ଜଳଭଣ୍ଡାରରେ ହଜିଗଲା ପଦ୍ମପୁରର ସମୃଦ୍ଧ ପରିଚୟ : ବିସ୍ଥାପନର ଦୁଃଖଠୁ ବଳି ଗଲାଣି ଅବହେଳାର ଯନ୍ତ୍ରଣା; ୬୪ ବର୍ଷ ବିତିଲା, ବିଜୁବାବୁଙ୍କ ସ୍ୱପ୍ନ ବି ଏଠାରେ ଅଧୁରା Kanak News

କନକ ବ୍ୟୁରୋ : ହୀରାକୁଦ ନଦୀବନ୍ଧ ଯୋଜନା କାହାପାଇଁ ବରଦାନ ତ କାହାପାଇଁ ଅଭିଶାପ ସାବ୍ୟସ୍ତ ହୋଇଛି। ନିଜର ପରିଚୟ ହରାଇଛନ୍ତି। ଏମିତିକି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସଂଘର୍ଷ କରିଥିବା ଅନେକ ସମୃଦ୍ଧ ଗାଁ ବି ଏବେ ବିସ୍ଥାପିତ ହୋଇ ପରିଚୟ ହରାଇ ସାରିଛନ୍ତି। ଏଭଳି ଏକ ଗାଁ ହେଲା ପଦ୍ମପୁର। ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭୀଖମପୁର ପଞ୍ଚାୟତରେ ଥିବା ଏହି ଗାଁ ବିସ୍ଥାପନର ୬୪ ବର୍ଷ ପରେ ବି ନିଜ ହକ୍‌ ଓ ନାମ ପାଇବାରୁ ବଞ୍ଚିତ ହୋଇ ରହିଛି। ଭିଟାମାଟି ଛାଡ଼ି ସର୍ବହରା ସାଜିଥିବା ଏହି ଗାଁ ଲୋକେ ଅଭିଶପ୍ତ ଜୀବନ କାଟୁଛନ୍ତି। ପଦ୍ମପୁରରୁ ପୂଜାରୀପାଲି ପାଲଟି ଯାଇଥିବା ଏହି ଗାଁକୁ ପୁଣି ତାର ପରିଚୟ ଫେରାଇ ଦେଇ ଏକ ରାଜସ୍ବ ଗାଁର ମାନ୍ୟତା ଦେବାକୁ ୧୯୯୪ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ବିଜୁବାବୁଙ୍କ ଏହି ଅଧୁରା ସ୍ବପ୍ନ କେବେ ପୂରଣ ହେବ ବୋଲି ଗ୍ରାମବାସୀ ଚାତକ ପରି ଚାହିଁ ବସିଛନ୍ତି।

୧୯୩୬ ମସିହା ପୂର୍ବରୁ ଏହି ଗାଁ ମଧ୍ୟପ୍ରଦେଶ ରାଜ୍ୟ ଅନ୍ତର୍ଗତ ବିଳାସପୁର ଜିଲ୍ଲାରେ ଥିଲା। ଏହି ଅଞ୍ଚଳରେ ହିନ୍ଦୀ ଶିକ୍ଷା ପ୍ରଚଳନ ଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଏହା ଓଡ଼ିଶାରେ ମିଶିଲା। ଗାଁରେ ପ୍ରଥମ କରି ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଶିକ୍ଷା ପ୍ରାରମ୍ଭ କରାଗଲା। ସେତେବେଳେ ଏହି ଗାଁଟି ଅଞ୍ଚଳର ବ୍ୟବସାୟ ପେଣ୍ଠସ୍ଥଳ ଥିଲା। ମହାନଦୀ ଓ ସାନ କେଲୋ ନଦୀର ମିଳନ ସ୍ଥଳରେ ଏକ ସୁନ୍ଦର ପରିବେଶରେ ଥିବା ଏହି ଗାଁର ଉର୍ବର ଚାଷ ଜମିରେ ସୁନାର ଫସଲ ଫଳୁଥିଲା। ଗାଁରେ ପୋଷ୍ଟ ଅଫିସ, ଥାନା ଓ ପ୍ରାଥମିକ ସ୍କୁଲ ଥିଲା। ପ୍ରତିଦିନ ଗାଁରେ ପରିବା ବଜାର ସହିତ ସାପ୍ତାହିକ ହାଟ ମଧ୍ୟ ବସୁଥିଲା। ଆଖପାଖ ଅଞ୍ଚଳର ଚାଷୀ ଏଠାରେ ପନିପରିବା ବିକ୍ରି କରି ଭଲ ଦି ପଇସା ରୋଜଗାର କରୁଥଲେ। ପଦ୍ମପୁରରୁ ଏସବୁ ଅନ୍ୟ ସ୍ଥାନକୁ ପଠାଯାଉଥିଲା। ଗାଁରେ ବ୍ରାହ୍ମଣଙ୍କ ସହିତ କୁଷ୍ଟା, ଭୁଲିଆ, କେଉଁଟ ଆଦି ଜାତିର ଲୋକ ବସବାସ କରୁଥିଲେ। ବିଶେଷ କରି କୁଷ୍ଟା ସମ୍ପ୍ରଦାୟ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କୋଷା ଶାଢ଼ିର ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ନାଁ ଥିଲା। ଗାଁ ମଝିରେ ଥିଲା ଶତାଧିକ ବର୍ଷର ବହୁ ପୁରାତନ ଇଷ୍ଟଦେବୀ ପଦ୍ମାସେନୀଙ୍କ ଅପୂର୍ବ ମନ୍ଦିର। ଦେବୀଙ୍କ ନା ଅନୁସାରେ ପଦ୍ମପୁର ନାଁ ପାଇଥିଲା ଏହି ଗାଁଟି। ତାଛଡ଼ା ଏକ ପୁରାତନ ଜଗନ୍ନାଥ ମନ୍ଦିର, ସମଲେଶ୍ବରୀ ମନ୍ଦିର ଗାଁର ପ୍ରତିଷ୍ଠାକୁ ଦ୍ୱିଗୁଣିତ କରୁଥିଲା। ଗାଁରେ ଗ୍ରାମବାସୀଙ୍କ ଦ୍ୱାରା ଶବରୀ ଲୀଳା, ରାମାୟଣ ଭଳି ପୌରାଣିକ କାହାଣୀ ଉପରେ ଲୋକନାଟକ ନିୟମିତ ମଞ୍ଚସ୍ଥ ହେଉଥିଲା।

