୫ ହଜାର ସେବାୟତଙ୍କ ହେବ କୋଭିଡ୍‌ ଟେଷ୍ଟ । ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ନୀତିକାନ୍ତି । ବାହୁଡ଼ାରେ ସେବାୟତଙ୍କ ସହ ପୁଲିସ ଟାଣିବେ ରଥ Kanak News

କନକ ବ୍ୟୁରୋ : ଶୃଙ୍ଖଳିତ ଓ ସଂକ୍ରମଣମୁକ୍ତ ରଥଯାତ୍ରା ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ବାନ ହୋଇଥିବାବେଳେ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବାହୁଡ଼ାଯାତ୍ରା, ନୀଳାଦ୍ରି ବିଜେ ସହ ଅନ୍ୟାନ୍ୟ ନୀତିକାନ୍ତିକୁ ସୁରୁଖୁରୁରେ ସଂକ୍ରମଣମୁକ୍ତ ସହ ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର ସେବାୟତଙ୍କ ସହ ସରକାରୀ ଅଧିକାରୀ, କର୍ମଚାରୀ, ପୁଲିସ, ପୌର ଅଧିକାରୀ, କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ ହେବ। ଥରେ ନୁହେଁ, ଦୁଇଥର ସମସ୍ତଙ୍କର କୋଭିଡ୍‌ ଟେଷ୍ଟ ହେବ। ଗୁରୁବାର ଠାରୁ ସ୍ବାବ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ନୀତିକାନ୍ତି ପାଇଁ ଅନୁମତି ଦିଆଯିବ। ପୁଣିଥରେ ସେବାୟତଙ୍କ ପାଇଁ ବୟନିକା ଠାରୁ ୫ହଜାର ମାସ୍କ କିଣାହେବ। ପୁରୀ ସ୍ବତନ୍ତ୍ର ସର୍କିଟ୍‌ ହାଉସ ଠାରେ ଉନ୍ନୟନ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମହାପ୍ରଭୁଙ୍କ କୃପାରୁ ଏହା ସୁରୁଖୁରୁରେ ସଂପନ୍ନ ହୋଇଛି। ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ, ସର୍ବୋପରି ସେବାୟତଙ୍କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ ସବୁଠୁ ବଡ଼ ଚ୍ୟାଲେଞ୍ଚ ହୋଇଛି କରୋନା ଭୂତାଣୁ ସଂକ୍ରମଣ। ଗତକାଲି ଜଣେ ସେବାୟତଙ୍କ ଠାରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି। ପୁରୀ ସହର ଯେ ଭଳି ସଂକ୍ରମଣ ମୁକ୍ତ ରହେ, ବୈଠକରେ ଏହି ପ୍ରସଙ୍ଗକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଗତକାଲିର ରଥଯାତ୍ରା ପରେ ଏକ ତାଲିକା ପ୍ରସ୍ତୁତ ହୋଇଛି। ଯେହେତୁ ୧୦/୧୨ ଦିନ ଧରି ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହେବ, ହଜାର ହଜାର ସେବାୟତ, ପୁଲିସ କର୍ମଚାରୀ, ଶ୍ରୀମନ୍ଦିର କର୍ମଚାରୀ, ସରକାରୀ କର୍ମଚାରୀ, ପୌର କର୍ମଚାରୀ ସାମିଲ୍‌ ହେବେ, ସେହି ଦୃଷ୍ଟିରୁ ସମସ୍ତଙ୍କ କୋଭିଡ୍‌ ଟେଷ୍ଟ କରାଯିବ।

 

