ଭୁବନେଶ୍ୱର: କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି। ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ ଅଛନ୍ତି। ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି।
କରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରର ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ସ୍ୱତନ୍ତ୍ର ଭାବେ ରଖାଯାଇଥିଲା।
ଅନ୍ୟପକ୍ଷରେ, ପୁଅ ଫେରିବା ଖବର ପାଇ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଖୁବ୍ ଆଶ୍ୱସ୍ତ ଥିବା କହିଛନ୍ତି। ଆଜି ସକାଳ ୫ଟାରେ ପୁଅ ବିମାନରେ ଭାରତ ଫେରୁଥିବା ବେଳେ ସେ କଥା ହୋଇଥିଲେ। ଜାପାନରେ ପୁଅର କରୋନା ଟେଷ୍ଟ ନେଭେଟିଭ୍ ଆସିଛି। କିନ୍ତୁ ଭାରତ ଫେରିବା ପରେ ଅନ୍ୟମାନଙ୍କ ସମେତ ପୁଅକୁ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ପରୀକ୍ଷା କରାଯିବ। ତେଣୁ ଘରକୁ ଫେରିବାରେ ପୁଅର ବିଳମ୍ବ ହେବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି।
ଚୀନର ଉହାନରେ ଫସି ରହିଥିବା ୭୬ଜଣ ଭାରତୀୟ ମଧ୍ୟ ଆଜି ସ୍ୱଦେଶ ଫେରିଛନ୍ତି। ଏଥିସହ ବାଂଲାଦେଶ, ମିଆଁମାର, ମାଲଦ୍ୱୀପ, ଚୀନ, ଦକ୍ଷିଣ କୋରିଆ, ଆମେରିକାର ୩୬ଜଣ ଯାତ୍ରୀ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଗ୍ଲୋବ୍ ମାଷ୍ଟର C 17ରେ ଭାରତ ଫେରିଛନ୍ତି।
ଯାତ୍ରୀମାନଙ୍କ ଫେରିବା ପାଇଁ ଜାପାନ ଓ ଚୀନ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କୃତଜ୍ଞତା ଜଣାଇଛନ୍ତି।
from OTV Khabar. https://ift.tt/2vnkE6O
No comments: