ସଂକ୍ରମଣ ବଢ଼ିବା ପରେ ଚେତା ପଶିଲା : ଶ୍ରୀମନ୍ଦିରରେ ଆଜିଠୁ ପୁଣି ଯାଞ୍ଚ କଡ଼ାକଡ଼ି; ପଜିଟିଭ୍ ଥାଇ ସେବାୟତ ଧରାପଡ଼ିଲେ ହେବେ ଗିରଫ Kanak News

କନକ ବ୍ୟୁରୋ : ଶ୍ରୀମନ୍ଦିର ସେବାୟତ ସଂକ୍ରମଣ ସଂଖ୍ୟା ବଢ଼ିବା ପରେ ଆକ୍ସନ୍ ମୁଡ୍ରେ ଶ୍ରୀମନ୍ଦିର ପ୍ରଶାସନ। ଆଉ କୌଣସି ପରିସ୍ଥିତିରେ ବି କାହାରିକୁ କ୍ଷମା ଦିଆଯିବନି। ସାମାନ୍ୟ ତ୍ରୁଟି ଜଣାପଡ଼ିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିରକୁ ସଂକ୍ରମଣମୁକ୍ତ ରଖିବା ତଥା ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜାକୁ ନିର୍ବିଘ୍ନରେ ସଂପାଦନ ପାଇଁ ଶ୍ରୀମନ୍ଦିର ସେବାୟତ, ଜେଟିପି, କର୍ମଚାରୀଙ୍କ କ୍ଷେତ୍ରରେ ଏଭଳି କିଛି କଡ଼ା ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। କେହି ବି ଭୁଲ୍ କଲେ ସେମାନଙ୍କୁ ଗିରଫ କରାଯିବାର ଚେତାବନୀ ବି ଦିଆଯାଇଛି। ଜେଟିପିମାନେ କାମରେ ଅବହେଳା କଲେ ନିଲମ୍ବନର ଆଦେଶ ବି ଦିଆଯାଇଛି। ଶ୍ରୀମନ୍ଦିରରେ ଯାଞ୍ଚ ବ୍ୟବସ୍ଥା ଠିକ୍ ହେଉଛି କି ନାହିଁ ତାର ତଦାରଖ ପାଇଁ ସରପ୍ରାଇଜ୍ ଭିଜିଟ୍ ପାଇଁ ଏକ ସ୍ବତନ୍ତ୍ର ଟିମ୍ ବି ଗଠନ କରାଯାଇଛି।
ଶ୍ରୀମନ୍ଦିରରେ ବର୍ତ୍ତମାନ କରୋନା ସଂକ୍ରମିତ ସେବାୟତଙ୍କ ସଂଖ୍ୟା ୪ଶହ ଡେଇଁଲାଣି। ୫୩ଜଣ ଶ୍ରୀମନ୍ଦିର କର୍ମଚାରୀ ବି ସଂକ୍ରମିତ ହୋଇ ସାରିଲେଣି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଥିବାରୁ ଶ୍ରୀମନ୍ଦିରରେ ନୀତିକାନ୍ତି ପ୍ରଭାବିତ ହେବାକୁ ବସିଲାଣି। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିରକୁ ସଂକ୍ରମଣମୁକ୍ତ ରଖିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହି ଉପଲକ୍ଷେ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲୱନ୍ତ ସିଂହ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କୁ ନେଇ ନିଜ ଆବାସିକ କାର୍ଯ୍ୟାଳୟରେ ଏକ ବୈଠକ ଡାକିଥିଲେ। ଯେଉଁଥିରେ ଶ୍ରୀମନ୍ଦିର ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟଙ୍କ ମତାମତ ନିଆଯାଇଥିଲା। ମହାପ୍ରଭୁଙ୍କ ସେବାପୂଜାକୁ ନିର୍ବିଘ୍ନରେ ସଂପାଦନ ପାଇଁ ଯାହା କିଛି ପଦକ୍ଷେପ ନିଆଯିବ, ସେଥିରେ ସମସ୍ତେ ରାଜି ବୋଲି ମତ ଦେଇଥିଲେ। ଥର୍ମାଲ୍ ସ୍କ୍ରିନିଂ, ସାନିଟାଇଜର୍ ଆଦିର ବ୍ୟବସ୍ଥା ସାଙ୍ଗକୁ ଯାଞ୍ଚ କଡ଼ାକଡ଼ି ମତ ରଖିଥିଲେ। ସେହି ଅନୁଯାୟୀ ଶ୍ରୀମନ୍ଦିରରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
from Kanak News https://ift.tt/36iC5pq https://ift.tt/3ddEIIG
No comments: