ସାଧାରଣତନ୍ତ୍ର ଦିବସ ଲାଗି ଉତ୍ସବମୁଖର ରାଜ୍ୟ । ପରେଡ ଗ୍ରାଉଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି, ସାଢେ ୮ଟାରେ ପତାକା ଉତ୍ତୋଳନ Kanak News

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସ ଅବସରରେ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏଠାରେ ବସି ମୁଖ୍ୟମନ୍ତ୍ରୀ ସମାରୋହକୁ ଉପଭୋଗ କରିବା କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଏଠାକାର ପ୍ରସ୍ତୁତିକୁ ଅନୁଧ୍ୟାନ କରିଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିୟାନ୍। ପରେଡ୍ ସ୍ଥଳ ନିକଟରେ ପହଞ୍ଚି ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସୁରକ୍ଷା ବାବଦକୁ ଅତିରିକ୍ତ ପୁଲିସ କମିସନର ଅନୁପ କୁମାର ସାହୁଙ୍କ ସହ କଥା ହୋଇଥିଲେ। ପରେଡ୍ ଗ୍ରାଉଣ୍ଡ ବୁଲିବା ସହ ମଞ୍ଚ ଓ ଭିଭିଆଇପି ବସିବା ପାଇଁ ହୋଇଥିବା ସ୍ଥାନ ବୁଲି ଦେଖିଥିଲେ।
ସୂଚନା ମୁତାବକ, ସକାଳ ୮ଟା ୩୦ ମିନିଟ୍ ବେଳେ ପତାକା ଉତ୍ତୋଳନ କରାଯିବ। ପରେଡ୍ କମାଣ୍ଡର ଭାବରେ ଡିସିପି ସାଗରିକା ନାଥ ଟ୍ରୁପ୍ର ନେତୃତ୍ବ ନେବେ। ଏହାସହ ୧୨୦ ବାଟାଲିୟନ୍, ସିଆରପି, ଆରପିଏଫ୍, ରାଜ୍ୟ ପୁଲିସର ଆଇଆର୍ ବାଟାଲିୟନ୍, ଓଏସ୍ଏପି, ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ, ଏସ୍ଓଜି, ଓଏସ୍ଏଏଫ୍, ଓଆଇଏସ୍ଏଫ୍, ଏପିଆର, ଟ୍ରାଫିକ୍ ପୁଲିସ (ମହିଳା), ଅଗ୍ନିଶମ, ଓଡ୍ରାଫ୍, ସିଭିଲ୍ ଡିଫେନ୍ସ, ଏନ୍ସିସି, ସୈନିକ ସ୍କୁଲ ସମେତ ୪୮ଟ୍ରୁପ୍ ପରେଡ୍ ପ୍ରଦର୍ଶନ କରିବେ। ସେହିଭଳି ୨ଟି ସଂସ୍ଥା ଡେୟାର ଡେଭିଲ୍ ସୋ’ କରିବେ, ଗୋଟିଏ ସ୍କେଟିଂ, ୪ଟି ସାଂସ୍କୃତିକ ସଂଗଠନର ଗୋଟିପୁଅ, ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବଣ୍ଡା ନୃତ୍ୟ ଆକର୍ଷଣ ସାଜିବ। ୧୧ଟି ବିଭିନ୍ନ ସରକାରୀ ବିଭାଗର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ଏଠାରେ ପାଖାପାଖି ୨୦ହଜାର ଲୋକ ଉପସ୍ଥିତ ରହି ଏହି ସମାରୋହକୁ ଉପଭୋଗ କରିବା ଭଳି ବ୍ୟବସ୍ଥା ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
from Kanak News https://ift.tt/2ROh0KG https://ift.tt/30SkxeW
No comments: