ୍ ରହିବ। କିନ୍ତୁ ୨୦ ତାରିଖ ଆଡ଼କୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାର ପ୍ରାୟ ସମସ୍ତ ସ୍ଥାନରେ ବିସ୍ତୃତ ଭାବେ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ବି ଆଶଙ୍କା କରାଯାଉଛି। ୨୦ରୁ ୨୨ ତାରିଖ ପର୍ୟ୍ୟନ୍ତ ଏହିଭଳି ବର୍ଷା ଲାଗି ରହିବ।
୧୮ ଓ ୧୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଝଡ଼ତୋଫାନ ବର୍ଷା ହୋଇପାରେ। ୧୯ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଝଡ଼ତୋଫାନ ଯୋଗୁଁ ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ୨୦ ତାରିଖ ଆଡ଼କୁ ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ। ଉକ୍ତ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଜିଲ୍ଲାଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଦିନ ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ ଓ ଖୋର୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୨୧ ତାରିଖ ଦିନ ରାଜ୍ୟରେ ବର୍ଷାର ପରିମାଣ ଓ ବିସ୍ତୃତି ଆହୁରି ବଢ଼ିବ। ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧ, ଯାଜପୁର, ଭଦ୍ରକ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ମାଲକାନଗିରି, କୋରାପୁଟ, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ କଟକ ଓ ଭୁବନେଶ୍ବରର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ। କିଛି କିଛି ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ବି ହୋଇପାରେ।
from Kanak News https://ift.tt/3ktNI0E https://ift.tt/2PVH8Tq
No comments: