ସମ୍ବାଦପତ୍ର ଖବର ସବୁଠୁ ବିଶ୍ୱାସଯୋଗ୍ୟ : ଦ୍ୱିତୀୟରେ ରେଡିଓ ; ୬୧% ଖବର ପାଠକ ମିଥ୍ୟା ଖବର ନେଇ ଚିନ୍ତିତ Kanak News

କନକ ବ୍ୟୁରୋ : ଖବର ପାଇବାର ସବୁଠୁ ବିଶ୍ବାସଯୋଗ୍ୟ ଉତ୍ସ ହେଉଛି ସମ୍ବାଦପତ୍ର ବା ଛପା ଗଣମାଧ୍ୟମ। ମିଡିଆ କନ୍‌ସଲ୍‌ଟିଂ ସଂସ୍ଥା ଓର୍‌ମାକ୍ସ ମିଡିଆ ପକ୍ଷରୁ କରାଯାଇଥିବା ସର୍ଭେରେ ଅନ୍ୟ ସମସ୍ତ ପାରମ୍ପରିକ ଓ ଡିଜିଟାଲ୍‌ ଖବର ଉତ୍ସକୁ ପଛରେ ପକାଇ ଦେଇଛି ସମ୍ବାଦପତ୍ର। ବିଶ୍ବାସଯୋଗ୍ୟ ଖବରକୁ ନେଇ ପ୍ରସ୍ତୁତ କରାଯାଇଥିବା ସୂଚୀରେ ୬୨ ପ୍ରତିଶତ ସ୍କୋର ସହ ସମ୍ବାଦପତ୍ର ଶୀର୍ଷ ସ୍ଥାନରେ ରହିଛି। ସେହିପରି ୫୭ ପ୍ରତିଶତ ସ୍କୋର ସହ ରେଡିଓ ଦ୍ବିତୀୟ ସ୍ଥାନରେ ଥିବା ବେଳେ ୫୬ ପ୍ରତିଶତ ସ୍କୋର ସହ ଟିଭି ତୃତୀୟ ସ୍ଥାନରେ ରହିଛି।

ସୋସିଆଲ୍‌ ମିଡିଆର ବହୁଳ ବ୍ୟବହାର ପରେ କେଉଁ ଖବର ସତ ଓ ମିଛ ତାହା ଜାଣିବା କଷ୍ଟକର ହୋଇପଡ଼ିଥିବା ବେଳେ ଏହି ସର୍ଭେର ଫଳାଫଳ ସଠିକ୍ ଖବର ଚାହୁଥିବା ଲୋକମାନଙ୍କ ପାଇଁ ପଥ ପ୍ରଦର୍ଶକ ସାବ୍ୟସ୍ତ ହେବ। ଭାରତର ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୫ ବର୍ଷ ବୟସରୁ ଅଧିକ ୨୪୦୦ ସହରାଞ୍ଚଳ ଖବର ବ୍ୟବହାରକାରୀଙ୍କୁ ନେଇ ଓର୍‌ମାସ୍କ ମିଡିଆ ଏହି ସର୍ଭେ କରିଥିଲା। ଏଥିରେ ଭାଗ ନେଇଥିବା ୬୧ ପ୍ରତିଶତ ଲୋକ ମିଥ୍ୟା ଖବରକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମିଥ୍ୟା ଖବର ଏବେ ଭାରତ ସମେତ ସମଗ୍ର ବିଶ୍ବରେ ଆଲୋଚନାର ପ୍ରସଙ୍ଗ ହୋଇରହିଛି। ପ୍ରତି ମାସ ଅତିବାହିତ ହେବା ସହ ଏହି ସମସ୍ୟା ବଢ଼ିବାରେ ଲାଗିଛି ବୋଲି ଓରମାସ୍କ ମିଡିଆର ସିଇଓ ଶୈଳେଶ କପୁର କହିଛନ୍ତି। ମିଥ୍ୟାଖବରକୁ ନେଇ ଲୋକମାନଙ୍କ ମନରେ ରହିଥିବା ଭାବନା ବିଷୟରେ ଜାଣିବା ଲାଗି ପ୍ରତି ୬ ମାସରେ ଥରେ ଏଭଳି ସର୍ଭେ କରିବାକୁ ଏହି ସଂସ୍ଥା‌ ଯୋଜନା ପ୍ରସ୍ତୁତ କରିଛି। ଶ୍ରୀ କପୁର କହିଛନ୍ତି, ଟିଭିରେ ପ୍ରସାରିତ ହେଉଥିବା ଖବର ସମ୍ବାଦପତ୍ର ସ୍ତରରେ ରହିବ ବୋଲି ଆଶା କରାଯାଉଥିଲା। ମାତ୍ର ସେଭଳି କିଛି ହେଉନାହିଁ। ତାହା ହିଁ ସବୁଠୁ ବଡ଼ ଚିନ୍ତାର କାରଣ। ବିସିସିଏଲ୍‌ କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଶିବ କୁମାର ସୁନ୍ଦରମ୍ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ମଧ୍ୟ ସମ୍ବାଦପତ୍ର ସବୁଠୁ ବିଶ୍ବାସଯୋଗ୍ୟ ଗଣମାଧ୍ୟମ ହୋଇ ରହିବ। ଏଥିରେ ମୋର କୌଣସି ସନ୍ଦେହ ନାହିଁ। ସମ୍ବାଦପତ୍ରରେ ଯାହା ଛପା ହୋଇଥାଏ ତାହାକୁ ଭଲ ଭାବେ ଯାଞ୍ଚ କରିବା ପରେ ରିପୋର୍ଟ ପ୍ରସ୍ତୁତ କରାଯାଏ। ସେଥିପାଇଁ ଲୋକମାନେ ସୋସିଆଲ ମିଡିଆ କିମ୍ବା ଡିଜିଟାଲ୍ ମାଧ୍ୟମ‌ରେ ଯାହା ପଢ଼ିଥାନ୍ତି ତାହା ସତ ନା ନାହିଁ ଜାଣିବା ଲାଗି ସମ୍ବାଦପତ୍ରକୁ ଅପେକ୍ଷା କରୁଛନ୍ତି ବୋଲି ସେ କହିଛନ୍ତି। ଭାରତରେ ସମ୍ବାଦପତ୍ର କେବଳ ଖବର ପାଇବାର ମାଧ୍ୟମ ନୁହେଁ। ଏହା ଲୋକମାନଙ୍କ ଜୀବନର ଏକ ଅଂଶ ବୋଲି ସେ କହିଛନ୍ତି।