ଆସନ୍ତା ୨୫, ୨୬, ୨୮ ଓ ୨୯ ତାରିଖରେ ସ୍ବାବ ସଂଗ୍ରହ କରାଯିବ। ଏଥିପାଇଁ ସ୍ବତନ୍ତ୍ର ସ୍ବାବ ସଂଗ୍ରହ କେନ୍ଦ୍ର ଖୋଲାଯିବ। ପ୍ରାଥମିକ ପର୍ଯ୍ୟାୟରେ ୫ ହଜାର କୋଭିଡ୍‌ ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି। ଆବଶ୍ୟକ ପଡ଼ିଲେ ଏହି ସଂଖ୍ୟା ବୃଦ୍ଧି କରାଯିବ। ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିବ, ସେହିମାନେ ହିଁ ନୀତିକାନ୍ତି କରିବେ। କୋଭିଡ୍‌ ଟେଷ୍ଟ ପରେ ସେବାୟତଙ୍କୁ ‌ହୋମ କ୍ବାରେଣ୍ଟାଇନ୍‌ରେ ରଖାଯିବ। ସ୍ବାବ ସଂଗ୍ରହ ପରେ ଯଥାଶୀଘ୍ର ଏହାର ରିପୋର୍ଟ ଦେବାକୁ ସରକାରଙ୍କୁ ଅନୁରୋଧ କରାଯିବ। ସହରର ସର୍ବସାଧାରଣ ସ୍ଥାନ ତଥା ବଡ଼ଦାଣ୍ଡ ଓ ସଂଯୋଗ କରୁଥିବା ସାହି ଗଳିକନ୍ଦିକୁ ବିଶୋଧନ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି, ସେବାୟତଙ୍କ ପାଇଁ ବୟନିକା ଠାରୁ ୫ ହଜାର ମାସ୍କ ମଗାଯାଇଛି। ସଂକ୍ରମଣମୁକ୍ତ ପାଇଁ ସବୁ ସେବାୟତ ପରିବାରକୁ ପର୍ଯ୍ୟାପ୍ତ ସାନିଟାଇଜର ଦେବାର ବ୍ୟବସ୍ଥା କରାଯାଉଛି। ସେବାୟତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ବତନ୍ତ୍ର ଭାବେ ଦୁଇଟି ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଉଛି। ଏହି କେନ୍ଦ୍ରରେ ଜଣେ ମେଡିସିନ୍‌ ବିଶେଷଜ୍ଞଙ୍କ ସହ ଅନ୍ୟ ଜଣେ ସହଯୋଗୀ ଡାକ୍ତର, ଆବଶ୍ୟକ ସ୍ବାସ୍ଥ୍ୟକର୍ମୀ ରହିବେ। ସେବାୟତ ପରିବାର ଏଠାରେ ନିଜ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିପାରିବେ। ଏଥିପାଇଁ ଆବଶ୍ୟକ ଔଷଧ ରାଜ୍ୟ ସରକାର ଯୋଗାଇଦେବେ। କରୋନା ସଚେତନତା ପାଇଁ ପୁରୀ ଜିଲ୍ଲାପାଳ ଏକ ସ୍ବତନ୍ତ୍ର ଦଳ ଗଠନ କରିଛନ୍ତି। ଏହି ସ୍ବତନ୍ତ୍ର ଦଳ ସେବାୟତଙ୍କ ଘର ଘର ବୁଲି କରୋନା ସଂକ୍ରମଣ, ଭୟାବହତା ଓ ଏହାଠାରୁ ଦୂରେଇ ରହିବାର ପ୍ରଣାଳୀ ଉପରେ ସଚେତନତା ସୃଷ୍ଟି କରିବ। ଆଜିର ଏହି ବୈଠକରେ ଜିଲ୍ଲାପାଳ ବଲୱନ୍ତ ସିଂ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ମିଶ୍ରଙ୍କ ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।



from Kanak News https://ift.tt/2VdRUaE https://ift.tt/2Nsy6Mi
୫ ହଜାର ସେବାୟତଙ୍କ ହେବ କୋଭିଡ୍‌ ଟେଷ୍ଟ । ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ନୀତିକାନ୍ତି । ବାହୁଡ଼ାରେ ସେବାୟତଙ୍କ ସହ ପୁଲିସ ଟାଣିବେ ରଥ Kanak News ୫ ହଜାର ସେବାୟତଙ୍କ ହେବ କୋଭିଡ୍‌ ଟେଷ୍ଟ । ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ନୀତିକାନ୍ତି । ବାହୁଡ଼ାରେ ସେବାୟତଙ୍କ ସହ ପୁଲିସ ଟାଣିବେ ରଥ Kanak News Reviewed by SUBHENDU BARAL on June 24, 2020 Rating: 5

No comments:

Powered by Blogger.