
କନକ ବ୍ୟୁରୋ : ସ୍କୁଲ ଫି’ ଛାଡ଼ ପ୍ରସଂଗରେ ହାଇକୋର୍ଟରେ ରିପୋର୍ଟ ଦାଖଲ ପାଇଁ ସରକାର ଅଧିକ ସମୟ ଲୋଡ଼ିଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଅନୁସାରେ ଅନୁଷ୍ଠିତ ମିଳିତ ବୈଠକରେ ହୋଇଥିବା ଆଲୋଚନା ସଂକ୍ରାନ୍ତ ରିପୋର୍ଟ ସରକାର ଦାଖଲ କରିବା ପାଇଁ ଅଧିକ ସମୟ ଲୋଡ଼ିଥିବାବେଳେ ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍କୁଲ ଫି’ ଛାଡ ସଂପର୍କିତ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଆବେଦନର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ସେପ୍ଟେମ୍ବର ୧ରେ ହାଇକୋର୍ଟ ଏ ସଂପର୍କିତ ମାମଲା ଗୁଡିକର ଏକତ୍ର ଶୁଣାଣି କରି ସ୍କଲ ଫି’ ପ୍ରସଂଗକୁ ଆଲୋଚନା ମାଧ୍ୟମରେ ଆପୋସ ସମାଧାନ ପାଇଁ ସମସ୍ତ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଗଣଶିକ୍ଷା ସଚିବଙ୍କ ପୌରୋହିତ୍ୟରେ ଏ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କେତେକ ପ୍ରସଂଗରେ ସମସ୍ତ ପକ୍ଷ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି। ହାଇକୋର୍ଟରେ ରିପୋର୍ଟ ଦାଖଲ ହେବା ପରେ ଏ ସଂପର୍କରେ ସ୍ଥିତି ସ୍ପଷ୍ଟ ହେବ।
ସ୍କୁଲ ଫି’ ଛାଡ଼ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍ ଓ ସ୍କୁଲ ଶିକ୍ଷକ ସଂଘ ପିଟିସନ୍ ଦାଖଲ କରିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର, ରାଜ୍ୟ ସରକାର, ସିବିଏସଇ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ଏଥିସହିତ ଅନ୍-ଲାଇନ ପାଠପଢା ସୁବିଧା ଥିବା ସ୍କୁଲର କୌଣସି ଛାତ୍ରଛାତ୍ରୀ ଯେଭଳି ଇ-କ୍ଲାସ୍ରୁ ବଞ୍ଚିତ ହେବେ ନାହିଁ, ସେଥିପାଇଁ ମେ୧୨ରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ରଛାତ୍ରୀଙ୍କୁ ୨୦୨୦, ମାର୍ଚ୍ଚ ମାସ ଠାରୁ ଜୁନ ମାସ ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ ପାଇଁ ସମସ୍ତ ଘରୋଇ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦର୍ଶାଇ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ।
ଯେତେବେଳ ପର୍ଯ୍ୟନ୍ତ ସ୍ୱାଭାବିକ ପରିସ୍ଥିତି ନ ଫେରିଛି ସେତେବେଳ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ନିକଟରୁ ଫି’ ଆଦାୟ କରିବା ଉଚିତ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୂତି ଭୂଷଣ ଚୌଧୁରୀ, ଆଇନଜୀବୀ ରଂଜନ କୁମାର ରାଉତ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
from Kanak News https://ift.tt/32wKpPO https://ift.tt/3ip4Bsh
No comments: