ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ଆଗାମୀ ୨ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି Kanak News

କନକ ବ୍ୟୁରୋ : ଆସନ୍ତା ୨ ଦିନ ରାଜ୍ୟର ଅନେକାଂଶରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। କିନ୍ତୁ ଏହାପରେ ରାଜ୍ୟରେ ଆଉ ବିଶେଷ ବର୍ଷା ହେବ ନାହିଁ। ମୌସୁମୀ ଦୁର୍ବଳ ରହିଥିବାରୁ ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ। ୨ ଦିନ ପରେ ତାପମାତ୍ରା ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

କେନ୍ଦ୍ର ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ପାଖାପାଖି ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ। ଏଥିସହ ଆନ୍ଧ୍ରପ୍ରଦେଶ ଉପକୂଳର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଏହି ଦୁଇ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତାକାଲିଠାରୁ ଉତ୍ତର ଓଡ଼ିଶା ସମେତ ଉପକୂଳ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ବି ଆଶଙ୍କା ରହିଛି।

ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ ଓ ମୟୂରଭଞ୍ଜ ଆଦି ୧୯ ଜିଲ୍ଲାରେ କେତେକ ସ୍ଥାନରେ ଝଡ଼ତୋଫାନ ଜନିତ ବର୍ଷା ହେବ। ଏଥିସହ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ ଓ ଜଗତସିଂହପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ଆଶଙ୍କା‌ ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧ ତାରିଖ ଦିନ ମଧ୍ୟ ଏହି ସବୁ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। କଟକ ଓ ଜଗତ୍‌ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ। ଏଣୁ ଏହି ଦିନ ପାଇଁ ବି କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହା ପରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ। ଦିନର ତାପମାତ୍ରା ବି ବଢ଼ିପାରେ।

ଅପରପକ୍ଷେ, ରାଜ୍ୟରେ ମୌସୁମୀ ସ୍ଥିତିକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି, ୧ ଜୁନ୍‌ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦାୟ ୧୧୩୩.୭ମିମି ବର୍ଷା ହୋଇଛି। ଏହି ସମୟରେ ସ୍ବାଭାବିକ ଭାବେ ୧୧୪୯.୮ମିମି ବର୍ଷା ହୋଇଥାଏ। ମୌସୁମୀର ଶେଷ ପର୍ଯ୍ୟାୟ ଚାଲିଥିବା ବେଳେ ରାଜ୍ୟରେ ଏବେ ୧% କମ୍‌ ବା ସ୍ବାଭାବିକ୍‌ ବର୍ଷା ହୋଇଥିବା କୁହାଯାଇପାରେ। ଏପର୍ଯ୍ୟନ୍ତ ମାଲକାନଗିରି ଓ ଝାରସୁଗୁଡ଼ାରେ ୨୦%ରୁ ଅଧିକ ଅତିରିକ୍ତ ବର୍ଷା ହୋଇଛି।



from Kanak News https://ift.tt/3i94wIE https://ift.tt/2MowAds
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ଆଗାମୀ ୨ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି Kanak News ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହିସବୁ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା : ଆଗାମୀ ୨ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.