ଏହି ଗାଁରେ ବାର ମାସରେ ତେର ପର୍ବ ପାଳନ ହେଉଥିଲା। ବିଶେଷ କରି ଜଗନ୍ନାଥଙ୍କ ରଥଯାତ୍ରା ବହୁ ଆଡ଼ମ୍ବରରେ ପାଳନ କରୁଥିଲେ ଗ୍ରାମବାସୀ। ଆଖପାଖ ଅଞ୍ଚଳର ଶତାଧିକ ସଂପ୍ରଦା ଦଳଙ୍କ ଉପସ୍ଥିତି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହେଉଥିଲା। କିନ୍ତୁ ୧୯୫୬ ମସିହା ମେ ମାସରେ ସବୁ ବଦଳିଗଲା। ଜଳଭଣ୍ଡାର ନିମନ୍ତେ ଗାଁ ଖାଲି କରିବା ପାଇଁ କଡ଼ା ସରକାରୀ ନିର୍ଦେଶ ଶୁଣିବା ପରେ କଳା ସଂସ୍କୃତି ସମୃଦ୍ଧ ଏହି ଗାଁର ଲୋକ ନିରୁପାୟ ହୋଇ ଗାଁ ଛାଡ଼ିଥିଲେ। ପଛରେ ରହିଗଲା ଗାଁ ମନ୍ଦିର, ସେମାନଙ୍କ ପୁରୁଣା ଘରଦ୍ବାର, ସ୍କୁଲ ଘର ଇତ୍ୟାଦି। କିଏ କୁଆଡ଼କୁ ଗଲେ ଠିକଣା ନଥିଲା।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ମଇ ମାସର ମୁଣ୍ଡଫଟା ଖରାରେ ଗାଁରୁ ପଳାୟନ ସମୟରେ ଜଣେ ଗର୍ଭବତୀ ମହିଳା ବୃକ୍ଷ ମୂଳରେ ଶିଶୁ ଜନ୍ମ କରିଥିଲେ। ‌ଯେଉଁ ସ୍ଥାନରେ ନୂଆ ବସତି ସ୍ଥାପିତ ହେଲା ସେଠାରେ ପୂଜାରୀ ସାଙ୍ଗିଆଧାରୀଙ୍କ ସଂଖ୍ୟା ଅଧିକ ଥିବାରୁ ନୂଆ ବସତିର ନାଁ ପୂଜାରୀପାଲି ପାଲଟିଗଲା। ଏତେ ଦୁର୍ଦ୍ଦିନରେ ମଧ୍ୟ ଲୋକେ ଧୈର୍ଯ୍ୟ ନ ହରାଇ ପୁଣି ଜୀବନ ଜୀବିକା ପାଇଁ ସଂଗ୍ରାମ ଆରମ୍ଭ କରିଥିଲେ। ତତ୍କାଳୀନ ପ୍ରଶାସନିକ ଅଧିକାରୀଙ୍କ ନିର୍ଦେଶକ୍ରମେ ଏହି ଗାଁ ବିସ୍ଥାପିତ ପରିବାରଙ୍କୁ କିଛି କିଛି ଜମିର ଡିସି ପଟ୍ଟା ପ୍ରଦାନ କରାଗଲା। ତା ସହିତ ଜଳଭଣ୍ଡାର ପାର୍ଶ୍ବରେ କିଛି କିଛି ଜମି ମଧ୍ୟ ଲିଜ୍‌ ଆକାରରେ ଚାଷ କରିବା ପାଇଁ ଦିଆଗଲା। କିନ୍ତୁ ପୂର୍ବର ସମୃଦ୍ଧି ଯେମିତି ହଜିଯାଇଥିଲା ହୀରାକୁଦ ଜଳଭଣ୍ଡାରରେ। ଗାଁ ଛାଡ଼ିବା ବେଳେ ସାଙ୍ଗରେ ନେଇ ଆସିଥିବା ଗ୍ରାମଦେବୀ ଓ ଅନ୍ୟ ଦେବଦେବୀଙ୍କ ପୂଜା ଓ ନୀତିକାନ୍ତି ପାଇଁ ବି ସମ୍ବଳ ସଂଗ୍ରହ କଷ୍ଟକର ହୋଇପଡ଼ିଥିଲା।

୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ଉଦ୍ୟମରେ ଓଡ଼ିଶାରେ ଜିଲ୍ଲା, ବ୍ଲକ, ପଞ୍ଚାୟତ ସହିତ ରାଜସ୍ୱ ଗାଁ ସଂଖ୍ୟା ବୃଦ୍ଧି ପାଇଥିଲା। ସମ୍ବଲପୁର ଜିଲ୍ଲାରୁ ଅଲଗା ହୋଇ ନୂଆକରି ଝାରସୁଗୁଡ଼ା ଜିଲ୍ଲା ଗଠନ କରାଗଲା। ଏହି ସମୟରେ ଏହି ଗ୍ରାମବାସୀ ପାଇଥିବା ଡିସି ପଟ୍ଟାକୁ ସ୍ଥାୟୀ କରାଯାଇଥିଲା। ହେଲେ ହୀରାକୁଦ ଜଳଭଣ୍ଡାରରୁ ବିସ୍ଥାପିତ ଗାଁଗୁଡିକୁ ପୂର୍ଣ୍ଣ ରାଜସ୍ୱ ଗାଁର ମାନ୍ୟତା ପ୍ରଦାନ କରିବାକୁ ବିଜୁବାବୁଙ୍କ ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ରହିଛି। ଆଜି ପର୍ଯ୍ୟନ୍ତ ଏହି ବିସ୍ଥାପିତ ଗାଁ ଅଧିବାସୀ ରାଜସ୍ୱ ମାନ୍ୟତା ସହିତ ବସବାସ କରୁଥିବା ଘରଡ଼ିହ ଓ ଜମିର ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ଏକ ସମୃଦ୍ଧ ଗାଁ ପଦ୍ମପୁରର ଅଧିବାସୀ ଏକ ଅନ୍ୟ ଗାଁର ପରିଚୟରେ ରହୁଛନ୍ତି। ନୂଆ ପଦ୍ମପୁର ଗାଁ ସ୍ଥାପନ ପ୍ରତିଶ୍ରୁତି ୬୪ ବର୍ଷ ପରେ ମଧ୍ୟ ପୂରଣ ହୋଇପାରିନାହିଁ। ନିଜସ୍ୱ ଘରଡ଼ିହ ପଟ୍ଟା ନଥିବାରୁ ଏହି ଗାଁ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେବେ ସରକାରଙ୍କ ଦୟାଦୃଷ୍ଟି ଏହି ବିସ୍ଥାପିତ ଗାଁ ଉପରେ ପଡ଼ିବ ତାକୁ ଲୋକେ ଚାହିଁ ରହିଛନ୍ତି।

୧୯୪୩ମସିହାରେ ଜନ୍ମିତ କ୍ଷିତେଶ୍ୱର ପୂଜାରୀ ଓ ଦିଲ୍ଲୀପ ପୂଜାରୀ କହିଛନ୍ତି ବିସ୍ଥାପନ ସମୟରେ ତାଙ୍କୁ ୧୩ବର୍ଷ ହେଉଥିଲା ପ୍ରତ୍ୟକ୍ଷ ଭାବେ ବିସ୍ଥାପନର ଦୁଃଖକୁ ଅଙ୍ଗେ ନିଭାଇଛନ୍ତି। ହେଲେ ୬୫ବର୍ଷ ପରେ ପ୍ରଶାସନିକ ଅବହେଳା ସେହି ଦୁଃଖଠାରୁ ବଳି ପଡୁଛି। ଆଜିପର୍ଯ୍ୟନ୍ତ ପରିଚୟ ଟିକେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଆମର ପର ପିଢି ମଧ୍ୟ ବିସ୍ଥାପନ ଦୁଃଖ ଭୋଗିବେ। ଏହି ସମସ୍ୟା କୁ ଗୁରୁତ୍ୱ ପ୍ରଦାନ କରି ଓଡ଼ିଶାର ବିକାଶ ଦିଗରେ ସର୍ବସ୍ୱ ହରାଇଥିବା ଏହି ଗାଁକୁ ରାଜସ୍ବ ମାନ୍ୟତା, ଲିଜ ସୂତ୍ରରେ କରୁଥିବା ଚାଷ ଜମିର ସ୍ଥାୟୀ ପଟ୍ଟା ପ୍ରଦାନ, ବର୍ତ୍ତମାନ ବସବାସ କରୁଥିବା ଗାଁ ନୂଆଁ ପଦ୍ମପୁର ନାଁରେ ନାମିତ କରିବା ସହିତ ରହୁଥିବା ଜମିର ଚିହ୍ନଟ କରି ଘରଡ଼ିହ ପଟ୍ଟା ପ୍ରଦାନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।



from Kanak News https://ift.tt/2ZFfqj1 https://ift.tt/2FDtbYc
ଜଳଭଣ୍ଡାରରେ ହଜିଗଲା ପଦ୍ମପୁରର ସମୃଦ୍ଧ ପରିଚୟ : ବିସ୍ଥାପନର ଦୁଃଖଠୁ ବଳି ଗଲାଣି ଅବହେଳାର ଯନ୍ତ୍ରଣା; ୬୪ ବର୍ଷ ବିତିଲା, ବିଜୁବାବୁଙ୍କ ସ୍ୱପ୍ନ ବି ଏଠାରେ ଅଧୁରା Kanak News ଜଳଭଣ୍ଡାରରେ ହଜିଗଲା ପଦ୍ମପୁରର ସମୃଦ୍ଧ ପରିଚୟ : ବିସ୍ଥାପନର ଦୁଃଖଠୁ ବଳି ଗଲାଣି ଅବହେଳାର ଯନ୍ତ୍ରଣା; ୬୪ ବର୍ଷ ବିତିଲା, ବିଜୁବାବୁଙ୍କ ସ୍ୱପ୍ନ ବି ଏଠାରେ ଅଧୁରା Kanak News Reviewed by SUBHENDU BARAL on September 15, 2020 Rating: 5

No comments:

Powered by Blogger.