ପିଆଜ ଦର ଖସୁଛି, ଆଳୁ ଦର ବଢୁଛି । ଖୁଚୁରା ବଜାରରେ ଖାଉଟିଙ୍କୁ ଶୋଷଣ, ୨୨ରେ କିଣୁଛନ୍ତି ୩୨ରେ ବିକୁଛନ୍ତି Kanak News

କନକ ବ୍ୟୁରୋ : ପିଆଜ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଥିବା ବେଳେ ଅମଳ ସମୟରେ ଆଳୁ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି। ବଜାରକୁ ନୂଆ ଆଳୁ ଆସିବା ସତ୍ତ୍ବେ ଦର ବୃଦ୍ଧି ଘଟୁଥିବାରୁ ବଜାର ବିଶେଷଜ୍ଞମାନେ ବିସ୍ମୟ ପ୍ରକାଶ କରିଛନ୍ତି। ଶୀତଳଭଣ୍ଡାରରେ ଆଳୁ ସାଇତିଥିବା ବଡ଼ ବଡ଼ ବ୍ୟବସାୟୀମାନଙ୍କ ଷଡଯନ୍ତ୍ର ସମ୍ପ୍ରତି ଆଳୁ ବଜାରରେ ଖାଉଟିଙ୍କୁ ହନ୍ତସନ୍ତ କରୁଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି। ସେହିଭଳି ଦର ବୃଦ୍ଧି ବାହାନାରେ ଖୁଚୁରା ବେପାରୀମାନେ ମଧ୍ୟ ଖାଉଟିଙ୍କୁ ଶୋଷଣ କରୁଛନ୍ତି। ପାଇକାରୀ ଦର ୨୨ଟଙ୍କାରେ କିଣି ୩୨ ଟଙ୍କାରେ ବିକୁଛନ୍ତି। ଯୋଗାଣ ବିଭାଗ ହାତବାନ୍ଧି ବସିଥିବା ମଉକାରେ ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଶୋଷି ଚାଲିଛନ୍ତି।

ବହୁ ପାଇକାରୀ ବ୍ୟବସାୟୀଙ୍କ କହିବା କଥା ଏବେ ବଜାରକୁ ନୂଆ ଆଳୁ ଆସି ଗଲାଣି। ପଶ୍ଚିମବଙ୍ଗ ସହ ଉତ୍ତରପ୍ରଦେଶରୁ ମଧ୍ୟ ନୂଆ ଆଳୁ ଆସୁଛି। କିନ୍ତୁ ତାହା ଯଥେଷ୍ଟ ହେଉନାହିଁ। ତେଣୁ ପୁରୁଣା ଆଳୁ ଦର କମିବା କଥା। ମାତ୍ର ଏହି ମଉକାରେ ଶୀତଳଭଣ୍ଡାରରେ ଆଳୁ ସାଇତି ରଖିଥିବା କିଛି ହାତଗଣତି ବଡ଼ ବଡ଼ ବ୍ୟବସାୟୀ ଚତୁରତାର ସହ ମାଲ୍ ଚାପି ରଖିଲେ। ବର୍ଷା ଆଶଙ୍କାରୁ ଚାଷୀମାନେ ସାମୟିକ ଭାବେ ଆଳୁ ଅମଳ ସ୍ଥଗିତ ରଖିବା ଦେଖି ବ୍ୟବସାୟୀମାନେ ପୁରୁଣା ଆଳୁ ଯୋଗାଣ କମାଇ ଦେଲେ। ଫଳରେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଆଳୁର କୃତ୍ରିମ ଅଭାବ ସୃଷ୍ଟି ହୋଇଗଲା ଓ ହଠାତ୍ ୧୫ ଟଙ୍କାରୁ ଦର ବଢ଼ି ବଢ଼ି ୩୫ଟଙ୍କାକୁ ଛୁଇଁଗଲା। ତେବେ ଏହି ପ୍ରକ୍ରିୟାଟି ଖୁବ୍ କମ ସମୟ ପାଇଁ କାମ କଲେ ମଧ୍ୟ ସେହି ବଡ଼ ବଡ଼ ବ୍ୟବସାୟୀମାନେ ଏତିକି କମ୍ ସମୟରେ ବି କୋଟି କୋଟି ଟଙ୍କା ବଜାରରୁ ପାଇଗଲେ। ସେହିଭଳି ଯୋଗାଣ ବିଭାଗର ଉଦାସୀନତା ଦେଖି ଖୁଚୁରା ବେପାରୀମାନେ ବି କିଲୋ ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ମୁନାଫା ରଖି ଖାଉଟିଙ୍କୁ ଶୋଷି ଚାଲିଲେ। ତେଣୁ ବିଚରା ଖାଉଟି ହିଁ ବଜାରରେ ଶୋଷଣର ଶିକାର ହୋଇ ଚାଲିଛି।

ଏବେ ପିଆଜର ପାଇକାରୀ ଦର ୪୫ଟଙ୍କାକୁ ଖସି ଆସିଛି। ମାତ୍ର ଖୁଚୁରା ବଜାରରେ କିଲୋ ୭୦ଟଙ୍କାରୁ କମୁ ନାହିଁ। ରବିବାର କ୍ୟାପିଟାଲ ହାଟରେ ଆଳୁ କିଲୋ ୩୦ ଟଙ୍କା ଥିବା ବେଳେ ଖଣ୍ଡଗିରି ଭଳି ରାଜଧାନୀର ଅନ୍ୟ ଛୋଟ ଛୋଟ ସାପ୍ତାହିକ ହାଟରେ ଦାମ ୩୫ ଟଙ୍କା ଥିଲା। ସେହିଭଳି କ୍ୟାପିଟାଲ ହାଟରେ ପିଆଜ କିଲୋ ୫୫ଟଙ୍କାରେ ବିକ୍ରି ହେଉଥିବା ବେଳେ ସ୍ଥାନୀୟ ହାଟରେ ଦର ୭୦ ଟଙ୍କା ରହିଛି। ମାତ୍ର ଏସବୁ ତଦାରଖ ପାଇଁ କେହି ନାହିଁ।

ରାଜଧାନୀର କୁବେରପୁରୀ ତଥ୍ୟାନୁସାରେ, ଶନିବାର ଆଳୁର ପାଇକାରୀ ଦର ୨୬ ଟଙ୍କା ଥିଲା ଓ ସୋମବାର ତାହା ୨୨ଟଙ୍କାକୁ ଖସି ଆସିଛି। ରବିବାର ଆଳୁ ଆମଦାନି ବଢ଼ିଛି। ନୂଆ ଆଳୁ ଅମଳ ବଢ଼ିବା ପୂର୍ବରୁ ଶୀତଳଭଣ୍ଡାରରେ ଚାପି ରଖାଯାଇଥିବା ପୁରୁଣା ଆଳୁ ବଜାରକୁ ଛଡ଼ା ଯାଇଛି। ତେଣୁ ଏଭଳି ସ୍ଥିତିରେ ଛୋଟ ଛୋଟ ପାଇକାରୀ ବେପାରୀମାନେ ମାଲ୍ କିଣିବାକୁ ପସନ୍ଦ କରୁନାହାନ୍ତି। ଫଳରେ ବହୁ ଟ୍ରକ୍ ମାଲ୍ ଧରି ଅପେକ୍ଷା କରିଛନ୍ତି। ତେଣୁ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ନୂଆ ଓ ପୁରୁଣା ଆଳୁ ବଜାରରେ ମୁହାଁମୁହିଁ ହେବେ ଓ ଆଖିଦୃଶିଆ ଦର ହ୍ରାସ ଘଟିବ ବୋଲି ବ୍ୟବସାୟୀମାନେ କହିଛନ୍ତି।



from Kanak News https://ift.tt/2N3KlPz https://ift.tt/30l7H7S
ପିଆଜ ଦର ଖସୁଛି, ଆଳୁ ଦର ବଢୁଛି । ଖୁଚୁରା ବଜାରରେ ଖାଉଟିଙ୍କୁ ଶୋଷଣ, ୨୨ରେ କିଣୁଛନ୍ତି ୩୨ରେ ବିକୁଛନ୍ତି Kanak News ପିଆଜ ଦର ଖସୁଛି, ଆଳୁ ଦର ବଢୁଛି । ଖୁଚୁରା ବଜାରରେ ଖାଉଟିଙ୍କୁ ଶୋଷଣ, ୨୨ରେ କିଣୁଛନ୍ତି ୩୨ରେ ବିକୁଛନ୍ତି Kanak News Reviewed by SUBHENDU BARAL on January 06, 2020 Rating: 5

No comments:

Powered by Blogger.