
କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା, ତାହା ହେଲା। ଚଢ଼ା ମୂଲ୍ୟରେ ବିଭିନ୍ନ ଲୁହାପଥର ଖଣି ଲିଜ୍ ନେଇଥିବା ଏକାଧିକ କମ୍ପାନି ଏବେ ଖଣି ନିୟମକୁ ବେଖାତିର କରି ଲୁହାପଥର ଷ୍ଟକ୍ ଠାରୁ ଆରମ୍ଭ କରି ଗ୍ରେଡେସନ୍ ପର୍ଯ୍ୟନ୍ତ ସବୁଥିରେ ଠକିବା ଆରମ୍ଭ କରିଛନ୍ତି। ଖଣି ନିର୍ଦ୍ଦେଶାଳୟର ଏକ ଟିମ୍ ନାରାୟଣପୋଷି, ନୂଆଗାଁ, ଜଜାଙ୍ଗ, ଗଣୁଆ ଓ ଠାକୁରାଣୀ ଲୁହାପଥର ଖଣି ପରିଦର୍ଶନ ବେଳେ ଲୁହାପଥର ଷ୍ଟକ୍ଠାରୁ ଆରମ୍ଭ କରି ଲୁହାପଥର ଗ୍ରେଡ୍ ଚିହ୍ନଟ ଏବଂ ୱେବ୍ରିଜ୍ କାରବାରରେ ଏମ୍ଏମ୍ଆର୍-୧୯୬୧ ଏବଂ ଓଡ଼ିଶା ମିନେରାଲ ରୁଲସ୍-୨୦୦୭ର ରୁଲ୍-୧୦କୁ ଅନୁସରଣ କରାଯାଉନଥିବା ପ୍ରମାଣ ପାଇଛନ୍ତି। ଗତ ୨୩ ତାରିଖରେ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଯୋଡ଼ାସ୍ଥିତ ଯୁଗ୍ମ ଖଣି ନିର୍ଦ୍ଦେଶକ ଏବଂ କୋଇଡ଼ାସ୍ଥିତ ଡେପୁଟି ଖଣି ନିର୍ଦ୍ଦେଶକଙ୍କୁ ଚିଠି ଲେଖି ତୁରନ୍ତ ଏହି ଖଣି ଗୁଡ଼ିକ ବିରୋଧରେ ଅଧିକ ରୟାଲଟି ପାଇଁ ଡିମାଣ୍ଡ ନୋଟିସ କରିବା ସହ ଓଡ଼ିଶା ମିନେରାଲ ରୁଲ୍ସ-୨୦୦୭କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ବାଳଙ୍କ ଚିଠି ନମ୍ବର-୬୬୦୫/୨୩.୯.୨୦୨୦ ଅନୁସାରେ, ଗତ ସେପ୍ଟମ୍ବର ୭ ଓ ୮ ତାରିଖରେ ଭୁବନେଶ୍ବରସ୍ଥିତ ଖଣି ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଯୋଡ଼ା ଏବଂ କୋଇଡ଼ାର ଏକାଧିକ ଲୁହାପଥର ଖଣି ପରିଦର୍ଶନ କରିଥିଲେ। ଏଥିମଧ୍ୟରେ ଜେଏସ୍ଡବ୍ଲ୍ୟୁ ମାଲିକାନାରେ ଥିବା ନାରାୟଣପୋଷି ଲୁହାପଥର ଖଣି, ନୂଆଗାଁ ଲୁହାପଥର ଖଣି, ଜଜାଙ୍ଗ ଲୁହାପଥର ଖଣି, ଗଣୁଆ ଲୁହାପଥର ଖଣି ସହ ଆର୍ସେଲର ମିତ୍ତଲ ମାଲିକାନାରେ ଥିବା ଠାକୁରାଣୀ ଲୁହାପଥର ଖଣି ଥିଲା। ପରିଦର୍ଶନ ବେଳେ ଏସବୁ ଖଣିରେ ନିର୍ଦ୍ଧାରିତ ନିୟମ ତଥା ଜିଓମେଟ୍ରିକାଲ ସେପ୍ ବା ଜ୍ୟାମିତିକ ଆକାରରେ ଷ୍ଟକ୍ ରହୁନାହିଁ। ସେହିପରି ମାଇନିଂ ପ୍ଲାନ୍ରେ ଯେଉଁଠି ଲୁହାପଥର ଷ୍ଟକ୍ କରିବା କଥା ସେଠାରେ ଲୁହାପଥର ଷ୍ଟକ୍ ହେଉନାହିଁ। ସବୁଠୁ ବଡ଼ ବେଆଇନ କାରବାର ହେଉଛି ଲୁହାପଥର ଗ୍ରେଡେସେନ୍ରେ। ଖଣି ପରିଦର୍ଶନ କରିଥିବା ଟିମ୍ ୩୩ଟି ଲୁହାପଥର ଷ୍ଟକ୍ୟାର୍ଡରୁ ୧୫ଟିର ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ସବୁଥିରେ ଷ୍ଟକ୍ ଥିବା ଲୁହାପଥର ଗ୍ରେଡ୍ ଉଚ୍ଚମାନର ଥିବାବେଳେ କାଗଜକଲମରେ କିନ୍ତୁ ନିମ୍ନମାନର ଦର୍ଶାଯାଇଥିଲା। ଏହାଦ୍ବାରା ସରକାରଙ୍କ ବ୍ୟାପକ ରାଜସ୍ବହାନି ହେଉଥିବା ଚିଠିରେ ଦର୍ଶାଯାଇଛି।
ଏହାଛଡ଼ା ଓଜନ କଣ୍ଟା ଲାଗିଥିବା ସ୍ଥାନରେ ମଧ୍ୟ ବେଆଇନ କାରବାର ହେବାର ସମ୍ଭାବନା ରହିଛି। ଲୁହାପଥର ଗ୍ରେଡ୍ ଏପଟ ସେପଟ କରିବା କାରଣରୁ ଯେତିକି ପରିମାଣରେ ସରକାରଙ୍କ ରାଜସ୍ବହାନି ହୋଇଛି ଉକ୍ତ ରୟାଲଟି ପାଇଁ ତୁରନ୍ତ ଏହିସବୁ ଲୁହାପଥର ଖଣି କମ୍ପାନିଗୁଡ଼ିକୁ ଡିମାଣ୍ଡ ନୋଟିସ ଦେବାକୁ ଖଣି ନିର୍ଦ୍ଦେଶକଙ୍କ ପକ୍ଷରୁ ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶକ ଏବଂ କୋଇଡ଼ା ଉପ ଖଣି ନିର୍ଦ୍ଦେଶକଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଓଜନ କଣ୍ଟାର କୁଇକ୍ ଡେସପ୍ୟାଚ୍ ସିଷ୍ଟମ ପାଖରେ ସମାନ ଗ୍ରେଡ୍ର ଲୁହାପଥର ଛଡ଼ାଯିବା ନେଇ କଡ଼ା ପଦକ୍ଷେପ ନେବା, ସମସ୍ତ ଷ୍ଟକ୍ ପାଖରେ ନିର୍ଦ୍ଧାରିତ ଅଧିକାରୀ ଉପସ୍ଥିତ ରହିବା ଏବଂ ଓଡ଼ିଶା ଖଣି ରୁଲ୍-୨୦୦୭କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।
from Kanak News https://ift.tt/3kTChiI https://ift.tt/3n2yj9A
No comments: