
କନକ ବ୍ୟୁରୋ : ରାଜଧାନୀରେ କରୋନା କେମିତି ଆୟତ୍ତକୁ ଆସିବ, ସେ ନେଇ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ପୁଲିସ୍ ପକ୍ଷରୁ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସହରର ପ୍ରମୁଖ ବଜାର ଘାଟରେ ପୁଲିସ୍ ଚଢ଼ଉ କରି ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ସହ ଦୋକାନ ମଧ୍ୟ ସିଲ୍ କରୁଛି। କିନ୍ତୁ ସବୁ ଉଦ୍ୟମ ସତ୍ୱେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁନି। ପ୍ରତିଦିନ ୩ ଶହରୁ ଉଧ୍ୱର୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାର କାରଣ ହେଲା, ଲୋକେ କଟକଣା ମାନୁନାହାନ୍ତି। ଦୋକାନରେ ଗହଳି କରିବା ସହ ସାମାଜିକ ଦୂରତା ରକ୍ଷା କରୁନାହାନ୍ତି, ମାସ୍କ ମଧ୍ୟ ପିନ୍ଧୁନାହାନ୍ତି।
ବିଶେଷକରି ସଂଧ୍ୟା ବେଳେ ପରିସ୍ଥିତି ଅଣାୟତ୍ତ ହୋଇଯାଉଛି। ସହରର ପ୍ରମୁଖ ହାଟ ବଜାରରେ ଲୋକଙ୍କ ଗହଳି ଜମୁଛି। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ସଂଧ୍ୟା ୬ଟାରୁ ରାଜଧାନୀର ସବୁ ଦୋକାନ ବଜାର ବନ୍ଦ କରିବାକୁ ବ୍ୟବସାୟୀ ସଂଘ ଆଜି ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପ୍ରସ୍ତାବ ଦେଇଛି। ପୁଲିସ୍ ସେବା ଭବନ ପରିସରରେ ବ୍ୟବସାୟୀ ସଂଘ ସହ କମିସନରେଟ୍ ପୁଲିସ୍ର ଆଲୋଚନାରେ ଏଭଳି ପ୍ରସ୍ତାବ ଦିଆଯାଇଛି। ତେବେ ଏ ବାବଦରେ ବିଏମ୍ସି ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଥିଲା ଯେ ମାସ୍କ ପିନ୍ଧିବା ଓ ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବ୍ୟବସାୟୀମାନେ ଗ୍ରାହକଙ୍କୁ ଅନୁରୋଧ କରୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଫଳରେ ଦୋକାନୀଙ୍କୁ ଜରିମାନା ଦେବାକୁ ପଡ଼ୁଛି। ଏଥିପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏହା ଉପରେ ବିଚାର କରିବା ନେଇ କମିସନର୍ ପ୍ରତିଶ୍ରୁତି ଦେଇଛନ୍ତି।
ଅପରପକ୍ଷେ ସବୁ ଜାଗାରେ ପୁଲିସ ଛିଡ଼ା ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ନାହିଁ। ଏଣୁ ବ୍ୟବସାୟୀମାନେ କୋଭିଡ କଟକଣା ପାଳନ ହେଉଥିବା ନିଶ୍ଚିତ କରିବାକୁ ଏହି ବୈଠକରେ କୁହାଯାଇଛି। ବ୍ୟବସାୟୀମାନେ ସୁରକ୍ଷାକର୍ମୀ ରଖି କଟକଣା ପାଳନ କରାଇବେ। ମାଇକ୍ ସାହାଯ୍ୟରେ ଗ୍ରାହକମାନଙ୍କୁ ନିୟମିତ ସଚେତନ କରିପାରିବେ। ଦୋକାନ ଆଗରେ ବାରିକେଡ୍ କରି ସାମାଜିକ ଦୂରତା ନିଶ୍ଚିତ କରାଇବେ। ଗ୍ରାହକ ନ ମାନିଲେ, ୧୦୦ ଡାଏଲ କରି ସୂଚନା ଦେଇପାରିବେ।
ବ୍ୟବସାୟୀମାନେ ନିଜ ଆଡ଼ୁ ଏଭଳି ପଦକ୍ଷେପ ନେବାକୁ ପୁଲିସ୍ ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତ ବ୍ୟବସାୟୀ ଏଭଳି କରି କୋଭିଡ୍ ମୁକାବିଲାରେ ସହଯୋଗ କରିବା ପାଇଁ କୁହାଯାଇଛି। ବୈଠକରେ ଅତିରିକ୍ତ ସିପି ସଞ୍ଜୟ ସିଂହ, ଡିସିପି ଉମାଶଙ୍କର ଦାଶ, ଡିସିପି(ଟ୍ରାଫିକ୍) ସୌମ୍ୟା ମିଶ୍ର ପ୍ରମୁଖଙ୍କ ସମେତ ୨୦ରୁ ଉଧ୍ୱର୍ ପୁଲିସ୍ ଅଫିସର୍ ଉପସ୍ଥିତ ଥିଲେ। ପ୍ରତ୍ୟେକ ଜୋନ୍ ଏସିପି ଅଞ୍ଚଳରୁ ୫ଜଣ ଲେଖାଏଁ ବିଭିନ୍ନ ବଜାର କମିଟି ପ୍ରତିନିଧି ସାମିଲ ହୋଇଥିଲେ।
from Kanak News https://ift.tt/3i2TkgH https://ift.tt/3039Kzd
No comments: