ନବରଙ୍ଗପୁର ଦୁଷ୍କର୍ମ ଓ ହତ୍ୟା ମାମଲା : ଏନଏଚଆରସିରେ ମାମଲା ଦାଖଲ, ଫେବୃଆରୀ ୨୧ ସୁଦ୍ଧା ଜବାବ ଦାଖଲ ଲାଗି ନିର୍ଦ୍ଦେଶ Kanak News

କନକ ବ୍ୟୁରୋ : ରାଜ୍ୟରେ ନିର୍ଭୟା ନିୟମାବଳୀ ପାଳନ ହେଉନି। ପ୍ରଶାସନ ଏବଂ ପୁଲିସର ବିଫଳତା ଯୋଗୁଁ ଦୁଷ୍କର୍ମ ଏବଂ ହତ୍ୟା ଭଳି ସଂଗିନ ଘଟଣା ଘଟୁଛି। ତେଣୁ ପୁଲିସ ମହାନିର୍ଦ୍ଦେଶକଙ୍କ ସ୍ତରରେ ମାମଲାର ତଦନ୍ତ କରାଯାଉ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏମିତି ଦାବି କରି ଜାତୀୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ ହୋଇଛି। ଯାହାକୁ କମିସନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଫେବ୍ରୁଆରି ୨୧ତାରିଖ ଦିନ ଜବାବ ଦାଖଲ କରିବାକୁ ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିସନ।

ଅନ୍ୟପଟେ ଏହି ମାମଲାରେ ମାନବାଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ କରି ବାଲେଶ୍ବର ଜିଲ୍ଲାର ଆଇନବୀଜୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରାର୍ଥନା କରିବାରୁ ଗତ ଡିସେମ୍ବର ମାସ ୨୦ତାରିଖ ଦିନ ୪୨୩୧/୧୮/୧୦/୨୦୧୯ ରେ ମାମଲା ରୁଜୁ ହୋଇଛି। କମିସନ ମାମଲାର ଶୁଣାଣି ପାଇଁ ଗ୍ରହଣ କରି ଆସନ୍ତା ଫେବ୍ରୁଆରି ୨୧ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାନବାଧିକାର କର୍ମୀ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ନିର୍ଭୟା ନିୟମାବଳୀ ପାଳନ ହେଉନାହିଁ। ଏହି ମାମଲାରୁ ସ୍ପଷ୍ଟ ହେଉଛି, ରାଜ୍ୟ ପୁଲିସ ଓ ପ୍ରଶାସନର ବିଫଳତା ଯୋଗୁଁ ଏମିତି ଘଟଣା ଘଟୁଛି। ସେହିପରି ସାମାଜିକ ମଙ୍ଗଳ ଯୋଜନାରେ ରାଜ୍ୟର ସମସ୍ତ ଘରେ ପାଇଖାନା ନିର୍ମାଣ ହୋଇ ପାରିନାହିଁ। ଏହାଦ୍ବାରା ଲୋକଙ୍କ ମାନବାଧିକାର କ୍ଷୁର୍ଣ୍ଣ ହେଉଛି। ତେଣୁ ମାମଲାର ତଦନ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ସ୍ତରରେ କରିବାକୁ ସେ କମିସନଙ୍କ ନିକଟରେ ନିବେଦନ କରିଛନ୍ତି। ଏହା ବ୍ୟତୀତ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ କମିସନଙ୍କୁ ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଛନ୍ତି।
from Kanak News https://ift.tt/2RlS8uv https://ift.tt/37xVwsd
No comments: