ମୋହନା: ଜିନିଷପତ୍ର ରଖିବା ପାଇଁ ଘର ଭିତରେ ଥିବା ଏକ ଅଣ୍ଡର୍ଗ୍ରାଉଣ୍ଡ୍ରେ ପଶି ବାହାରି ନ ପାରି ୩ ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ଜନ୍ ମାଝୀଙ୍କ ୩ ପୁଅ ବିପ୍ର ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ ଟାରେ ବିପ୍ର ମାଝି ଜିନିଷ ପତ୍ର ରଖିବା ପାଇଁ ଘରର ମଝି ବଖରାରେ ଖୋଳାଯାଇଥିବା ଏକ ଅଣ୍ଡର୍ଗ୍ରାଉଣ୍ଡ୍ରେ ପଶିଥିଲେ। ଏହି ଅଣ୍ଡର୍ଗ୍ରାଉଣ୍ଡ୍ଟି ପ୍ରାୟ ୬ଫୁଟ ତଳକୁ ରହିଛି। ହେଲେ ଅଣ୍ଡର୍ଗ୍ରାଉଣ୍ଡ୍କୁ ଯିବା ପରେ ସେ ଆଉ ବାହାରି ପାରି ନ ଥିଲେ। ତା’ପରେ ସଞ୍ଜୀବ ଓ ଜିତୁ, ବିପ୍ରଙ୍କୁ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ ଆଉ ଫେରି ନଥିଲେ। ଫଳରେ ୩ ଭାଇ ଆଉ ବାହାରକୁ ନ ଆସିବାରୁ ସାନ ଭଉଣୀ ଏହା ଦେଖି ଚିତ୍କାର କରିଥିଲେ। ଏହାପରେ ପରିବାର ଲୋକେ ଅଣ୍ଡର୍ଗ୍ରାଉଣ୍ଡ୍ରେ ଦଉଡି ପକାଇ ୩ ଭାଇଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ବିରିକୋଟ ମେଡିକାଲରେ ଭର୍ତ୍ତି କରିଯାଇଥିଲା। ପରେ ମୋହନା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଏହାସହ ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ପଚରା ଉଚରା କରିଛି। ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କର ମୃତ୍ୟୁ ଘଟିଥିବା ପୁଲିସ୍ କହିଛି।
ସୂଚନାଥାଉ କି, ଆଜି ସେମାନଙ୍କ ସାନ ଭଉଣୀର ବିବାହ ତାରିଖ ସ୍ଥିର ହୋଇଥାନ୍ତି। ଏଥିପାଇଁ ବନ୍ଧୁବାନ୍ଧବଙ୍କଠୁ ଆରମ୍ଭ କରି ପରିବାର ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଖୁସି ଥିଲେ। ହେଲେ ହଠାତ୍ ପରିବାରର ୩ ପୁଅଙ୍କ ଏଭଳି ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
from OTV Khabar. https://ift.tt/3cRWfqC
No comments: