ନୂଆଦିଲ୍ଲୀ: ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଆୟୁର୍ବେଦିକ ଡାକ୍ତର ଦେବେନ୍ଦ୍ର ଶର୍ମାଙ୍କୁ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ବାପ୍ରୋଲା ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ବିଶେଷ କରି ସେ ଟ୍ରକ୍ ଡାଇଭରଙ୍କୁ ଟାର୍ଗେଟ କରି ସେମାନଙ୍କୁ ହତ୍ୟା କରୁଥିଲେ ଓ ହତ୍ୟା ପରେ ମୃତଦେହକୁ କୁମ୍ଭୀର ମୁହଁକୁ ଫିଙ୍ଗି ଦେଉଥିଲେ।
ପ୍ରକୃତରେ ସେ କେତଜଣଙ୍କୁ ହତ୍ୟା କରିଛନ୍ତି, ସେନେଇ ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ୧୦୦ରୁ ଅଧିକ ହତ୍ୟା ମାମଲାରେ ତାଙ୍କର ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ୍ କହିଛି। ତାଙ୍କ ନାଁରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଓ ରାଜସ୍ଥାନରେ ମାମଲା ରୁଜୁ ହେବାସହ ସେଠାକାର ରାଜ୍ୟ ପୋଲିସ୍ ମାମଲାର ତଦନ୍ତ ଚଳାଇଥିଲେ।
ଦେବେନ୍ଦ୍ର, ଏଲ୍ପିଜି ସିିଲିଣ୍ଡର ନେଉଥିବା ଟ୍ରକ୍ ଗୁଡ଼ିକୁ ଚିହ୍ନଟ କରି ସେମାନଙ୍କର ଡ୍ରାଇଭର ମାନଙ୍କୁ ହତ୍ୟା କରୁଥିଲେ। ହତ୍ୟା ପରେ ସେମାନଙ୍କୁ କୁମ୍ଭୀର ଥିବା କେନାଲରେ ଫୋପାଡ଼ି ଦେଉଥିଲେ। ପରେ ଗାଡିରେ ଥିବା ସିଲିଣ୍ଡରକୁ ନିଜର ନକଲି ଗ୍ୟାସ୍ ଏଜେନ୍ସିରେ ବିକ୍ରି କରୁଥିଲେ। ଏଥିସହ କିଛି କ୍ୟାବ୍ ଚାଳକଙ୍କୁ ମଧ୍ୟ ସେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଜଣାପଡ଼ିବା ପରେ ୪ଦିନ ତଳେ ଡାକ୍ତର ଦେବେନ୍ଦ୍ର ଶର୍ମାଙ୍କୁ ଗିରଫ କରାଯାଇଥିଲା। ଜେରା ବେଳେ ତାଙ୍କ ଠାରୁ ଅନେକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
ଜେରା ବେଳେ ଦେବେନ୍ଦ୍ର ପୋଲିସ୍କୁ ସୂଚନା ଦେଇ କହିଛନ୍ତି, ୫୦ରୁ ଅଧିକ ହତ୍ୟା ମାମଲାର ସେ ମାଷ୍ଟରମାଇଣ୍ଡ୍ ଥିଲେ। ତାଙ୍କର ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାପରେ ସ୍ତ୍ରୀ ଓ ପିଲାମାନେ ତାଙ୍କୁ ଛାଡ଼ି ପଳାଇଥିଲେ।
BAMS ଡିଗ୍ରୀଧାରୀ ଦେବେନ୍ଦ୍ର ଶର୍ମା(୬୨)ଙ୍କ ଘର ଉତ୍ତର ପ୍ରଦେଶ ଆଲିଗଡ଼ ଜିଲ୍ଲାର ପୁରେନୀ ଗାଁରେ। ତାଙ୍କ ନାଁରେ ହତ୍ୟା, ଅପହରଣ ଭଳି ଏକାଧିକ ମାମଲା ଥିବା ପୋଲିସ୍ ସୂଚନା ଦେଇଛି। ଉତ୍ତର ପ୍ରଦେଶରେ ଫେକ୍ ଗ୍ୟାସ୍ ପରିଚାଳନା କରିବା ଅଭିଯୋଗରେ ତାଙ୍କୁ ପୂର୍ବରୁ ୨ଥର ଗିରଫ କରାଯାଇଥିଲା। ଏପରିକି ବିଭିନ୍ନ ରାଜ୍ୟରେ କିଡ୍ନୀ ରାକେଟ୍ ଚଲାଇବା ଅଭିଯୋଗରେ ସେ ଜେଲ୍ ମଧ୍ୟ ଯାଇଥିଲେ।
ସୂଚନାଥାଉ କି, ଦେବେନ୍ଦ୍ର ଏକ ହତ୍ୟା ମାମଲାରେ ଜୟପୁରର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୧୬ ବର୍ଷ ଜେଲ୍ରେ ରହିବା ପରେ ଚଳିତ ବର୍ଷ ଜାନୁଆରୀରେ ସେ ୨୦ ଦିନ ପାରୋଲରେ ଆସିଥିଲେ। ହେଲେ ପୋଲିସ୍ ଆଖିରେ ଧୂଳି ଦେଇ ସେ ଖସି ପଳାଇଥିଲେ। ମାର୍ଚ୍ଚରେ ଦିଲ୍ଲୀ ଯିବା ପୂର୍ବରୁ ସେ କିଛିଦିନ ଗାଁରେ ରହିଥିଲେ।
The post ଲୋକଙ୍କୁ ହତ୍ୟା କରି କୁମ୍ଭୀର ମୁହଁକୁ ଫିଙ୍ଗି ଦେଉଥିଲେ ଆୟୁର୍ବେଦିକ ଡାକ୍ତର appeared first on OTV Khabar..
from OTV Khabar. https://ift.tt/3i1Q9q2
No comments: