ମଦ ପାଇଁ ରଖିଲେନି ସାମାଜିକ ଦୂରତା, ପିନ୍ଧିଲେନି ମାସ୍କ । ନାଲିପାଣି ପାଇଁ ଦୋକାନରେ ରୁଣ୍ଡ ହେଲେ ଶହ ଶହ ଲୋକ Kanak News

କନକ ବ୍ୟୁରୋ : ସରକାର ହୋମ୍ ଡେଲିଭେରି ଯୋଗେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ଅନୁଗୁଳରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ଅନୁଗୁଳ ଗାନ୍ଧୀ ମାର୍ଗ(ଗାନ୍ଧୀ ଛକ)ରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନରୁ ଲୋକମାନଙ୍କୁ ସିଧାସଲଖ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଏପରିକି ସାମାଜିକ ଦୂରତା ବି ରକ୍ଷା କରାଯାଇ ନାହିଁ । ଅଧିକାଂଶ ଲୋକ ମାସ୍କ ମଧ୍ୟ ପିନ୍ଧିନଥିଲେ । ପୁଲିସ ଓ ଅବକାରୀ ବିଭାଗର ଅଧିକାରୀମାନେ ଜାଣିବା ପରେ ବି ନିରବ ରହିଥିଲେ ।
ଲକ୍ଡାଉନ ଯୋଗୁଁ ରାଜ୍ୟରେ ମଦ ବିକ୍ରି ଉପରେ କଟକଣା ଲାଗିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ କେବଳ ହୋମ୍ ଡେଲିଭେରି ବ୍ୟବସ୍ଥାରେ ମଦ ଯୋଗାଇବା ପାଇଁ ସରକାର ଅନୁମତି ଦେଇଛନ୍ତି। ତେବେ ଏଥିପାଇଁ ଗାଇଡ୍ଲାଇନ୍ ରହିଛି । ଗାଇଡ୍ଲାଇନ୍ ଅନୁଯାୟୀ ମଦ ଦୋକାନଗୁଡ଼ିକରେ କେତେ ମଦ ରହିଛି, ଏବେ ଗୋଟି ଗୋଟି ଯାଂଚ କରାଯାଉଛି । ରାଜ୍ୟ ସରକାର ମଦ ଉପରେ ୫୦ ପ୍ରତିଶତ କୋଭିଡ୍ ଫି’ ଲଗାଇଛନ୍ତି । ଏଣୁ ପ୍ରତ୍ୟେକ ବୋତଲରେ ଏସଂପର୍କିତ ଷ୍ଟିକର ଲଗାଯିବା ସହିତ ମଦ ଦୋକାନରେ କାମ କରୁଥିବା ତଥା ହୋମ୍ ଡେଲିଭେରିରେ ନିୟୋଜିତ ଲୋକଙ୍କ ପରିଚୟ ପତ୍ର କରାଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ଅନୁଗୁଳ ଜିଲ୍ଲାରେ ୯ଟି ଠିପି ଖୋଲା ଏବଂ ୫୬ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି।
ତେବେ ଗତକାଲି କେବଳ ୪ଟି ଦୋକାନର ଯାଂଚ(ଫିଜିକାଲ ଭେରିଫିକେସନ୍) ହୋଇପାରିଥିଲା। ଆଉ ଆଜି ସାନହୁଲା, ତାଳଚେରର ଦୁୁଇ ନମ୍ବର ଦୋକାନ ଏବଂ ଅନୁଗୁଳ ଗାନ୍ଧୀ ଛକରେ ଥିବା ବିଦେଶୀ ମଦ ଦୋକାନରୁ ହୋମ୍ ଡେଲିଭରି କାମ ଆରମ୍ଭ ହୋଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କରଡ଼ାଗାଡ଼ିଆ ପାଇଁ ଅନୁମତି ମିଳିଥିଲେହେଁ ସହରର ଜନଗହଳିପୂର୍ଣ୍ଣ ଗାନ୍ଧୀ ଛକରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁୁଖରେ ଆଜି ସକାଳୁ ଭିଡ଼ ରହିଥିଲା। ମଦ ଦୋକାନର ସଟର୍୍ ବନ୍ଦ ରହିଥିବା ବେଳେ ପାଖରେ ଥିବା ଅନ୍ୟ କବାଟ ଦେଇ ଦୋକାନ ଭିତରୁ ଜଣେ ଲୋକ ଆସି ବାହାରେ ଅପେକ୍ଷାରତ ଲୋକଙ୍କଠାରୁ ଚିଠା ଓ ଟଙ୍କା ନେଇ ଭିତରକୁ ଯାଉଥିଲେ। କିଛି ସମୟ ପରେ ଦୋକାନ ଭିତରୁ ବାହାରି ସେ ପୁଣି ଲୋକଙ୍କଠାରୁ କିଛି ଟଙ୍କା ନେବା ପରେ ମଦ ଦେଉଥିଲେ। ମଦ ବାବଦକୁ ଟଙ୍କା ନେବା ପରେ ତା’ ବାହାରେ ସେ ଶହେ/୨ ଶହ ଟଙ୍କା ନେଉଥିଲେ। ଲୋକମାନେ ବି ଏହାର ପ୍ରତିବାଦ ନକରି ଟଙ୍କା ଦେଇଥିବା ଦେଖିବାକୁୁ ମିଳିଥିଲା। ତେବେ ଅପରାହ୍ଣ ୪ଟାରୁ ୬ଟା ମଧ୍ୟରେ ସେଠାରେ ପ୍ରବଳ ଭିଡ଼ ହୋଇଥିଲା।
from Kanak News https://ift.tt/2M0bjqw https://ift.tt/2XrKd0N
No comments: