୨୮ ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ : ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ମହାମାରୀ ଆଇନ ଅଧ୍ୟାଦେଶରେ ବ୍ୟବସ୍ଥା: ନରସିଂହ Kanak News

କନକ ବ୍ୟୁରୋ : କୋଭିଡ ଚିକିତ୍ସା ପାଇଁ ମେଡିକାଲ ସାମଗ୍ରୀ କିଣାରେ ରାଜ୍ୟ ସରକାରଙ୍କ କିଛି ଅଧିକାରୀ ଦୁର୍ନୀତି କରିଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ପାଖରେ ମାମଲା ଦାୟର ହୋଇଛି। ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କିପରି ଆଇନ ବଳରେ ସୁରକ୍ଷା ଦିଆଯାଇପାରିବ ତାର ପୂରା ବ୍ୟବସ୍ଥା କରିଛନ୍ତି ସରକାର। ଅର୍ଥାତ୍ ଜୁଲାଇ ମାସରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମାମଲା ଦାୟର ହେବା ପରେ ଅଗଷ୍ଟ ମାସରେ ମହାମାରୀ ଆଇନରେ ସଂଶୋଧନ କରି ସେହି ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଅଧ୍ୟାଦେଶ କାର୍ଯ୍ୟକାରୀ କରିଛନ୍ତି। ଏହା କିପରି ?
ଏ ନେଇ ଆସନ୍ତା ମୌସୁମୀ ଅଧିବେଶନରେ ସରକାରଙ୍କୁ ଜବାବ ମାଗିବ କଂଗ୍ରେସ। ସରକାରଙ୍କ ନୀତି ଉପରେ କ୍ଷୋଭ ପ୍ରକାଶ କରି ଏପରି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଆସନ୍ତା ୨୮ ତାରିଖ ଦିନ ସନ୍ଧ୍ୟା ୫ଟାରେ ଶ୍ରୀ ମିଶ୍ରଙ୍କ ସରକାରୀ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରୀ ମିଶ୍ର ଦର୍ଶାଇଛନ୍ତି, ରାଜ୍ୟ ସରକାର କରୋନା ମହାମାରୀକୁ ନିୟନ୍ତ୍ରଣ ଓ ଚିକିତ୍ସା ସେବା ପାଇଁ ଗତ ଏପ୍ରିଲ୍ ମାସ ୭ ତାରିଖରେ ମହାମାରୀ ଆଇନ ସଂଶୋଧନ କରିଥିଲେ। ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ନେଇ ତଥ୍ୟ ପ୍ରମାଣ ସାମାନାକୁ ଆସିବା ପରେ ଗତ ଜୁଲାଇ ୨୭ ତାରିଖରେ ମାନ୍ୟବର ଲୋକାୟୁକ୍ତଙ୍କ ପାଖରେ ମାମଲା ଦାଖଲ ହେଲା। ଏହି ଦୁର୍ନୀତିର ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ନେଇ ବି ଅଭିଯୋଗ ହୋଇଛି। ଲୋକାୟୁକ୍ତ ଆଇନ ବଳରେ କାଳେ ସରକାର ଅକଳରେ ପଡ଼ିବେ ସେଥିପାଇଁ ପରେ ଅଗଷ୍ଟ ମାସରେ ମହାମାରୀ ଅଧ୍ୟାଦେଶ ୨୦୨୦କୁ କ୍ୟାବିନେଟ୍ ଅନୁମୋଦନ କରାଇଲେ।
ସମ୍ପୃକ୍ତ ଅଧ୍ୟାଦେଶ ନମ୍ବର ୧୦/୨୦୨୦କୁ ସାରା ରାଜ୍ୟରେ ଲାଗୁ କରିବା ନେଇ ଗତ ଅଗଷ୍ଟ ମାସ ୩୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଲା। ଏହି ଅଧ୍ୟାଦେଶରେ ବ୍ୟବସ୍ଥା ଅନୁଯାୟୀ, ଜଣେ ଅଧିକାରୀ ଯଦି କୌଣସି ଆଇନ ଉଲଂଘନ କରିଥାନ୍ତି, ତାହେଲେ ତାଙ୍କ ବିରୋଧରେ ଧର୍ତ୍ତବ୍ୟ ଓ ଜାମିନଦାର ଫୌଜଦାରୀ ମାମଲା ଦାୟର କରାଯାଇପାରିବ। ଯେଉଁଥିରେ ୨ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ସହିତ ଜରିମାନା ଆଦାୟ କରିବା ବ୍ୟବସ୍ଥା ରହିଛି।
କିନ୍ତୁ ଏଥିରେ ରାଜ୍ୟ ସରକାର ମଧ୍ୟ ଚାହିଁଲେ ସମ୍ପୃକ୍ତ ଅଧିକାରୀଙ୍କୁ ବଞ୍ଚାଇବାକୁ ଯାଇ ମାମଲାର ରଫାଦଫା କରିପାରିବେ। ସମ୍ପୃକ୍ତ ଦୋଷୀ ଅଧିକାରୀ ତାଙ୍କ ଅପରାଧ ପାଇଁ ଅର୍ଥ ଜମା କରିବା ପରେ ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲା ଆଉ ଚାଲିବ ନାହିଁ। ଅର୍ଥାତ୍ ମୁଦାଲାକୁ ଖଲାସ କରିବାକୁ ସରକାର ସବୁ ପ୍ରକାର ବ୍ୟବସ୍ଥା ଆଇନରେ କରିସାରିଛନ୍ତି।
ସେହିପରି କରୋନା ପରିଚାଳନାରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। କେଉଁ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯିବ ସେ ନେଇ ଆସନ୍ତା ବିଧାୟକ ଦଳ ବୈଠକରେ ସ୍ଥିର କରାଯିବ। ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍ କିପରି ଚାଷୀ ବିରୋଧୀ ଓ ବିଜେଡି ସଂସଦରେ କିପରି ଏହି ବିଲ୍କୁ ସମର୍ଥନ ଦେଇଛି ତାକୁ ନେଇ ମଧ୍ୟ ସ୍ୱର ଉଠିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।
from Kanak News https://ift.tt/3ib17ZM https://ift.tt/3mWO8yA
No comments: