
କନକ ବ୍ୟୁରୋ: ବହୁ ପ୍ରତୀକ୍ଷିତ ଆଇପିଏଲ୍-୧୩ ଶନିବାର ୟୁଏଇରେ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଦୁଇ ପୂର୍ବବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ରବିବାର ତଥା ଆଦି ଦ୍ବିତୀୟ ଦିନରେ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କୁ ଆଉ ଏକ ବଡ଼ ମ୍ୟାଚ୍ ଦେଖିବାକୁ ମିଳିବ। ଏଥିରେ ନିଜ ନିଜର ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପରସ୍ପରର ମୁକାବିଲା କରିବେ। ଏହି ମ୍ୟାଚକୁ ଦିଲ୍ଲୀ ସ୍ପିନର ବନାମ ପଞ୍ଜାବ ବିଗ୍ ହିଟରର ଆଖ୍ୟା ଦିଆଯାଇଛି। ଅବଶ୍ୟ ଦିଲ୍ଲୀର ପ୍ରଶିକ୍ଷକ ରିକି ପଣ୍ଟିଂ ଜଣେ ମହାନ ବ୍ୟାଟ୍ସମ୍ୟାନ୍ ହୋଇଥିଲା ବେଳେ ପଞ୍ଜାବ ପ୍ରଶିକ୍ଷକ ଅନିଲ କୁମ୍ବଲେ ହେଉଛନ୍ତି କିଂବଦନ୍ତି ସ୍ପିନର। ତେବେ ଦଳୀୟ ଗଠନ ଦୃଷ୍ଟିରୁ ଦିଲ୍ଲୀରେ ଅନେକ ଦକ୍ଷ ସ୍ପିନର ଥିଲା ବେଳେ ପଞ୍ଜାବରେ ବଡ଼ ବଡ଼ ସଟ୍ ଖେଳୁଥିବା କିଛି ଦେଶୀ ବିଦେଶୀ ଖେଳାଳି ରହିଛନ୍ତି।
ଦିଲ୍ଲୀ ପାଖରେ ରବିଚନ୍ଦ୍ରନ୍ ଅଶ୍ବିନ, ଅମିତ ମିଶ୍ର ଓ ଅକ୍ଷର ପଟେଲଙ୍କ ଭଳି ସ୍ପିନର ରହିଛନ୍ତି। ସେହିଦୃଷ୍ଟିରୁ ପଞ୍ଜାବଠାରୁ ଦିଲ୍ଲୀ ବୋଲିଂ ବାହିନୀ ଟିକିଏ ଶକ୍ତିଶାଳୀ ମନେ ହେଉଛି। ଦିଲ୍ଲୀ ପାଖରେ ଭଲ ବ୍ୟାଟ୍ସମ୍ୟାନ୍ ବି ଅଛନ୍ତି। ତେବେ ଏହି ମ୍ୟାଚ୍କୁ ମଧ୍ୟ ଭାରତୀୟ କ୍ରିକେଟ୍ର ଦୁଇ ସମ୍ଭାବ୍ୟ ଭବିଷ୍ୟତ ଅଧିନାୟକ ଶ୍ରେୟସ୍ ଆୟର ଓ କେଏଲ୍ ରାହୁଲଙ୍କ ଲଢ଼େଇର ଆଖ୍ୟା ମିଳିଛି। କାରଣ ଆୟର ଦିଲ୍ଲୀର ଓ ରାହୁଲ ପଞ୍ଜାବର ଅଧିନାୟକ ଦାୟିତ୍ବ ତୁଲାଇବାକୁ ଯାଉଛନ୍ତି। ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।
ଦିଲ୍ଲୀ ପାଖରେ ପୃଥ୍ବୀ ସ’, ଆୟର, ଋଷବ ପନ୍ତ, ଶିଖର ଧାୱନଙ୍କ ଭଳି ଭାରତୀୟ ଅନ୍ତର୍ଜାତୀୟ ତାରକା ଓ ୱେଷ୍ଟଇଣ୍ଡିଜ୍ର ସିମରନ୍ ହେଟମେୟରଙ୍କ ଭଳି ବ୍ୟାଟର୍ ଅଛନ୍ତି। ସେଥିପାଇଁ ରାଜସ୍ଥାନ ରୟାଲ୍ସରୁ ଅଣାଯାଇଥିବା ଭାରତୀୟ ଟେଷ୍ଟ୍ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ସମ୍ଭବତଃ ରବିବାର ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରନ୍ତି। କିଙ୍ଗ୍ସ ଏକାଦଶ ପଞ୍ଜାବ ପାଖରେ ମଧ୍ୟ ବଡ଼ ସଟ୍ ଖେଳିବାରେ ଧୁରନ୍ଧର କ୍ରିସ୍ ଗେଲ୍, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ନିଜେ ରାହୁଲଙ୍କ ଭଳି ଖେଳାଳି ରହିଛନ୍ତି। ମ୍ୟାକ୍ସୱେଲ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ବିଜୟୀ ଶତକ ଖେଳି ୟୁଏଇ ଆସିଛନ୍ତି। ୟୁଏଇରେ ୨୦୧୪ରେ ଖେଳାଯାଇଥିବା ଆଇପିଏଲରେ ସେ ମଧ୍ୟ ୧୬ ମ୍ୟାଚ୍ ଖେଳି ୫୫୨ ରନ୍ କରିଥିଲେ। ପଞ୍ଜାବ ପାଇଁ ବିପଜ୍ଜନକ ଗେଲ୍ ଓ ରାହୁଲ ପାଳି ଆରମ୍ଭ କରିବେ।
ମୟଙ୍କ ଅଗ୍ରୱାଲ ତିନି ନମ୍ବରରେ ଖେଳିବେ। ହେଲେ ବିଗବାସ୍ ଲିଗ୍ରେ ସର୍ବାଧିକ ୱିକେଟ୍ ନେଇଥିବା ଡାନିଏଲ୍ ସାମ୍ସ ଓ କାଗିସୋ ରବାଦାଙ୍କ ଭଳି ବୋଲର ଦିଲ୍ଲୀ ପାଖରେ ଥିବାରୁ ଏମାନଙ୍କ ପାଇଁ ବ୍ୟାଟିଂ ସେତେଟା ସହଜ ହେବନି। ପଞ୍ଜାବ ବୋଲିଂର ନେତୃତ୍ବ ନେବେ ଅନ୍ତର୍ଜାତୀୟ ଭାରତୀୟ ବୋଲର ମହମ୍ମଦ ସାମି। ଅବଶ୍ୟ ତାଙ୍କ ଛଡ଼ା ପଞ୍ଜାବ ପାଖରେ ସେମିତି ବଡ଼ ବୋଲର ସମ୍ଭବତଃ ଆଉ ନାହାନ୍ତି। ଅତୀତ ରେକର୍ଡ ଅବଶ୍ୟ କିଙ୍ଗ୍ସ ଏକାଦଶ ପଞ୍ଜାବ ସପକ୍ଷରେ ରହିଛି। ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଗତ ୫ ମୁକାବିଲାରୁ ୪ଟିରେ ପଞ୍ଜାବ ବିଜୟୀ ହୋଇଛି। ଗତ ଋତୁର ଶେଷ ମୁହାଁମୁହିଁରେ କିନ୍ତୁ ଦିଲ୍ଲୀ ବିଜୟୀ ହୋଇଥିଲା।
from Kanak News https://ift.tt/2ZUN9ou https://ift.tt/32MXnt0

No comments: