ରେଢାଖୋଲ: ଘରର ବଡ଼ପୁଅ ଥିଲେ, ବୟସ ମାତ୍ର ୧୭ ବର୍ଷ। ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ଗାଁ ପିଲାଙ୍କ ସହ ଦାଦନ ଖଟିବାକୁ ଓଡ଼ିଶା ବାହାରକୁ ଯାଇଥିଲେ। ଭଲ ଦୁଇ ପଇସା ରୋଜଗାର କରିବେ, ଯାହାଦ୍ୱାରା ପରିବାରର ଅଭାବ ଅନଟନ ଦୂର ହୋଇଯିବ ବୋଲି ଭାବି ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଦାଦନ ଖଟିବାକୁ ଯାଇଥିବା ଏହି ନାବାଳକ ଜଣକ ଶେଷରେ ଶବ ହୋଇ ଫେରିଛନ୍ତି। ଏପରି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ବାରବାଙ୍କ ଗାଁରେ।
ପରିବାର ପ୍ରତିପୋଷଣ କରିବାରେ କଷ୍ଟକର ହେବାରୁ ବାରବାଙ୍କ ଗାଁର ଭିଭି ପ୍ରଧାନଙ୍କ ବଡ଼ ପୁଅ ଜିତେନ କିଛି ମାସ ତଳେ ଗାଁ ପିଲାଙ୍କ ସହ ମିଶି ଗୁଜରାଟର ଅମରଗାଁଓକୁ ଯାଇଥିଲେ। ସେଠାରେ ଏକ ସୂତା କଳରେ କାମ କରିବା ପାଇଁ ସେ ଯାଇଥିଲେ। ହେଲେ ଜିତେନ ଆତ୍ମହତ୍ୟା କରିଥିବା ନେଇ ଗତ ୩ ତାରିଖରେ ପରିବାର ଲୋକଙ୍କ ନିକଟକୁ ଖବର ଆସିଲା। ହଠାତ୍ ତାଙ୍କର ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକେ ପୂରାପୂରି ଭାଙ୍ଗି ପଡ଼ିଛନ୍ତି। ସେମାନେ ସହଜରେ ଜିତେନ୍ଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି। ସେ କେବେବି ଆତ୍ମହତ୍ୟା କରିନଥିବେ ବୋଲି ପରିବାର ଲୋକେ କହିଛନ୍ତି।
‘ମୋ ନାତି କେବେବି ଆତ୍ମହତ୍ୟା କରି ନ ଥିବ। ତାକୁ କେହି ପିଟିପିଟି ହେଉ କିମ୍ବା ଅନ୍ୟ କେଉଁ ଉପାୟରେ ମାରି ଦେଇଥିବେ’ ବୋଲି କୋହଭରା କଣ୍ଠରେ ଜିତେନଙ୍କ ଆଈ ଏହା କହିଛନ୍ତି।
ଏପଟେ ରୁମରେ ଆତ୍ମହତ୍ୟା କରିଛନ୍ତି ବୋଲି କମ୍ପାନୀରେ କାମ କରୁଥିବା ଜିତେନ୍ର ସାଥିମାନେ କହିଛନ୍ତି।
ଅନ୍ୟପକ୍ଷରେ ଗତକାଲି ଗୁଜରାଟରୁ ମୃତଦେହ ନେଇ ଆସିଥିବା ଆମ୍ବୁଲାନ୍ସ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲୋକେ ଅଟକ ରଖିଥିଲେ। ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କମ୍ପାନୀ କର୍ତ୍ତୃପକ୍ଷ ୩୦ ହଜାର ଟଙ୍କା ସହାୟତା ଦେବା ପରେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ ଲୋକେ।
from OTV Khabar. https://ift.tt/2SU11Ne
No comments: