ଯୁକ୍ତ୨ ନାମଲେଖା : ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, କୋଭିଡ୍ ଗାଇଡଲାଇନ୍ ପାଳନ କରି ହେବ ସମସ୍ତ କାର୍ଯ୍ୟ

ଭୁବନେଶ୍ୱର ୧୮।୦୯: ଯୁକ୍ତ୨ ନାମଲେଖା, ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମଲେଖା ପାଇଁ ଆଜି ମେରିଟ୍  ଲିଷ୍ଟ ତଥା କଟ୍  ଅଫ୍  ମାର୍କ ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ସାମ୍ ସ ୱେବସାଇଟ୍ ରେ ପ୍ରଥମ ପର୍ଯ୍ୟାୟ କଟ୍  ଅଫ୍  ମାର୍କ ପ୍ରକାଶ କରାଯିବ। ଏହି ପର୍ଯ୍ୟାୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୨୧ରୁ ୨୬ ମଧ୍ୟରେ ଅନୁଷ୍ଠିତ ହେବ।

ଅକ୍ଟୋବର ୩ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ସହ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ୫ରୁ ୭ ତାରିଖ ମଧ୍ୟରେ ହେବ। ୧୫ ତାରିଖରେ ସ୍ପଟ୍  ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ ଏବଂ ୧୬ରେ ସ୍ପଟ୍  ନାମଲେଖା କରାଯିବ। ଅକ୍ଟୋବର ୧୭ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବ। ନାମଲେଖା ପୂର୍ବରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜ ଲାଗି ନିର୍ଦେଶାବଳୀ ଜାରି ହୋଇଛି।

କୋଭିଡ୍ -୧୯ ଗାଇଡ୍ ଲାଇନ୍  ଅନୁଯାୟୀ କଲେଜ କ୍ୟାମ୍ପସରେ ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବା, ମାସ୍କର ବ୍ୟବହାର ଓ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି। ନାମଲେଖାଇବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ସହ ଜଣେ ମାତ୍ର ଅଭିଭାବକ ଆସିପାରିବେ। କଲେଜଗୁଡ଼ିକ ଦୁଇଟି ପର୍ଯ୍ୟାୟରେ କର୍ମଚାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ଇଣ୍ଟିମେସନ ଲେଟରରେ କୋଭିଡ୍ -୧୯ ସମ୍ପର୍କିତ ତଥ୍ୟ, ନାମଲେଖା ସମ୍ପର୍କିତ ଡକ୍ୟୁମେଣ୍ଟ ରହିବ। ପ୍ରତି ଘଣ୍ଟାକୁ ଅତିବେଶିରେ ବିଭାଗ ପିଛା ୧୫ ଜଣ ପ୍ରାର୍ଥୀଙ୍କୁ ଡାକିବାକୁ କୁହାଯାଇଛି। ୯ଟାରୁ ୫ଟା ପର୍ଯ୍ୟନ୍ତ ନାମଲେଖା ହେବ। ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ରହିବ।

ଯେଉଁମାନେ ନିର୍ଦ୍ଧାରିତ ସମୟରେ ନାମଲେଖାଇ ପାରିବେ ନାହିଁ ସେମାନଙ୍କୁ ଆପରାହ୍ନ ୪ଟାରୁ ୫ଟା ମଧ୍ୟରେ ସୁଯୋଗ ଦିଆଯିବ। ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟର ୨ ହଜାର ୨୮ଟି କଲେଜର ୪ ଲକ୍ଷ ୫୩ ହଜାର ୬୪୩ ସିଟ୍ ରେ ନାମଲେଖା ହେବ। ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ନାମଲେଖା ପାଇଁ ୪ ଲକ୍ଷ ୧୫ ହଜାର ୭ ଜଣ ଛାତ୍ରଛାତ୍ରୀ ନାମ  ପଞ୍ଜୀକରଣ କରିଥିବା ବେଳେ ୩ ଲକ୍ଷ ୮୩ ହଜାର ୨୫୧ ଜଣ ଅନ୍ ଲାଇନ୍ ରେ ଆବେଦନ କରିଛନ୍ତି। ୩ ଲକ୍ଷ ୭୯ ହଜାର ୮୧୫ ଜଣ ଫି’ ଦାଖଲ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୨ ଲକ୍ଷ ୪୦ ହଜାର ୫୮୬ ସିଟ୍  ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୪୫ ହଜାର ୯୯୮, ବାଣିଜ୍ୟରେ ୪୪ ହଜାର ୩୨୩, ସଂସ୍କୃତରେ ୧୧ ହଜାର ୭୧୨ ଓ ଧନ୍ଦାମୂଳକ ବିଭାଗର ୧୧ ହଜାର ୨୪ ସିଟ୍ ରେ ନାମଲେଖା କରାଯିବ ।



from Prameya News7 https://ift.tt/3kvr2NA
ଯୁକ୍ତ୨ ନାମଲେଖା : ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, କୋଭିଡ୍ ଗାଇଡଲାଇନ୍ ପାଳନ କରି ହେବ ସମସ୍ତ କାର୍ଯ୍ୟ ଯୁକ୍ତ୨ ନାମଲେଖା : ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, କୋଭିଡ୍ ଗାଇଡଲାଇନ୍ ପାଳନ କରି ହେବ ସମସ୍ତ କାର୍ଯ୍ୟ Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.