୨୦୨୩ ସୁଦ୍ଧା ତାଳଚେର ସାର କାରଖାନା : ଉତ୍ପାଦିତ ହେବ ଦୈନିକ ୨୨ଶହ ଟନର ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍‌ ୟୁରିଆ Kanak News

କନକ ବ୍ୟୁରୋ :  ୨୦୨୩ ମସିହା ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା (ଟିଏଫ୍‌ଏଲ୍)। କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ ୟୁରିଆ ସାର କାରଖାନା କାର୍ଯ୍ୟକ୍ଷମ ହେବାରେ ଟିଏଫ୍‌ଏଲ ଦେଶରେ ପ୍ରଥମ ପ୍ରକଳ୍ପ। ଏଥିରୁ ଦୈନିକ ୨୨ଶହ ଟନ୍‌ର ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍‌ ୟୁରିଆ ଉତ୍ପାଦିତ ହେବ। ଏହାସହ ବାର୍ଷିକ ୧.୨୭ମିଲିଅନ୍ ଟନ୍ ନିମ୍ବ ଆସ୍ତରଣଯୁକ୍ତ ୟୁରିଆ ସାର ଉତ୍ପାଦିତ ହେବ। ଏହାଛଡ଼ା ଦୈନିକ ୧୦୦ ମେଟ୍ରିକ୍ ଟନ୍‌ ବିକ୍ରି ଯୋଗ୍ୟ ସଲଫର ମଧ୍ୟ ଉତ୍ପାଦିତ ହେବ। ଏହି କାରଖାନା କାର୍ଯ୍ୟକ୍ଷମ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ୧୦ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପାଇବେ ବୋଲି କହିଛନ୍ତି କେନ୍ଦ୍ର ସାର ମନ୍ତ୍ରଣାଳୟ ସଚିବ ଛବିଳେନ୍ଦ୍ର ରାଉଳ।

 

ଆଜି ହୋଟେଲ ମେ ଫେୟାରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉଳ କହିଲେ, ଦେଶରେ ବାର୍ଷିକ ୩୨୦ଲକ୍ଷ ମେଟ୍ରିକ୍ ଟନ୍‌ର ସାର ଆବଶ୍ୟକତା ଥିବା ବେଳେ ଦେଶରେ ୨୪୦ଲକ୍ଷ ମେଟ୍ରିକ୍ ଟନ୍‌ ଉତ୍ପାଦିତ ହେଉଛି। ଯାହାଫଳରେ ପ୍ରତିବର୍ଷ ୮୦ ମେଟ୍ରିକ୍ ଟନ୍‌ ସାର ବିଦେଶରୁ ଆମଦାନି କରିବାକୁ ପଡ଼ୁଛି। ତେବେ ତାଳଚେର ସମେତ ଦେଶରେ ଆହୁରି ୫ଟି ଏଭଳି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ସିନ୍ଧ୍ରି, ବରାଉଣୀ, ଗୋରଫୁର ଓ ରାମାଗୁଣ୍ଡମଠାରେ ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ କାରଖାନାରୁ ୧୨.୭ଲକ୍ଷ ମେଟ୍ରିକ୍ ଟନ୍‌ ସାର ଉତ୍ପାଦିତ ହେବାକୁ ଥିବା ବେଳେ ଦେଶରେ ଉତ୍ପାଦନ କ୍ଷମତା ଆହୁରି ୬୨ଲକ୍ଷ ମେଟ୍ରିକ୍ ବୃଦ୍ଧି ପାଇବ। ୨୦୨୩ ମସିହାରୁ ବିଦେଶରୁ ଆଉ ୟୁରିଆ ସାର ଆମଦାନି କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି। ପ୍ରାକୃତିକ ଗ୍ୟାସ୍‌ରେ ୟୁରିଆ ଉତ୍ପାଦନ ପାଇଁ ଯେତିକି ଟଙ୍କା ଖର୍ଚ ହୋଇଥାଏ କୋଇଲା ଗ୍ୟାସିଫିକେସନ୍‌ରେ ମଧ୍ୟ ସମାନ ଟଙ୍କା ଖର୍ଚ ହେବ।

ତାଳଚେର ସାର କାରଖାନାରେ ଗେଲ୍ ଇଣ୍ଡିଆ, କୋଲ୍‌ ଇଣ୍ଡିଆ, ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫର୍ଟିଲାଇଜର ବା ଏଫ୍‌ସିଆଇଏଲର ଏଥିରେ ଅଂଶୀଦାର ରହିଛି। ତାଳଚେର ଅଞ୍ଚଳରେ ଗଚ୍ଛିତ ଥିବା କୋଇଲାକୁ ପରିବେଶ ଅନୁକୂଳ ଶୈଳୀରେ ଉପଯୋଗ କରାଯିବ। କାରଖାନାରୁ ଦୈନିକ ୨.୩୮ ମିଲିୟନ କ୍ୟୁବିକ୍ ମିଟର ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ।

ଯାହାଫଳରେ ଏଲ୍‌ପିଜି ଆମଦାନି ଖର୍ଚ ଅନେକ ମାତ୍ରାରେ ହ୍ରାସ ପାଇବ। ଟିଏଫ୍‌ଏଲ୍‌ର ବିଭିନ୍ନ ନିର୍ମାଣ ପାଇଁ ଏବେ ସୁଦ୍ଧା ୮ହଜାର କୋଟି ଟଙ୍କା ମଞ୍ଜୁର ‌ହୋଇସାରିଛି। ଟିଏଫ୍‌ଏଲ୍‌କୁ ଏହାର ନିଜସ୍ବ କୋଇଲା ଖଣି ଆବଣ୍ଟିତ କରାଯାଇଛି। ଓପିଟିସିଏଲ୍ କାରଖାନାକୁ ବିଦ୍ୟୁତ୍ ଯୋଗାଇବ। କାରଖାନାକୁ ପରିବେଶ ମଞ୍ଜୁରି ମିଳିଥିବା ବେଳେ ଆବଶ୍ୟକ ୩୦ କ୍ୟୁସେକ୍ ପାଣି ବ୍ରାହ୍ମଣୀ ନଦୀରୁ ନେବା ପାଇଁ ଯୋଜନା ହୋଇଛି। ଏଥିପାଇଁ ଜଳସଂପଦ ବିଭାଗକୁ ଆବେଦନ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର ଏହାର ମଞ୍ଜୁରି ମିଳିବ ବୋଲି ଆଶା ରହିଛି। ତେବେ ମୁଖ୍ୟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଜିଓ ଟେକ୍‌ନୋଲୋଜି ସର୍ବେକ୍ଷଣ କରାଯିବ। ସ୍ଥାନୀୟ ମୃତ୍ତିକାକୁ ଜାଣିବା ଲାଗି ସେଠାରେ ୧୪୩ଟି ବୋରୱେଲ ଖୋଳାଯିବ। ଏହାକୁ ନେଇ ପ୍ଲାଣ୍ଟ୍ ସ୍ଥାପନ କରାଯିବ। କାରଖାନା ଭିତରେ ରାସ୍ତା, ‌‌ଡ୍ରେନ୍, ପୋଲ ଓ କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ବୋଲି ଶ୍ରୀ ରାଉଳ କହିଥିଲେ।

 

ରାଜ୍ୟରେ ୟୁରିଆର ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଉଛି। ୨୦୧୬/୧୭ରେ ରାଜ୍ୟରେ ହେକ୍ଟର ପିଛା ୫୮କେଜି ଖର୍ଚ ହେଉଥିବା ବେଳେ ୨୦୧୭/୧୮ରେ ୬୮କେଜି ଓ ୨୦୧୮/୧୯ରେ ୭୨.୯କେଜି ୟୁରିଆ ଖର୍ଚ ହେଉଥିବା ସୂଚନା ମିଳିଛି। ଏହି ସାମ୍ବାଦିକ ସମ୍ମିଳନୀରେ ସିଓଓ(ମାଇନିଂ) ଏସ୍‌.ଏନ୍ ମିଶ୍ର, ସିଓଓ(ଡାଉନଷ୍ଟ୍ରିମ୍‌) ଟିଏଫ୍‌ଏଲ ଏସ୍‌ଭି ଗୱାଡେ, ସିଇଓ-ଟିଏଫ୍‌ଏଲ ପାର୍ଥ ଜାନା, ସିଓଓ(ଗ୍ୟାସିଫିକେସନ୍)ଟିଏଫ୍‌ଏଲ ସଂଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।



from Kanak News https://ift.tt/2GbxMhs https://ift.tt/2sK4Rhl
୨୦୨୩ ସୁଦ୍ଧା ତାଳଚେର ସାର କାରଖାନା : ଉତ୍ପାଦିତ ହେବ ଦୈନିକ ୨୨ଶହ ଟନର ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍‌ ୟୁରିଆ Kanak News ୨୦୨୩ ସୁଦ୍ଧା ତାଳଚେର ସାର କାରଖାନା : ଉତ୍ପାଦିତ ହେବ ଦୈନିକ ୨୨ଶହ ଟନର ଆମୋନିଆ ଓ ୩୮୫୦ ମେଟ୍ରିକ୍ ଟନ୍‌ ୟୁରିଆ Kanak News Reviewed by SUBHENDU BARAL on January 20, 2020 Rating: 5

No comments:

Powered by Blogger.