ଆଜିଠୁ ଜେଇଇ ମେନ୍ ଆରମ୍ଭ: ରାଜ୍ୟର ୭ଟି ସହରରେ ପରୀକ୍ଷା ଦେବେ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ Kanak News

କନକ ବ୍ୟୁରୋ: ଦେଶରେ ଥିବା ସମସ୍ତ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜର ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍ ଆରମ୍ଭ ହେବ। ଜାନୁଆରି ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଦେଶ ଓ ବିଦେଶରେ ୨୩୩ ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ଯେଉଁଠାରେ ପ୍ରାୟ ୯ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶାର ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଲାଗି ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ପାଇଁ ୭ଟି ସହର ଯଥା ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁରରେ ପରୀକ୍ଷା କେନ୍ଦ୍ର କରାଯାଇଛି।

ବ୍ୟାଚଲର ଇନ୍ ଇଞ୍ଜିନିୟରିଂ(ବିଇ) ଓ ବ୍ୟାଚଲର୍ ଇନ୍ ଟେକ୍ନୋଲୋଜି(ବି.ଟେକ୍) ପାଠ୍ୟକ୍ରମ ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ(ସିବିଟି) ମୋଡରେ ହେବ। ବି.ଆର୍କିଟେକର ମ୍ୟାଥମେଟିକ୍ସ ପାର୍ଟ-୧ ଓ ଅପ୍ଟିଚ୍ୟୁଡ୍ ଟେଷ୍ଟ ପାର୍ଟ-୨ ସିବିଟି ମୋଡରେ ହେବାକୁ ଥିବା ବେଳେ ଡ୍ରଇଂ ଟେଷ୍ଟ ପାର୍ଟ-୩ ପେନ୍ ଆଣ୍ଡ ପେପର(ଅଫଲାଇନ୍) ମୋଡ୍ରେ କରାଯିବ। ସେହିପରି ବି.ପ୍ଲାନିଂର ମ୍ୟାଥମେଟିକ୍ସ ପାର୍ଟ-୧, ଅପ୍ଟିଚ୍ୟୁଡ୍ ଟେଷ୍ଟ ପାର୍ଟ-୨ ଓ ପ୍ଲାନିଂ ବେସଡ୍ ପ୍ରଶ୍ନପତ୍ର ପାର୍ଟ-୩ ପରୀକ୍ଷା ସିବିଟି ମୋଡରେ ହେବ। ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପୂର୍ବାହ୍ନ ୯ଟା ୩୦ରୁ ମଧ୍ୟାହ୍ନ ୧୨ଟା ୩୦ ଯାଏ ପ୍ରଥମ ସିଟିଂ ଏବଂ ଅପରାହ୍ନ ୨ଟା ୩୦ରୁ ୫ଟା ୩୦ ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା କରାଯିବ। ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯିବ।

ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ସହ ଗୋଟିଏ ପାସ୍ପୋର୍ଟ ସାଇଜ୍ ଫଟୋ ଓ ପରିଚୟପତ୍ର ଆଣିବାକୁ ବାଧ୍ୟତାମୂଳକ କରାଯାଇଛି। ପରିଚୟପତ୍ର ଭାବେ ପ୍ୟାନ୍ କାର୍ଡ/ଡ୍ରାଇଭିଂ ଲାଇସେନ୍ସ/ରେସନ୍ କାର୍ଡ/ଦ୍ବାଦଶ ଶ୍ରେଣୀ ପରୀକ୍ଷାର ଫଟୋ ଲାଗିଥିବା ବୋର୍ଡ ଆଡମିଟ୍ କାର୍ଡ/ଫଟୋ ଥିବା ବ୍ୟାଙ୍କ ପାସବୁକକୁ ବ୍ୟବହାର କରାଯାଇପାରିବ। ପୂର୍ବବର୍ଷଗୁଡ଼ିକ ପରି ଏଥର ବି କୌଣସି ସାମଗ୍ରୀ ଯଥା ମୋବାଇଲ୍, କ୍ୟାମେରା, ପେନ୍ ଡ୍ରାଇଭ୍, ପେନସିଲ୍ ବାକ୍ସ, ହ୍ୟାଣ୍ଡବ୍ୟାଗ୍, ପର୍ସ, ପାଣି ବୋତଲ, ଷ୍ଟେସନାରି ସାମଗ୍ରୀ, ମାଇକ୍ରୋଫୋନ୍ ଆଦି ନ ଆଣିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ପରିଚୟପତ୍ର ଯାଞ୍ଚ ବିନା କୌଣସି ବି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ଛଡ଼ାଯିବ ନାହିଁ। ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। କେନ୍ଦ୍ର ଭିତରେ ପେନ୍/ପେନସିଲ୍, ସାଦା କାଗଜ ଯୋଗାଇ ଦିଆଯିବ। ବିଳମ୍ବରେ ଆସୁଥିବା ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ହେବେ।

ପରୀକ୍ଷା ସରିବା ପରେ ପରୀକ୍ଷା ପରିଚାଳନା କରୁଥିବା ଏନଟିଏ(ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି) ପକ୍ଷରୁ ଉତ୍ତର କି’ ପ୍ରକାଶ କରାଯିବ। ଜାନୁଆରି ୩୧ରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ଏପ୍ରିଲ ୩ରୁ ୯ ଯାଏ ଜେଇଇ ମେନ୍-୨ ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି।



from Kanak News https://ift.tt/2T2da2R https://ift.tt/39MiBcb
ଆଜିଠୁ ଜେଇଇ ମେନ୍ ଆରମ୍ଭ: ରାଜ୍ୟର ୭ଟି ସହରରେ ପରୀକ୍ଷା ଦେବେ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ Kanak News ଆଜିଠୁ ଜେଇଇ ମେନ୍ ଆରମ୍ଭ: ରାଜ୍ୟର ୭ଟି ସହରରେ ପରୀକ୍ଷା ଦେବେ ପ୍ରାୟ ୩୩ ହଜାର ଛାତ୍ରଛାତ୍ରୀ Kanak News Reviewed by SUBHENDU BARAL on January 05, 2020 Rating: 5

No comments:

Powered by Blogger.