
କନକ ବ୍ୟୁରୋ : ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ଲାଗି ସବୁ ହସ୍ପଟାଲକୁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଅଯଥାରେ ଶବ ହସ୍ତାନ୍ତର ବିଳମ୍ବ ହେବା ସହିତ ସଂପୃକ୍ତ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ। କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲଗୁଡ଼ିକୁ ଏଭଳି ନିର୍ଦେଶନାମା ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ତେବେ ଚିକିତ୍ସାଧୀନ ଅବସ୍ଥାରେ ମୃତ କିମ୍ବା ହସ୍ପିଟାଲରେ ପହଞ୍ଚିବା ବେଳକୁ ମୃତ ଘୋଷଣା ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ ହେଲେ ସଂପୃକ୍ତ ବ୍ୟକ୍ତି ଜଣକ କରୋନା କିମ୍ବା ଅଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି କିଭଳି ସ୍ପଷ୍ଟ ହେବ ତାହା ଏବେ ପ୍ରଶ୍ନ ଉଠିଛି।
କ୍ୟାପିଟାଲ ସମେତ ରାଜ୍ୟ ଅନ୍ୟ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଅନେକ ରୋଗୀ ହସ୍ପିଟାଲରେ ପହଞ୍ଚିବା ପରେ କିମ୍ବା କିଛି ସମୟ ପୂର୍ବରୁ ମୃତ୍ୟୁ ହେଉଥିବା ନଜରକୁ ଆସୁଛି। ଏସବୁ ରୋଗୀଙ୍କ ପରବର୍ତୀ ସମୟରେ କୋଭିଡ୍ ପରୀକ୍ଷା କରିବା ପରେ ତାହା ପଜିଟିଭ୍ ଆସୁଛି। ତେଣୁ ରାଜ୍ୟ ସରକାର ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ପାଇଁ ନିର୍ଦେଶ ଦେବା ପରେ ଡାକ୍ତରମାନେ କରୋନା ସନ୍ଦେହ କରି ଏବେ ପିପିଇ ପିନ୍ଧି ଶବ ବ୍ୟବଚ୍ଛେଦ କରୁଛନ୍ତି।
ବରିଷ୍ଠ ଚିକିତ୍ସକ ଡା.ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ଯଦି ମୃତ ବ୍ୟକ୍ତିଙ୍କ କୋଭିଡ୍ ପରୀକ୍ଷା ନ ହେବ ତା’ହେଲେ ସଂପୃକ୍ତ ରୋଗୀ କରୋନା କିମ୍ବା ଅନ୍ୟ କୌଣସି ରୋଗରେ ପ୍ରାଣ ହରାଇଛନ୍ତି ତାହା କିଭଳି ସ୍ପଷ୍ଟ ହେବ। ହସ୍ପିଟାଲକୁ ପହଞ୍ଚିବା ପୂର୍ବରୁ ମୃତ ବା ରିସିଭ୍ଡ ଡେଡ୍ଙ୍କ ପକ୍ଷରେ ସେମାନଙ୍କ ପରିବାର ବର୍ଗ ଏହା ଜାଣିବା ମୁସ୍କିଲ୍। ରାଜ୍ୟ ସରକାର କାହିଁକି ଏଭଳି ନିର୍ଦେଶନାମା ଜାରି କରିଛନ୍ତି ତାହା ବୁଝା ପଡ଼ୁନାହିଁ। ଏହାଦ୍ବାରା ରାଜ୍ୟରେ କରୋନାରେ କେତେ ସଂଖ୍ୟକ ଲୋକ ପ୍ରାଣ ହରାଇଲେ ତାହା ସ୍ପଷ୍ଟ ହୋଇପାରିବ ନାହିଁ ବୋଲି ଡା.ମହାପାତ୍ର କହିଛନ୍ତି। ଅପରପକ୍ଷରେ କରୋନା ମୃତକଙ୍କ ତଥ୍ୟ ଲୁଚାଇବାକୁ ଏହା ଏକ ଯୋଜନା ବୋଲି ଆଲୋଚନା ହେଉଛି।
ଏ ସଂପର୍କରେ ଆଜି ନିର୍ଦେଶାନାମା ଆସିବା ପୂର୍ବରୁ ଗତ ୧ମାସ ହେବ ହସ୍ପିଟାଲକୁ ଆସୁଥିବା ରିସିଭ୍ଡ ଡେଡ୍ ବ୍ୟକ୍ତିଙ୍କ ପରୀକ୍ଷା ହେଉ ନ ଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ଏଭଳି ଅନେକ ମୃତଦେହ ଆସୁଛି ଯେଉଁମାନଙ୍କର ପରବର୍ତୀ ସମୟରେ କରୋନା ସଂକ୍ରମିତ ଥିବା ଜଣାପଡ଼ୁଛି। ତେଣୁ ହସ୍ପିଟାଲରେ କାଜୁଆଲ୍ଟି ଓ ଶବ ବ୍ୟବଚ୍ଛେଦ ଗୃହରେ କାର୍ଯ୍ୟରତ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଛନ୍ତି। ଅପରପକ୍ଷରେ ଯେଉଁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ସେଠାରେ ପ୍ରାଣ ହରାଉଥିବା ରୋଗୀଙ୍କ ସମସ୍ତ ତଥ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶାଳୟରେ ୪୮ଘଣ୍ଟା ଭିତରେ ଦାଖଲ କରିବା ଲାଗି କୁହାଯାଉଛି।
ରୋଗୀଙ୍କ ବେଡ୍ହେଡ୍ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ ଓ କୋଭିଡ୍ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ ହେବ। ରୋଗୀଙ୍କର ପୂର୍ବରୁ କେଉଁ ପ୍ରକାର ରୋଗ ରହିଥିଲା ଓ ଆଡମିସନ୍ ସମୟରେ ତାଙ୍କର ଏହାର କି କି ଲକ୍ଷଣ ରହିଥିଲା ତାହାକୁ ରାଜ୍ୟସ୍ତରୀୟ ଡେଥ୍ ଅଡିଟ କମିଟି ନିକଟରେ ଦାଖଲ କରିବା ଲାଗି କୁହାଯାଇଛି। ଯାହାଫଳରେ ସଂପୃକ୍ତ ବ୍ୟକ୍ତି ଜଣକ କରୋନା କିମ୍ବା ଅନ୍ୟ କୌଣସି ରୋଗରେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
from Kanak News https://ift.tt/3mDxYtE https://ift.tt/32QsF2e
No comments: