ବିଷାକ୍ତ ପାଲଟିଛି ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ : ଭାସୁଛି ମାଛ ଓ ପ୍ରବେଶ କରୁଛି ନଳା ପାଣି, ପ୍ରଶାସନର ଅବହେଳାକୁ ଦାୟୀ କଲେ ସ୍ଥାନୀୟ ବାସିନ୍ଦା
ପୁରୀ ୧୮।୦୯: ବିପର୍ଯ୍ୟସ୍ତ ଅବସ୍ଥାରେ ପୁରୀ ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ । ନଳା ପାଣି ପ୍ରବେଶ ଦ୍ୱାରା ଜଳ ପ୍ରଦୂଷିତ ହେବା ଯୋଗୁଁ ଏହି ପୁଷ୍କରିଣୀ ଏବେ ବିଷାକ୍ତ ପାଲଟିଛି । ଫଳରେ ଶହ ଶହ ମାଛ ପ୍ରତିଦିନ ମରି ପଡୁଛନ୍ତି । ପରିବେଶ ଅପରିଷ୍କାର ହୋଇଥିବାରୁ ସଂପୁର୍ଣ୍ଣ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ସାଧାରଣରେ ଦାବି ହୋଇଛି ।
ବିପର୍ଯ୍ୟସ୍ତ ଅବସ୍ଥାରେ ପୁରୀ ନରେନ୍ଦ୍ର ତୀର୍ଥ ପୁଷ୍କରିଣୀ । ନଳା ପାଣି ପ୍ରବେଶ ଦ୍ୱାରା ଜଳ ପ୍ରଦୂଷିତ ହେବାରୁ ପୁଷ୍କରିଣୀର ପାଣିର ରଙ୍ଗ ସଂପୁର୍ଣ୍ଣ ବଦଳିଯାଇଛି । ତେବେ ଦୁର୍ଭାଗ୍ୟର ବିଷୟ ପ୍ରଶାସନର ଅବହେଳା ପାଇଁ ଏଭଳି ଅବସ୍ଥା ହୋଇଥିବା ଜଣାପଡିଛି । ପାଣି ବିଷାକ୍ତ ହେବାରୁ ଶହ ଶହ ସଂଖ୍ୟାରେ ମାଛ ଏଠାରେ ମରି ପଡ଼ିଛନ୍ତି । ପୁଷ୍କରିଣୀରେ ସ୍ନାନ କରିବା ଦ୍ୱାରା ଦେହ କୁଣ୍ଡେଇ ହୋଇ ଚର୍ମ ରୋଗ ବ୍ୟାପୁଛି। ପୁଷ୍କରିଣୀରେ କେଉଁଠି ମଦ ବୋତଲ ପଡ଼ିଛି ତ ଆଉ କେଉଁଠି ଖଲି ପତ୍ର ସହିତ କୁଡ଼ୁଆ ପଡ଼ିଛି।
ନରେନ୍ଦ୍ର ପୁଷ୍କରିଣୀର ପୁନରୁଦ୍ଧାର ସହ ପରିଷ୍କାର ପରିଚ୍ଛନ୍ନ ନିମନ୍ତେ ପୂର୍ବରୁ ଜିଲ୍ଲା ପ୍ରଶାସନ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛି । କିନ୍ତୁ ସରକାର କା ମାଲ୍ ଦରିଆ ମେ ଡ଼ାଲ ନୀତିରେ କେବଳ କାର୍ଯ୍ୟ ସାରି ଏହାର ରକ୍ଷଣାବେକ୍ଷଣ କଥା ପ୍ରଶାସନ ଭୁଲିଯାଇଛି।
ତେବେ ଏଠାରେ ପ୍ରଶ୍ନ ଉଠୁଛି? ରାଜ୍ୟ ସରକାର ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଐତିହ୍ୟ ତୀର୍ଥ ପୁଷ୍କରିଣୀ କଥା ଦେଖିଲେ ସରକାରଙ୍କ କେତେ ଆନ୍ତରିକତା ରହିଛି ଏଥିରୁ ଜଳ ଜଳ ହୋଇ ଦିଶୁଛି।
ପୁରୀ ବୁଲିବାକୁ ଆସୁଥିବା ଶ୍ରଦ୍ଧାଳୁ ନରେନ୍ଦ୍ରର ଏହି ତୀର୍ଥ ପୁଷ୍କରିଣୀକୁ ଦେଖି ବେଶ୍ ଆନନ୍ଦ ଅନୁଭବ କରୁଥିବା ବେଳେ ପୁଷ୍କରିଣୀର ଏଭଳି ଦୟନୀୟ ଅବସ୍ଥା ଦେଖି ନାକ ଟେକୁଛନ୍ତି।
from Prameya News7 https://ift.tt/2RznhKo

No comments: