ଶବକୁ ସମ୍ମାନ ଏମିତି ! ଫ୍ରିଜର୍‌ ଅଚଳ, ଚଟାଣରେ ଚୁଚୁନ୍ଦ୍ରାଙ୍କ ମୁହଁରେ ମୃତଦେହ; ସମସ୍ୟା ବଢ଼ାଉଛି ଅଚିହ୍ନା ଶବ Kanak News

କନକ ବ୍ୟୁରୋ : କୌଣସି ପରିସ୍ଥିତିରେ ବି ଶବକୁ ଅସମ୍ମାନିତ କରାଯିବ ନାହିଁ। ସତ୍କାର ହେବା ପର୍ଯ୍ୟନ୍ତ ଯଥା ସମ୍ମାନ ଓ ମର୍ଯ୍ୟାଦା ଦିଆଯିବ। କିନ୍ତୁ ଏବେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଶବ ସଂରକ୍ଷଣ ଗୃହରେ ଅସୁରକ୍ଷିତ ହୋଇପଡ଼ୁଛି ଶବ। ଫ୍ରିଜର୍‌ ଅଚଳ ହୋଇପଡ଼ିଥିବାରୁ ଚଟାଣରେ ଗଡ଼ାଇ ଦିଆଯାଉଛି ମୃତଦେହ। ଫଳରେ ରାତିରେ ଚୁଚୁନ୍ଦ୍ରା ଓ ମୂଷାଙ୍କ ମୁହଁରେ ଶବ ଖଣ୍ଡିଆଖାବରା ହୋଇପଡ଼ୁଛି। ଏଭଳି ଉଦ୍‌ବେଗର କଥା ଦେଖିବାକୁ ମିଳୁଛି କ୍ୟାପିଟାଲ ହସ୍ପିଟାଲ‌ରେ। ପ୍ରାଶାସନିକ ଅବହେଳାରୁ ଫ୍ରିଜର୍‌ ମରାମତି କରାଯାଉନାହିଁ ଓ ମୃତଦେହକୁ ଅସମ୍ମାନିତ କରାଯାଉଛି ବୋଲି ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁସା‌ରେ, କ୍ୟାପିଟାଲ ହସ୍ପିଟାଲ୍‌କୁ ପୂର୍ବରୁ ଦୈନିକ ୩/୪ଟି ମୃତଦେହ ଆସୁଥିଲା। କିନ୍ତୁ ଏବେ ଏହି ସଂଖ୍ୟା ତିନିଗୁଣା ବୃଦ୍ଧି ପାଇଛି। ଦିନକୁ ୧୦ରୁ ୧୫ଟି ମୃତଦେହ ଆସୁଛି। ଦୁଇବର୍ଷ ତଳେ ତିଆରି ହୋଇଥିବା ଶବ ସଂରକ୍ଷଣ ଗୃହରେ ୮ଟି ଫ୍ରିଜର୍‌ ଥିଲା। ତେଣୁ ଏକକାଳୀନ ୮ ମୃତଦେହ ରଖାଯାଇପାରୁଥିଲା। କିନ୍ତୁ ଏବେ ୪ଟି ଫ୍ରିଜର୍‌ ଖରାପ ହୋଇଯାଇଛି। ତେଣୁ ମାତ୍ର ୪ଟି ମୃତଦେହ ସାଇତିବା ସମ୍ଭବ ହେଉଛି। ଫଳରେ ଯେଉଁ ସମୟରେ ଏକାଥରକେ ୧୦/୧୨ଟି ମୃତଦେହ ଆସି ଯାଉଛି ଓ ବ୍ୟବଚ୍ଛେଦ କରାଇ ପରିବାରଲୋକ ନେଇ ପାରୁନାହାନ୍ତି, ସେତେବେଳେ ସମସ୍ୟା ଉପୁଜୁଛି। ଫ୍ରିଜର୍‌ରେ ସ୍ଥାନାଭାବ କାରଣରୁ ଶବଗୁଡ଼ିକୁ ଚଟାଣରେ ପକାଇ ରଖାଯାଉଛି। ମୃତଦେହକୁ କପଡ଼ାରେ ଘୋଡ଼ାଇ ରଖିଲେ ମଧ୍ୟ ରାତିରେ ଚୁଚୁନ୍ଦ୍ରାମାନେ ଖଣ୍ଡିଆଖାବରା କରି ପକାଉଛନ୍ତି।

ବହୁ ସମୟରେ ହସ୍ପିଟାଲ୍‌କୁ ଶବ ଅଣାଯାଉଥିବା ବେଳେ ବାଟରେ ରୋଗୀର ମୃତ୍ୟୁ ଘଟୁଛି। ହସ୍ପିଟାଲରେ ରୋଗୀକୁ ରିସିଭ୍‌ ଡେଡ୍‌ ଘୋଷଣା କରାଯାଉଛି। ସେମିତି ଚିକିତ୍ସାଧୀନ ଅବସ୍ଥାରେ କିଛି ରୋଗୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କର କରୋନା ଲକ୍ଷଣ ମଧ୍ୟ ରହୁଛି। ତେଣୁ ପରୀକ୍ଷା ପରେ ଶବ ବ୍ୟବଚ୍ଛେଦ କରିବାକୁ ପଡ଼ୁଛି। ଏତେ ସଂଖ୍ୟାରେ ମୃତଦେହ ଆସୁଥିବାରୁ ଶବ ବ୍ୟବଚ୍ଛେଦ ମଧ୍ୟ ବିଳମ୍ବ ହେଉଛି ଓ ଶବ ସଂରକ୍ଷଣ ଗୃହରେ ଶବ ଅସମ୍ମାନିତ ହେଉଛି। ଫଳରେ ଅଯଥାରେ ଶବ ସତ୍କାର ମଧ୍ୟ ବିଳମ୍ବିତ ହେଉଛି। ଅଚଳ ହୋଇ ପଡିଥିବା ୪ଫ୍ରିଜର୍‌ କାମ କରୁଥିଲେ, ସମସ୍ୟା କିଛିଟା ଦୂର ହୋଇପାରନ୍ତା। ମାତ୍ର ହସ୍ପିଟାଲ ପ୍ରଶାସନ ଏ ଦିଗରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ନୂଆ ଫ୍ରିଜର୍‌ ଲଗାଇବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏଲ.ଡି ସାହୁ କହିଛନ୍ତି ଯେ ଅଚଳ ଫ୍ରିଜର୍‌କୁ ମରାମତି କରିବା ଲାଗି ସମ୍ପୃକ୍ତ ସଂସ୍ଥାକୁ ଖବର ଦିଆଯାଇଛି। କିନ୍ତୁ କେବେ ମରାମତି ହେବ ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ସଂସ୍ଥାକୁ କିଭଳି ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ।

ସମସ୍ୟା ବଢ଼ାଉଛି ଅଚିହ୍ନା ଶବ
ଏହି ପ୍ରସଙ୍ଗରେ ଅଧିକ ସମସ୍ୟା ସୃଷ୍ଟି କରୁଛି ହସ୍ପିଟାଲକୁ ଆସୁଥିବା ଅଚିହ୍ନା ଶବ। ରାସ୍ତାରୁ ଉଦ୍ଧାର ହେଉଥିବା ଅପରିଚିତ ଶବ ଓ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲକୁ ଆସିବା ପରେ ମୃତ ଘୋଷିତ ହେଉଥିବା ବ୍ୟକ୍ତିଙ୍କ ଶବ ବେଶି ସମସ୍ୟାର କାରଣ ହେଉଛି। ଅପରିଚିତ ମୃତଦେହ ଚିହ୍ନଟ ହେବା ପର୍ଯ୍ୟନ୍ତ ପୁଲିସ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖୁଛି। ବିଶେଷକରି ଏଭଳି ମୃତଦେହକୁ ୭୨ ଘଣ୍ଟାରୁ ଅଧିକ ସମୟ ରଖିବାକୁ ପଡ଼ୁଛି। ଏମିତିକି କେତେକ କ୍ଷେତ୍ରରେ ପରିଚୟ ପାଇବା ପାଇଁ ପୁଲିସକୁ ଅଧିକ ଦିନ ମୃତଦେହକୁ ସାଇତିବାକୁ ପଡ଼େ। ରାଜଧାନୀର ବହୁଚର୍ଚ୍ଚିତ ନାବାଳକ ପୁଅଙ୍କ ହାତରେ ମା’ ବିନୋଦିନୀ ମିଶ୍ରଙ୍କ ହତ୍ୟା ମାମଲାରେ ପୁଲିସ ୭ ଦିନ ପର୍ଯ୍ୟନ୍ତ ଶବ ସାଇତି ରଖିଥିଲା। ତେଣୁ ସେଗୁଡ଼ିକୁ ଆଗ ଫ୍ରିଜର୍‌ରେ ରଖିବାକୁ ପଡ଼ିଥାଏ। ଫଳରେ ଅନ୍ୟ ଶବଗୁଡ଼ିକୁ ଚଟାଣରେ ରଖିବାକୁ ପଡ଼ୁଛି।



from Kanak News https://ift.tt/3cKoPuF https://ift.tt/2HCMm5j
ଶବକୁ ସମ୍ମାନ ଏମିତି ! ଫ୍ରିଜର୍‌ ଅଚଳ, ଚଟାଣରେ ଚୁଚୁନ୍ଦ୍ରାଙ୍କ ମୁହଁରେ ମୃତଦେହ; ସମସ୍ୟା ବଢ଼ାଉଛି ଅଚିହ୍ନା ଶବ Kanak News ଶବକୁ ସମ୍ମାନ ଏମିତି ! ଫ୍ରିଜର୍‌ ଅଚଳ, ଚଟାଣରେ ଚୁଚୁନ୍ଦ୍ରାଙ୍କ ମୁହଁରେ ମୃତଦେହ; ସମସ୍ୟା ବଢ଼ାଉଛି ଅଚିହ୍ନା ଶବ Kanak News Reviewed by SUBHENDU BARAL on September 29, 2020 Rating: 5

No comments:

Powered by Blogger.