ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର୍ ଗଡ଼ିବ କେବେ ? ଦିନମଜୁରିଆଙ୍କ ଜୀବନରେଖା, ଏବେ ଶହଶହ ଶ୍ରମିକ ଭୋକିଲା Kanak News

କନକ ବ୍ୟୁରୋ : ଶହଶହ ଦିନମଜୁରିଆଙ୍କ ଜୀବନରେଖା ଭଦ୍ରକ-ଭୁବନେଶ୍ବର ପାସେଞ୍ଜର୍। କରୋନା ପାଇଁ ଆମ ରାଜ୍ୟର ଜିଲ୍ଲାଗୁଡ଼ିକ ମଧ୍ୟରେ ଚାଲୁଥିବା ଡିଏମୟୁ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ ଏହି ‌ଟ୍ରେନ୍‌କୁ ମଧ୍ୟ ଚାଲୁ କରାଯାଇନାହିଁ। ତେବେ, ଏଥିଯୋଗୁ ଭଦ୍ରକ ଓ ଯାଜପୁରର ଶହଶହ ଦିନମଜୁରିଆ ଓ କର୍ମଚାରୀଙ୍କ ଦୈନନ୍ଦିନ ଜୀବିକା ଉପରେ ଏହାର ପ୍ରଭାବ ପଡ଼ିଛି। ଶ୍ରମିକମାନେ କାମ କରିବାକୁ ଯାଇ ନଥିବାରୁ ଆର୍ଥିକ ଦୁଃସ୍ଥିତି ମଧ୍ୟ‌ ଦେଇ ଗତି କରୁଛନ୍ତି।

ଭଦ୍ରକ ଷ୍ଟେସନରୁ ସକାଳ ୬.୧୫ ମିନିଟରେ ଛାଡ଼ୁଥିଲା ଭଦ୍ରକ-ଭୁବନେଶ୍ବର ପାସେଞ୍ଜର। ବାଟରେ ବାଉଦପୁର, କେନ୍ଦୁପଦା, ମଞ୍ଜୁରୀ ରୋଡ୍‌, ଦୁଲଖପାଟଣା, ବୈତରଣୀ ରୋଡ୍‌ ଆଦି ଷ୍ଟେସନରୁ ‌ଟ୍ରେନ୍‌ରେ ଚଢ଼ୁଥିଲେ ଶହଶହ ଯାତ୍ରୀ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଓ ଦିନମଜୁରିଆ। ସେହିପରି ବହୁ ସରକାରୀ ଓ ବେସରକାରୀ ଚାକିରିଆ ମଧ୍ୟ ଏହି ଟ୍ରେନ୍‌ରେ କଟକ, ଭୁବନେଶ୍ବର ଯାତ୍ରା କରୁଥିଲେ। ଟ୍ରେନ୍‌ରେ ଚଢ଼ିଥିବା ସିଂହଭାଗ ଶ୍ରମିକ ଯାଜପୁର ଓ କେନ୍ଦୁଝର ରୋଡ୍‌ ଷ୍ଟେସନ୍‌ରେ ଓହ୍ଲାଉଥିଲେ। ସେମାନେ ଗୋପବନ୍ଧୁ ଛକରେ ଥିବା ଶ୍ରମିକ ହାଟରେ ଏକାଠି ହେଉଥିଲେ। ସେଠାରୁ ନିଜ ନିଜ କର୍ମକ୍ଷେତ୍ରକୁ ଯାଉଥିଲେ। ଅନ୍ୟମାନେ କଟକ ପୂର୍ବରୁ ପଡ଼ୁଥିବା କେନ୍ଦ୍ରାପଡ଼ାରୋଡ୍‌ ଷ୍ଟେସନ୍‌ରେ ଓହ୍ଲାଉଥିଲେ। ଏହି ‌ଷ୍ଟେସନ୍‌ଠାରୁ ଅନତିଦୂରରେ ଜଗତପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ରହିଛି। ସେଠାକୁ ବହୁ ଶ୍ରମିକ କାମ କରିବାକୁ ଯାଉଥିଲେ। ସେହିପରି ଭଦ୍ରକ ଓ ଯାଜପୁର ଜିଲ୍ଲାର ବହୁ ଲୋକେ ସ୍ବାସ୍ଥ୍ୟସେବା ପାଇଁ ଏହି ଟ୍ରେନ୍‌ରେ କଟକ ବଡ଼ଡାକ୍ତରଖାନା ଓ ଭୁବନେଶ୍ବର ଯାଉଥିଲେ। ଟ୍ରେନ୍‌ରେ ଲୋକପ୍ରିୟତା ଏତେ ଥିଲା ଯେ ଏହା ଭୁବନେଶ୍ବରଠାରୁ ପୁଣି ଭୁବନେଶ୍ବର-ବ୍ରହ୍ମପୁର ପାସେଞ୍ଜର ହୋଇ ଚଳାଚଳ କରୁଥିଲା। ଭଦ୍ରକରୁ ଯାଜପୁର କେନ୍ଦୁଝର ରୋଡ୍‌ ଷ୍ଟେସନ୍‌ ପର୍ଯ୍ୟନ୍ତ ଟ୍ରେନ୍‌ ଟିକଟ ମୂଲ୍ୟ ୧୦ଟଙ୍କା ଥିବାବେଳେ କଟକକୁ ୩୦ ଟଙ୍କା ଏବଂ ଭୁବନେଶ୍ବର ଭଡ଼ା ୪୦ ଟଙ୍କା ଥିଲା। ଫଳରେ ସ୍ବଳ୍ପ ଖର୍ଚ୍ଚରେ ଲୋକେ କଟକ, ଭୁବନେଶ୍ବର ଯାଇପାରୁଥିଲେ। ସେହିପରି ଟ୍ରେନ୍‌ରେ ପ୍ରତିଦିନ ଯାତାୟାତ କରୁଥିବା ଶ୍ରମିକ ଓ ଚ‌ାକିରିଆ ଥିଲେ ଏମ୍‌ଏସ୍‌ଟି ପାସ୍‌ଧାରୀ। ଏହି ଏମ୍‌ଏସ୍‌ଟିର ମୂଲ୍ୟ ୧୦୦ରୁ ୨୦୦ ଟଙ୍କା ମଧ୍ୟରେ ଥିଲା।

କରୋନା ପାଇଁ ଭଦ୍ରକ-ଭୁବନେଶ୍ବର ପାସେଞ୍ଜର ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। କେବଳ ବସ୍‌ ଚାଲୁଛି। କରୋନା ପାଇଁ ଭଦ୍ରକରୁ ଯାଜପୁର ରୋଡ୍‌କୁ ବସ୍‌ ଭଡ଼ା ୭୦ ଟଙ୍କା ଥିବାବେଳେ କଟକ ଓ ଭୁବନେଶ୍ବରକୁ ୧୫୦ରୁ ୨୦୦ ଟଙ୍କା ରହିଛି। ଅର୍ଥାତ ଯେଉଁ ଶ୍ରମିକମାନେ କଟକ, ଭୁବନେଶ୍ବର ମାସ ସାରା ଯାତାୟାତ କରିବା ପାଇଁ ୩୦୦ ଟଙ୍କା ଖର୍ଚ୍ଚ କରୁଥିଲେ ଏବେ କିନ୍ତୁ ଦିନକୁ ବସ୍‌ ଭଡ଼ା ଦେବାକୁ ପଡ଼ିବ ୩୦୦ରୁ ୪୦୦ ଟଙ୍କା। ସେହିପରି ଯାଜପୁର ରୋଡ୍‌ ଯାତାୟାତ କରିବା ପାଇଁ ୨୦ ଟଙ୍କା ପରିବର୍ତ୍ତେ ୧୦୦ରୁ ୧୪୦ରୁ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିବ। ଫଳରେ ସହରାଞ୍ଚଳରେ ନିର୍ମାଣ କାମ ଓ କଳ କାରାଖାନା ଖୋଲିଥିଲେ ମଧ୍ୟ ଲୋକେ କାମ କରିବାକୁ ଯାଇପାରୁ ନାହାନ୍ତି। ଏପରିକି ଗରିବ ରୋଗୀମାନେ ସ୍ବାସ୍ଥ୍ୟସେବା ପାଇଁ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ପାରୁନାହାନ୍ତି।

କରୋନା ପାଇଁ ଘରକୁ ଫେରି ଆସିଥିବା ପ୍ରବାସୀ ଓଡ଼ିଆମାନେ ମାସ ମାସ ଧରି ଘରେ ବସିବା ପରେ ଏବେ ପୁଣି ଜୀବିକା ପାଇଁ କାମ କରିବାକୁ ସୁରଟ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ ମୁହାଁ ହୋଇଛନ୍ତି। ସୁରଟ ପାଇଁ ସରକାର ୩ଟି ସ୍ବତନ୍ତ୍ର ଟ୍ରେନ୍‌ ଚଲାଉଛନ୍ତି। କୋଲକାତା, ସିକନ୍ଦରାବାଦ, ବେଙ୍ଗାଲୁରୁ ଓ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଟ୍ରେନ୍‌ ଗଡ଼ୁଛି। କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଦିନ ମଜୁରିଆମାନେ ନିର୍ଭର କରୁଥିବା ଭଦ୍ରକ-ଭୁବନେଶ୍ବର ପାସେଞ୍ଜର କିନ୍ତୁ ଆଜି ପର୍ଯ୍ୟନ୍ତ ଚାଲିପାରିଲା ନାହିଁ। କାମ କରିବାକୁ ଇଚ୍ଛା ଥିଲେ ଗମନାଗମନ ସୁବିଧା ନଥିବାରୁ ଦିନ ମଜୁରିଆମାନେ ଘରେ ହାତବାନ୍ଧି ବସିଛନ୍ତି। ଦିନକୁ ଦିନ ଭୟଙ୍କର ହେଉଛି ଏହି ଦିନମଜୁରିଆ ପରିବାରଙ୍କ ଦୈନଦିନ ଜୀବନଚର୍ଯ୍ୟା। ଏହା ପ୍ରତି ଗୁରୁତ୍ବର ସହିତ ତୁରନ୍ତ ଧ୍ୟାନ ଦେବାକୁ ବୁଦ୍ଧିଜୀବୀ ମହଲ‌ରେ ମତ ପ୍ରକାଶ ପାଇଛି।



from Kanak News https://ift.tt/3md5GpP https://ift.tt/3htipkk
ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର୍ ଗଡ଼ିବ କେବେ ? ଦିନମଜୁରିଆଙ୍କ ଜୀବନରେଖା, ଏବେ ଶହଶହ ଶ୍ରମିକ ଭୋକିଲା Kanak News ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର୍ ଗଡ଼ିବ କେବେ ? ଦିନମଜୁରିଆଙ୍କ ଜୀବନରେଖା, ଏବେ ଶହଶହ ଶ୍ରମିକ ଭୋକିଲା Kanak News Reviewed by SUBHENDU BARAL on September 13, 2020 Rating: 5

No comments:

Powered by Blogger.