
କନକ ବ୍ୟୁରୋ : ଓଡ଼ିଶାରେ କରୋନା ମୃତ୍ୟୁ ସରକାରୀ ଭାବେ ଜାତୀୟ ହାରଠାରୁ କମ୍ ରହିଛି। ଦେଶରେ ୧୦ ଲକ୍ଷ ଜନସଂଖ୍ୟାରେ ୬୮ଜଣ କରୋନାର ଶିକାର ହେଉଥିବା ବେଳେ ଓଡ଼ିଶାରେ ୧୭ଜଣ ପ୍ରାଣ ହରାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ କରୋନା ମୃତ୍ୟୁ ହାରଠାରୁ କମ୍ ଥିବା ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ମଧ୍ୟରେ ଓଡ଼ିଶା ୧୭ ନଂ ସ୍ଥାନରେ ରହିଛି।
ଓଡ଼ିଶା ସହ ଝାଡଖଣ୍ଡରେ ମଧ୍ୟ ସମାନ ମୃତ୍ୟୁ ହେଉଛି। ତେବେ ଓଡ଼ିଶା ପରେ ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ବିହାର, ଦାଦ୍ରା ନଗରହାବେଳି ଓ ମିଜୋରାମ ରହିଛି। ମିଜୋରାମରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ରେକର୍ଡ କରାଯାଇ ନାହିଁ।
ଅପରପକ୍ଷେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ତଥ୍ୟକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ବିଭିନ୍ନ ଶ୍ମଶାନରେ ଦିନକୁ ଯେତିକି ସଂଖ୍ୟକ କରୋନା ରୋଗୀଙ୍କ ଶବଦାହ କରାଯାଉଛି, ସେହି ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହେଉନାହିଁ। ରାଜ୍ୟର ବିଭିନ୍ନ ହସ୍ପିଟାଲର ଆଇସୋଲେସନ୍ ୱାର୍ଡରେ ବହୁ ସଂଖ୍ୟାରେ ରୋଗୀ ପ୍ରାଣ ହରାଉଥିବା ନଜରକୁ ଆସୁଛି। ଏଭଳି ରୋଗୀ କେଉଁଥିରେ ପ୍ରାଣ ହରାଇଛନ୍ତି, ତାହାର ଉପଯୁକ୍ତ ତର୍ଜମା କରିବାର ଆବଶ୍ୟକତା ରହିଛି।
ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ଚିକିତ୍ସା କରୁଥିବା ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକୁ ରୋଗୀଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦିଆଯାଇଛି। ଫଳରେ ରାଜ୍ୟସ୍ତରରେ ରୋଗୀଙ୍କ ମୃତ୍ୟୁର ଅଡିଟ୍ ହୋଇପାରିବ। ମାତ୍ର ଏହି ନିର୍ଦ୍ଦେଶନାମାରେ ସରକାର ମୃତ ବ୍ୟକ୍ତିଙ୍କ କୋଭିଡ୍ ପରୀକ୍ଷା ନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଥିବା ବ୍ୟକ୍ତି କିମ୍ବା ହସ୍ପିଟାଲ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ମୃତ୍ୟୁ କିଭଳି ଚିହ୍ନଟ ହୋଇପାରିବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି।
ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଆସୁଥିବା ରିସିଭ୍ ଡେଡ୍ ବା ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯିବା ଫଳରେ ସେମାନେ ସଂକ୍ରମିତ ଥିଲେ ନା ନାହିଁ ଜଣାପଡ଼ୁଛି। ଯଦି ଏହି ବ୍ୟକ୍ତିମାନଙ୍କ କରୋନା ପରୀକ୍ଷା କରା ନଯିବ, ତାହାଲେ ରାଜ୍ୟରେ କରୋନା ମୃତ୍ୟୁ ଜନିତ ଉପଯୁକ୍ତ ତଥ୍ୟ ସାମ୍ନାକୁ ଆସିପାରିବ ନାହିଁ ବୋଲି ଗୋଟିଏ ମହଲ ମତ ରଖୁଛନ୍ତି।
from Kanak News https://ift.tt/3idNj0Q https://ift.tt/2S0E890
No comments: