ସୁସ୍ଥ ପରେ ବି ଟଳୁନି ସମସ୍ୟା : ସୁସ୍ଥ ହେବାର ୧୫ଦିନ ପରେ ପୁଣି ହସ୍ପିଟାଲରେ ଭର୍ତି ହେଲେ ମହିଳା; ରାଜ୍ୟର ୧୫-୨୦% ରୋଗୀ କୋଭିଡ୍‌ ପରବର୍ତୀ ସମସ୍ୟାର ଶିକାର Kanak News

କନକ ବ୍ୟୁରୋ : କ‌ରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ସମସ୍ୟା ଟଳୁନାହିଁ। ରୋଗୀଙ୍କ ଶରୀରରେ ପ୍ରବଳ ଜ୍ବର ସହିତ ନିମୋନିଆ ହେଉଛି। ଫଳରେ ରୋଗୀଟିଏ ଅସୁସ୍ଥ ହୋଇପଡ଼ୁଛି। ରାଜଧାନ‌ୀରେ କୋଭିଡ୍‌ରୁ ମୁକ୍ତ ହୋଇଥିବା ଜଣେ ମହିଳା କୋଭିଡ୍‌ ପରବର୍ତୀ ସମସ୍ୟା ବା ପୋଷ୍ଟ କୋଭିଡ୍‌ କମ୍ପ୍ଲିକେସନ୍‌ ପାଇଁ ପୁନର୍ବାର ହସ୍ପଟାଲରେ ଭର୍ତି ହୋଇଥିବା ନଜରକୁ ଆସିଛି।

ରାଜଧାନୀର ଜଣେ ମହିଳା ଗତ ମାସ ୧୧ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ। ତାଙ୍କ ଦେହରେ ଲକ୍ଷଣ ନ ଥିବାରୁ ଗୃହ ପୃଥକବାସ ବା ହୋମ୍ ଆଇସୋଲେସନ୍‌ରେ ରହିଥିଲେ। ପ୍ରାୟ ୨୦ଦିନ ପରେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଏହାର ୭/୮ଦିନ ପରେ ପୁଣିଥରେ ଅସୁସ୍ଥ ହୋଇପଡ଼ିଥିଲେ। ଦେହରେ ଜ୍ବର ହେବା ସହ ନିମୋନିଆ ହୋଇଥିଲା। ଏହି ସମୟରେ ଜଣେ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପରେ ଡାକ୍ତର ତାଙ୍କୁ ସିଟି-ସ୍କାନ୍ କରିବା ପାଇଁ ପରାମର୍ଶ ଦେଇଥିଲେ। ସିଟି-ସ୍କାନରେ ତାଙ୍କର ନିମୋନାଇଟିସ୍ ଥିବା ଜଣାପଡ଼ିଥିଲା। ବାମ ଫୁସଫୁସ୍ ୧୦ପ୍ରତିଶତ ଓ ଦକ୍ଷିଣ ଫୁସ୍‌ଫୁସ୍ ୧୦-୨୦ପ୍ରତିଶତ କ୍ଷତିଗ୍ରସ୍ତ ହୋଇଥିବା ନଜରକୁ ଆସିଥିଲା। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଆଡିମଟ୍‌ କରାଯାଇଥିବା ସୂଚନା ମିଳିଛି।

ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର‌(ବୈଷୟିକ) ଡା. ଜୟନ୍ତ ପଣ୍ଡା କହିଛନ୍ତି, କରୋନା ଭୂତାଣୁ କେବଳ ଫୁସ୍‌ଫୁସ୍‌ ନୁହେଁ ହୃଦୟ, ଧମନୀ, ଯକୃତ, ମସ୍ତିଷ୍କ, ଅଗ୍ନାଶୟକୁ ମଧ୍ୟ କ୍ଷତିଗ୍ରସ୍ତ କରୁଛି। ଫଳରେ ଫାଇବ୍ରୋସିସ୍ ହେଉଛି। ଏହାଦ୍ବାରା ଲୋକାମାନେ ଧଇଁସଇଁ ହୋଇପଡ଼ିବା ସହ ଚାଲିବାରେ କଷ୍ଟ ଅନୁଭବ କରୁଛନ୍ତି। ଅନେକ ରୋଗୀଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍‌ ପରବର୍ତୀ ସମସ୍ୟା ପାଇଁ ଏକ ଗାଇଡଲାଇନ୍ ଜାରି ହୋଇଛି। ଏଭଳି ସମସ୍ୟାର ଶିକାର ବ୍ୟକ୍ତିମାନଙ୍କୁ ଫିଜିଓଥେରାପି, ଷ୍ଟେରଏଡ୍‌ ଦିଆଯାଇପାରେ। ରାଜ୍ୟର ୧୫-୨୦ ପ୍ରତିଶତ ଗୁରୁତର ରୋଗୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ଦୀର୍ଘଦିନ ଧରି ଅସୁସ୍ଥ ହେବା ଫଳରେ ଆଇସିୟୁ/ଭେଣ୍ଟିଲେଟରରେ ରହିଥିବା ରୋଗୀ କିମ୍ବା ସଂକ୍ରମଣ ଅବସ୍ଥାରେ ଅନ୍ୟ ଜଟିଳ ‌ରୋଗରେ ପୀଡ଼ିତ ଥିବା ରୋଗୀଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି। ସ୍ବଳ୍ପ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ବ୍ୟକ୍ତିଙ୍କଠାରେ ଏହା ଦେଖିବାକୁ ମିଳୁ ନ ଥିବା ଡା. ପଣ୍ଡା କହିଛନ୍ତି।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ର କହିଛନ୍ତି, କୋଭିଡ୍‌ରୁ ସୁସ୍ଥ ହେଉଥିବା ରୋଗୀଙ୍କ ମୁଖ୍ୟତଃ ସ୍ବଳ୍ପ ଓ ଦୀର୍ଘ ସମୟ ସମସ୍ୟା ଦେଖା ଦେଇଥାଏ। କରୋନାରେ ଫୁସ୍‌ଫୁସ ସର୍ବାଧିକ ପ୍ରଭାବିତ ହେଉଥିବାରୁ ପରବର୍ତୀ ସମୟରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇପାରେ କିମ୍ବା ପୂର୍ବରୁ ଯେଉଁ ସଂକ୍ରମଣ ହୋଇଥିବ, କିଛିଦିନ ପରେ ତା’ର ଲକ୍ଷଣ ପରିପ୍ରକାଶ କରିପାରେ। ଏହାସହ ଦୀର୍ଘ ସମୟ ଭିତ୍ତିରେ ଅଧିକାଂଶ ଲୋକଙ୍କୁ ହାଲିଆ ଲାଗୁଥିବା ନଜରକୁ ଆସୁଛି। ପ୍ରାୟ ୨୫ ପ୍ରତିଶତ ଲୋକଙ୍କ ଏଭଳି ସମସ୍ୟା ଦେଖା ଦେଉଛି। ମାତ୍ର ଏହା କେତେଦିନ ପର୍ଯ୍ୟନ୍ତ ରହିବ ତାହା କହିହେବ ନାହିଁ। ଆବଶ୍ୟକ ଆଣ୍ଟିଭାଇରାଲ ଚିକିତ୍ସା ଦିଆଯାଇ ପାରିବ ବୋଲି ଡା. ମିଶ୍ର କହିଛନ୍ତି।



from Kanak News https://ift.tt/3kvpMKm https://ift.tt/2Q8Zwba
ସୁସ୍ଥ ପରେ ବି ଟଳୁନି ସମସ୍ୟା : ସୁସ୍ଥ ହେବାର ୧୫ଦିନ ପରେ ପୁଣି ହସ୍ପିଟାଲରେ ଭର୍ତି ହେଲେ ମହିଳା; ରାଜ୍ୟର ୧୫-୨୦% ରୋଗୀ କୋଭିଡ୍‌ ପରବର୍ତୀ ସମସ୍ୟାର ଶିକାର Kanak News ସୁସ୍ଥ ପରେ ବି ଟଳୁନି ସମସ୍ୟା : ସୁସ୍ଥ ହେବାର ୧୫ଦିନ ପରେ ପୁଣି ହସ୍ପିଟାଲରେ ଭର୍ତି ହେଲେ ମହିଳା; ରାଜ୍ୟର ୧୫-୨୦% ରୋଗୀ କୋଭିଡ୍‌ ପରବର୍ତୀ ସମସ୍ୟାର ଶିକାର Kanak News Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.