ହାଇଦ୍ରାବାଦ ୦୩।୦୬ : ତେଲେଙ୍ଗାନା ମହବୁବନଗରର ନବାବପେଟ ମଣ୍ଡଳ ସ୍ଥିତ ଏକ ଗାଁର ଲୋକଙ୍କ ମଧ୍ୟରେ ଆଚାରକୁ ନେଇ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁର ସରପଞ୍ଚ ଜଣକ ୪ ହଜାର ଲୋକଙ୍କୁ ଆଚାର ବାଣ୍ଟିଥିଲେ । ଉକ୍ତ ଆଚାର ପ୍ରସ୍ତୁତ କରିଥିବା ବ୍ୟକ୍ତି ଜଣକ କରୋନା ସଂକ୍ରମିତ ହୋଇଥିବା ପଛରେ ଜଣାପଡ଼ିଥିଲା । ଫଳରେ ଆଚାର ଖାଇଥିବା ଲୋକମାନେ କରୋନା ଭାଇରସରେ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ଉକ୍ତ ଗାଁର ୧୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି ।
ଗାଁ ମଧ୍ୟରେ ଥିବା ସମସ୍ତ ଦୋକନ ବଜାରକୁ ବନ୍ଦ କରି ଦିଆଯାଇଛି । କ୍ୱାରେଣ୍ଟାଇନରେ ଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ତେବେ ବର୍ତ୍ତମାନସୁଦ୍ଧା କୌଣସି ଗ୍ରାମବାସୀ ସଂକ୍ରମିତ ଚିହ୍ନଟ ହୋଇ ନଥିବା ସ୍ୱାସ୍ଥ୍ୟ ଅଧିକାରୀ ଡା. କେ କୃଷ୍ଣା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ସରପଞ୍ଚ ଏବଂ ତାଙ୍କ ପତ୍ନୀ ଗାଁରେ ଆଚାର ବାଣ୍ଟିବାକୁ ନିଷ୍ପତ୍ତି ନେଇଥିଲେ । ଏଣୁ ଗାଁଠାରୁ ୫୨ କିମି ଦୂର ଶାଦପୂରରେ ଥିବା ଜଣେ ଆଚାର ବ୍ୟବସାୟୀଙ୍କୁ ସେ ୨ କ୍ୱିଣ୍ଟାଲ ଆଚାର ନିର୍ମାଣ କରିବାକୁ ବରାଦ ଦେଇଥିଲେ । ୧୨ ଜଣ ମିଳିତ ଭାବେ ଆଚାର ପ୍ରସ୍ତୁତ କରିଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।
from Prameya News7 https://ift.tt/301NNS4
No comments: