ମହାମାରୀରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା : ସମାନ ଟଙ୍କାରେ ପୂର୍ବାପେକ୍ଷା ମିଳୁଛି ବହୁତ କମ୍ ଜିନିଷ; ପନିପରିବା ଦର‌ ବଢ଼ାଇଲା ଚିନ୍ତା Kanak News

କନକ ବ୍ୟୁରୋ : କରୋନା ମହାମାରୀ ଗୋଟିଏ ପଟେ ଲୋକମାନଙ୍କ ଆୟକୁ ସଙ୍କୁଚିତ କରିଥିବା ବେଳେ କିଛି ଦିନ ଭିତରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦରରେ ହୋଇଥିବା ବୃଦ୍ଧି ସେମାନଙ୍କ ଚିନ୍ତା ବଢ଼ାଇଛି। ଲୋକାଲ୍ ସର୍କଲସ୍‌ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ‌ ଦେଶର ପ୍ରାୟ ସବୁ ସ୍ଥାନରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହୋଇଛି। ସର୍ଭେରେ ଭାଗ ନେଇଥିବା ୭୩ ପ୍ରତିଶତ ପରିବାର କହିଛନ୍ତି ଯେ ପୂର୍ବାପେକ୍ଷା ସମାନ ଟଙ୍କା ଖର୍ଚ୍ଚ କଲେ କମ୍ ସାମଗ୍ରୀ ଘରକୁ ଆସୁଛି। ଅନେକ ରାଜ୍ୟରେ ପନିପରିବା ଦାମ୍‌ରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି।

ଦେଶର ୨୧୬ଟି ଜିଲ୍ଲାର ୧୫୦୦୦ରୁ ଅଧିକ ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଟମୋଟୋ, ପିଆଜ ଓ ଆଳୁର ଦାମ୍ କେତେ ରହିଛି ବୋଲି ‌ଲୋକମାନଙ୍କୁ ପ୍ରଶ୍ନ କରାଯାଇଥିଲା। ୪୦ ପ୍ରତିଶତ ଲୋକ ଉତ୍ତର ଦେଇଥିଲେ ଯେ ଏକ କେଜି ଟମାଟୋ କିଣିବା ଲାଗି ସେମାନଙ୍କୁ ୭୦ ଟଙ୍କା, ଆଳୁ ପାଇଁ ୩୫ ଟଙ୍କା ଓ ପିଆଜ ପାଇଁ ୩୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ୧୯ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ୪୦-୬୦ ଟଙ୍କା ଭିତରେ ଏକ କେଜି ଟମାଟୋ କିଣିଛନ୍ତି। ସେମାନଙ୍କ ପାଇଁ ଆଳୁର କେଜି ପ୍ରତି ଦର ୨୦-୨୯ ଟଙ୍କା ଓ ପିଆଜ ଦାମ୍ ୧୫-୨୪ ଟଙ୍କା ରହିଛି । ବିଗତ ୬ ମାସ ଭିତରେ ପରିବାର ଖର୍ଚ୍ଚରେ କିଭଳି ପରିବର୍ତ୍ତନ ହୋଇଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ୪୪ ପ୍ରତିଶତ ଲୋକ କହିଥିଲେ ଯେ ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ କମ୍ ଜିନିଷ ପାଉଛନ୍ତି। ୧୦ ପ୍ରତିଶତ ଲୋକ କହିଛନ୍ତି ଯେ ସମାନ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୂର୍ବାପେକ୍ଷା କମ୍ ସାମଗ୍ରୀ ମିଳୁଛି ।

୧୭ ପ୍ରତିଶତ ଲୋକ କହିଛନ୍ତି ସେମାନେ ସମାନ ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ପୂର୍ବଭଳି ସମାନ ପରିମାଣର ସାମଗ୍ରୀ ପାଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ହୋଇଥିବା ବୃଦ୍ଧିର ପ୍ରମୁଖ କାରଣ ହେଉଛି ଅତ୍ୟଧିକ ବର୍ଷା, ଶ୍ରମିକ ଅଭାବ ଓ ଡିଜେଲ୍ ମହଙ୍ଗା ହେବାରୁ ପରିବହନ ଖର୍ଚ୍ଚରେ ବୃଦ୍ଧି। ମହାମାରୀ ସମୟରେ ଅନେକ ଲୋକ ଜୀବିକା ହରାଇଥିବାରୁ ସେମାନଙ୍କ ଆୟ କମିଯାଇଛି କିମ୍ବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏଭଳି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବା ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଦେଶରେ ଲକ୍‌ଡାଉନ୍ ଲାଗୁ କରାଯାଇଥିବା ମାର୍ଚ୍ଚ ଓ ଏପ୍ରିଲ୍‌ରେ ଲୋକମାନେ ଅଧିକ ଦାମ୍ ଦେଇ ପନିପରିବା ଓ ପ୍ୟାକେଟ୍‌ରେ ଥିବା ଖାଦ୍ୟ ସାମଗ୍ରୀ କିଣିଥିଲେ ବୋଲି କହିଛନ୍ତି। ଅନ୍ୟ କେତେକ ସ୍ଥାନରେ ସାମଗ୍ରୀର ଅଭାବ ଦେଖାଦେବାରୁ ଏମ୍‌ଆର୍‌ପି ଠାରୁ ଅଧିକ ଦାମ୍‌ରେ ଜିନିଷ ବିକ୍ରି ହୋଇଥିଲା ବୋଲି ସର୍ଭେରେ ଭାଗ ନେଇଥିବା ଲୋକମାନେ କହିଛନ୍ତି।



from Kanak News https://ift.tt/2FzVDKm https://ift.tt/3inD6j7
ମହାମାରୀରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା : ସମାନ ଟଙ୍କାରେ ପୂର୍ବାପେକ୍ଷା ମିଳୁଛି ବହୁତ କମ୍ ଜିନିଷ; ପନିପରିବା ଦର‌ ବଢ଼ାଇଲା ଚିନ୍ତା Kanak News ମହାମାରୀରେ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା : ସମାନ ଟଙ୍କାରେ ପୂର୍ବାପେକ୍ଷା ମିଳୁଛି ବହୁତ କମ୍ ଜିନିଷ; ପନିପରିବା ଦର‌ ବଢ଼ାଇଲା ଚିନ୍ତା Kanak News Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.