ଦାନା ବାନ୍ଧୁଛି ଲଘୁଚାପ : ୨୧ରୁ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ

ଭୁବନେଶ୍ୱର ୧୮।୦୯ : ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତା ୨୦ ତାରିଖବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୧ ଓ ୨୨ ତାରିଖରେ ଅଧିକ ବର୍ଷା ହୋଇପାରେ।

ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ। କିନ୍ତୁ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ୨୧ ତାରିଖରୁ ବର୍ଷା ପରିମାଣ ବଢ଼ିପାରେ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ପୁରୀରେ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ରହିଛି । ଏହାବାଦ୍‌ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ ଓ ଖୋର୍ଦ୍ଧାରେ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି।

୨୨ ତାରିଖରେ ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ବରଗଡ଼, ବୌଦ୍ଧ, ଯାଜପୁର, ଭଦ୍ରକ ଓ କଳାହାଣ୍ଡିରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ସମ୍ଭାବ୍ୟ ଲଘୁଚାପ ଯୋଗୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ମତ୍ସ୍ୟଜୀବୀ ୨୦ ତାରିଖ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି । ୨୧ ଓ ୨୨ ତାରିଖରେ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ସମ୍ଭାବ୍ୟ ବର୍ଷା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ।



from Prameya News7 https://ift.tt/3hKl1dQ
ଦାନା ବାନ୍ଧୁଛି ଲଘୁଚାପ : ୨୧ରୁ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ ଦାନା ବାନ୍ଧୁଛି ଲଘୁଚାପ : ୨୧ରୁ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ Reviewed by SUBHENDU BARAL on September 17, 2020 Rating: 5

No comments:

Powered by Blogger.