
କନକ ବ୍ୟୁରୋ : ମେଘୁଆ ପାଗ ଯୋଗୁଁ ଏ ବର୍ଷ ଫିକା ହୋଇ ଯାଇପାରେ ହୋଲି। ଆସନ୍ତା ୧୪ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ କଟକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। କଟକରେ ୫୩ ମିମି ବର୍ଷା ହୋଇଥିବା ବେଳେ ଫୁଲବାଣୀରେ ୩୬.୪ ମିମି, ନୟାଗଡ଼ରେ ୨ମିମି, ଚାନ୍ଦବାଲିରେ ୩ମିମି, ବାଲେଶ୍ବର ଓ ଭୁବନେଶ୍ବରରେ ୦.୪ମିମି, ଅନୁଗୁଳ ଓ ତାଳଚେରରେ ୨ମିମି ବର୍ଷା ହୋଇଛି। ସାରା ରାଜ୍ୟରେ କୋହଲା ପାଗ ଜାରି ରହିଥିବା ବେଳେ କିଛି କିଛି ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଆହୁରି ୭ ଦିନ ଏହିପରି ପାଗ ଜାରି ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

୯ତାରିଖରେ ରାୟଗଡ଼ା, ଗଜପତି, ନୂଆପଡ଼ା, କନ୍ଧମାଳର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୧୦ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ଗଞ୍ଜାମ, କନ୍ଧମାଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼ରେ କୁଆପଥର ବର୍ଷା ସହ ୩୦ରୁ ୪୦କିମି ବେଗରେ ପବନ ବହିବ। ୧୧ଓ ୧୨ରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୩ ଓ ୧୪ତାରିଖରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ।
from Kanak News https://ift.tt/39wjNQ8 https://ift.tt/39eYmDb
No comments: