ରାଜଧାନୀରେ ଖୋଲିଲା ୮୫ ପାର୍କ, ଆଜି ଖୋଲିବ ଆଉ ୪୦: ସକାଳ ୭ଟାରୁ ୧୦ଟା, ଅପରାହ୍ଣ ୪ଟାରୁ ୬ଟା ଖୋଲା ରହିବ ପାର୍କ Kanak News

କନକ ବ୍ୟୁରୋ: ଗତକାଲିଠାରୁ ରାଜଧାନୀର ସମସ୍ତ ବଡ଼ ପାର୍କ ଖୋଲି ଯାଇଛି। ଗତକାଲି ବିଡିଏ ଅଧୀନରେ ଥିବା ସମସ୍ତ ୭୦ଟି ପାର୍କ ଓ ବିଏମସି ଅଧୀନରେ ଥିବା ୧୫ଟି ପାର୍କ ଖୋଲିଛି। ଏହିପରି ୮୫ଟି ପାର୍କ ଖୋଲିଥିବା ବେଳେ ଆଜିଠାରୁ ବିଏମସିର ବାକି ୪୦ଟି ପାର୍କ ଖୋଲିବାର ଯୋଜନା ଅଛି।
ପ୍ରାୟ ଦୁଇ ମାସ ବନ୍ଦ ରହିବା ପରେ ଗତକାଲି ବିଡିଏ କର୍ତ୍ତୃପକ୍ଷ ସମସ୍ତ ପାର୍କ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବାହ୍ନରେ ରାଜଧାନୀର ତିନିଟି ପ୍ରମୁଖ ପାର୍କ ଫରେଷ୍ଟ ପାର୍କ, ଆଇଜି ପାର୍କ ଓ ମଧୁସୂଦନ ପାର୍କ ଖୋଲିଥିବା ବେଳେ ଅପରାହ୍ଣରେ ସବୁ ପାର୍କ ଖୋଲି ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ସବୁ ପାର୍କଗୁଡ଼ିକ ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଓ ଅପରାହ୍ଣ ୪ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ଖୋଲା ରହିବ। କିନ୍ତୁ ପାର୍କରେ ଥିବା ଦୋଳି, ପିଲାଙ୍କ ଖେଳ ସାମଗ୍ରୀ ଓ ମୁକ୍ତାକାଶ ଜିମ୍ ବ୍ୟବହାର କରିପାରିବେନି। ଲୋକମାନେ କେବଳ ପାର୍କରେ ବସିବେ ଓ ଭ୍ରମଣ କରିପାରିବେ। କରୋନା ସଂକ୍ରମଣ ଆଶଙ୍କାରେ ଏଗୁଡ଼ିକୁ ବନ୍ଦ କରାଯାଇଛି। ଗତକାଲି ରବିବାର ଥିବାରୁ ଓ ପାର୍କ ଖୋଲି ଯାଇଥିବାରୁ ରାଜଧାନୀର ବିଭିନ୍ନ ପାର୍କରେ ଲୋକଙ୍କୁ ଦେଖିବାକୁ ମିଳିଥିଲା। ଯଦିଓ କରୋନା ପୂର୍ବ ଦିନଗୁଡ଼ିକ ଭଳି ଭିଡ଼ ନଥିଲା, କିନ୍ତୁ ଲୋକମାନେ ପାର୍କରେ ବୁଲିବାର ମଜା ନେଇଥିଲେ। ଅନେକ ଯୁବକ/ଯୁବତୀ ପାର୍କରେ ବିଭିନ୍ନ ପୋଜ୍ରେ ଫଟୋ ଉଠାଇବା ସହ ଟିକ୍ଟକ୍ ଭିଡିଓ ସୁଟିଂ କରୁଥିବା ଦେଖିବାକୁ ମିଳିଥିଲା।
କେବଳ ଏତିକି ନୁହେଁ, ପାର୍କ ଖୋଲୁଥିବାରୁ ପାର୍କ ବାହାରେ ଯେଉଁମାନେ ଖେଳନା, ଚାର୍ଟ, ଗୁପ୍ଚୁପ୍, ଝାଲ୍ ମୁଢ଼ି ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକନ୍ତି ସେଥିରୁ କିଛି ବ୍ୟବସାୟୀ ଷ୍ଟଲ୍ ଖୋଲିଥିବା ଦେଖିବାକୁ ମିଳିଥିଲା।
from Kanak News https://ift.tt/36tRmlh https://ift.tt/2TAVrPe
No comments: