ପୁରୁଣା ଟିଭିକୁ ନେଇ କୋଟିଏ ଟଙ୍କାର ବେଟିଂ : ନାଲି ବଲ୍‌ବର ମାୟା, ଖୋଜାଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ Kanak News

କନକ ବ୍ୟୁରୋ : ଘରେ ପୁରୁଣା ଟିଭି ଅଛି କି? ଯଦି ଅଛି, ଏଥିରେ ନାଲି ବଲ୍‌ବ ଅଛି ନାଁ ନାହିଁ ଦେଖ। ଯଦି ଅଛି କେତେ ଟଙ୍କା ନେବ କୁହ। ଆମେ ୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛୁ। ବେଶ୍‌ କିଛି ମାସ ହେବ ପୁରୀ ଜିଲ୍ଲାରେ ଏଭଳି କିଛି ବେଟିଂ ଚାଲିଛି ପୁରୁଣା ‌ଟିଭିକୁ ନେଇ। ଯେଉଁଥି ପାଇଁ ଗାଁ’ଠୁ ସହର ସବୁଠି ଏବେ ପୁରୁଣା ଟିଭି ଖୋଜାଚାଲିଛି। ହନୁମାନ ପଇସା ଭଳି ପୁରୁଣା ଟିଭିର ଏହି ଗୋଲକ ଧନ୍ଦା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏହି ନାଲି ବଲ୍‌ବରେ ଏମିତି କ’ଣ ଅଛି ଯେ ଲୋକେ ୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି, ଯାହାର କାରଣ ଏବେ ବି ରହସ୍ୟ ଭିତରେ ରହିଛି।

ପୁରୀ ଜିଲ୍ଲାରେ ୫ ମାସ ତଳୁ ପୁରୁଣା ଟିଭିକୁ ନେଇ ଏହି ଚର୍ଚ୍ଚା ଆରମ୍ଭ ହେଲାଣି। ଟିଭିର ଏହି ନାଲି ବଲ୍‌ବ ପଛରେ ଦୌଡ଼ିଥିବା ଦଲାଲମାନେ ୧୯୯୪ ମସିହା ପୂର୍ବର ଟିଭିକୁ ଖୋଜିବା ଆରମ୍ଭ କରିଛନ୍ତି। ସେ ସମୟରେ ଓନିଡା, କୋଣାର୍କ ଆଦି ଟିଭି ଆସୁଥିଲା। ଘରେ ଘରେ ଯାହା ଏବେ ଅଦରକାରୀ ବସ୍ତୁ ଭାବେ ପଡ଼ିରହିଛି। ଦଲାଲମାନଙ୍କ କହିବା ହେଲା, ଏହି ଟିଭିର ମଦର ବୋର୍ଡ଼ରେ ଏକ ନାଲି ବଲ୍‌ବ (ଫ୍ୟୁଜ୍‌ ଭଳି) ରହିଛି, ଯେଉଁଥିରେ କିଛି ଲିକ୍ୟୁଇଡ୍‌ ରହିଛି। ଯାହା ଅମୂଲମୂଲ। ୧୯୯୪ ମସିହା ପୂର୍ବରୁ ଆସୁଥିବା ଟିଭିମାନଙ୍କରେ କାଚର ନାଲି ବଲ୍‌ବ ରହିଥିଲା। ଏବକା ଟିଭିରେ ଆଉ ଏହି ବଲ୍‌ବ ନାହିଁ।

କେବଳ ଟିଭି ନୁହେଁ, ୧୯୯୪ ମସିହା ପୂର୍ବରୁ ରେଡିଓ ବି ଖୋଜା ଚାଲିଛି। କୁଆଡ଼େ ରେଡ଼ିଓରେ ବି ଏହି ନାଲିର ବଲ୍‌ବ ରହିଛି। ଟିଭି ବଲ୍‌ବ ଭଳି ରେଡିଓରେ ଥିବା ନାଲି ବଲ୍‌ବ ଦାମ ବି ସମାନ ଦରରେ ବେଟିଂ କରାଯାଉଛି। ଗାଁଠୁ ସହର ଏବେ ସମସ୍ତେ ଏହି ଟିଭି ଓ ରେଡିଓ ପଛରେ ଦୌଡ଼ୁଛନ୍ତି। ଯେଉଁମାନେ ପୁରୁଣା ଟିଭି, ରେଡିଓ ଆଦି ରଖିଛନ୍ତି, ସେମାନେ ବି ଏହାକୁ ଖୋଲି ନାଲି ବଲ୍‌ବ ଖୋଜିବା ଆରମ୍ଭ କରି ଦେଇଛନ୍ତି। କୋଟିଏ ଲୋଭରେ ଏବେ ଗାଁ ଗାଁରେ ଯୁବଗୋଷ୍ଠୀମାନେ ପୁରୁଣା ଟିଭି, ରେଡିଓ ଖୋଜିବା ଆରମ୍ଭ କରିଦେଇଛନ୍ତି। ଏହି ବେଟିଂ ପଛରେ ଏକ ରାକେଟ୍‌ କାମ କରୁଥିବା ଜଣାପଡ଼ିଛି।

କେହି କେହି ଏହି ନାଲି ବଲ୍‌ବ ଭିତରେ ଥିବା ତରଳ ପଦାର୍ଥ ପରମାଣୁ ବୋମା ତିଆରିରେ ବ୍ୟବହାର କରାଯାଉଥିବା କହୁଥିବାବେଳେ ଆଉ କେହି କେହି ସାଟେଲାଇଟ୍‌ ପାଇଁ ବ୍ୟବହାର ହେଉଥିବା କହୁଛନ୍ତି। ଚୀନ୍‌ ଜିନିଷ ବନ୍ଦ ହୋଇଯିବା ପରେ ଭାରତର ବଜାର ଚାହିଦା ପୂରଣ ହୋଇପାରୁନି। ଯେଉଁଥିପାଇଁ ଏହି ସବୁ ପୁରୁଣା ଜିନିଷ ଖୋଜାଚାଲିଛି ବୋଲି କେହି କେହି କହୁଛନ୍ତି। କିନ୍ତୁ ଏହାର ସତ୍ୟାସତ୍ୟ ଜଣାପଡ଼ିନି। ଜିଲ୍ଲା ପ୍ରଶାସନ ହେଉ କି ପୁଲିସ ପ୍ରଶାସନ ଏହି ରହସ୍ୟକୁ ଖୋଜି ବାହାର କରିବା ସହ ଟଙ୍କା ଲୋଭରେ ଦୌଡ଼ୁଥିବା ଯୁବଗୋଷ୍ଠୀଙ୍କ ସନ୍ଦେହ ଦୂର କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।



from Kanak News https://ift.tt/3hpH8WR https://ift.tt/32t5vi0
ପୁରୁଣା ଟିଭିକୁ ନେଇ କୋଟିଏ ଟଙ୍କାର ବେଟିଂ : ନାଲି ବଲ୍‌ବର ମାୟା, ଖୋଜାଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ Kanak News ପୁରୁଣା ଟିଭିକୁ ନେଇ କୋଟିଏ ଟଙ୍କାର ବେଟିଂ : ନାଲି ବଲ୍‌ବର ମାୟା, ଖୋଜାଚାଲିଛି ୧୯୯୪ ପୂର୍ବର ଟିଭି, ରେଡିଓ Kanak News Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.