ସୋସିଆଲ ମିିଡିଆ ଓ ଡିଜିଟାଲ୍ ମିଡିଆର ଅଭ୍ୟୁଦୟ ହେବା ପରେ ପାରମ୍ପରିକ ଗଣମାଧ୍ୟମ ଏହାର ଚମକ ହରାଉଛି ବୋଲି‌ ଯେଉଁ ଆଲୋଚନା ହେଉଛି ତାହା ଅମୂଳକ ବୋଲି ଏହି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। ଡିଜିଟାଲ୍ ମିଡିଆର ବହୁଳ ବ୍ୟବହାର ପରେ ସୋସିଆଲ ମିଡିଆରେ ଖବରର ବିଶ୍ବାସନୀୟତା ୩୨ ପ୍ରତିଶତ ଓ ହ୍ବାଟସ୍‌ଆପ୍ ମେସେଞ୍ଜର ଆପ୍ ଆଦିରେ ୨୯ ପ୍ରତିଶତ ହ୍ରାସ ପାଇଛି। ଡିଜିଟାଲ୍ ଆପ୍ ମଧ୍ୟରେ ଟ୍ବିଟରରେ ‌ପୋଷ୍ଟ ହେଉଥିବା ଖବରକୁ ଲୋକମାନେ ଅଧିକ ବିଶ୍ବାସଯୋଗ୍ୟ ଭାବୁଛନ୍ତି। ଟ୍ବିଟର୍‌ର ସ୍କୋର ଟିଭି ସହିତ ସମାନ ୫୩ ପ୍ରତିଶତ ରହିଛି। ଟେଲିଗ୍ରାମ୍‌ର ସ୍କୋର ୩୧ ପ୍ରତିଶତ, ଫେସବୁକ୍ ୩୦ ପ୍ରତିଶତ, ଇନଷ୍ଟାଗ୍ରାମ୍ ୨୯ ପ୍ରତିଶତ ଓ ହ୍ବାଟସ୍‌ଆପ୍‌ର ସ୍କୋର ୨୮ ପ୍ରତିଶତ ରହିଛି। ବ୍ରିଟେନ୍‌ ଓ ଆମେରିକାରେ ମିଥ୍ୟା ଖବର ଯେଉଁଭଳି ସ୍ତରରେ ପହଞ୍ଚିଛି ଭାରତରେ ଏପର୍ଯ୍ୟନ୍ତ ସେଭଳି ସମସ୍ୟା ଦେଖାଦେଇନାହିଁ। ଏହି ଦେଶଗୁଡ଼ିକରେ ମିଥ୍ୟା ଖବର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରୁଛି। ଯଦି ଏହି ସମସ୍ୟାର ସମାଧାନ ନହେବ ତେବେ ଆଗାମୀ ଦିନରେ ତାହା ବହୁତ ବଡ଼ ସମସ୍ୟା ଭାବେ ଉଭା ହେବାର ଆଶଙ୍କା ରହିଛି।



from Kanak News https://ift.tt/33I6j20 https://ift.tt/33Ckoy5
ସମ୍ବାଦପତ୍ର ଖବର ସବୁଠୁ ବିଶ୍ୱାସଯୋଗ୍ୟ : ଦ୍ୱିତୀୟରେ ରେଡିଓ ; ୬୧% ଖବର ପାଠକ ମିଥ୍ୟା ଖବର ନେଇ ଚିନ୍ତିତ Kanak News ସମ୍ବାଦପତ୍ର ଖବର ସବୁଠୁ ବିଶ୍ୱାସଯୋଗ୍ୟ : ଦ୍ୱିତୀୟରେ ରେଡିଓ ; ୬୧% ଖବର ପାଠକ ମିଥ୍ୟା ଖବର ନେଇ ଚିନ୍ତିତ Kanak News Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.