
କନକ ବ୍ୟୁରୋ: ପାରିବାରିକ ପରିସ୍ଥିତିରେ ଛନ୍ଦି ହୋଇପଡ଼ିଥିଲେ ଜଣେ ମହିଳା। ଯେଉଁଥିପାଇଁ ସେ ଗର୍ଭସ୍ଥ ସନ୍ତାନକୁ ଜନ୍ମଦେବାକୁ ଚାହୁଁ ନଥିଲେ। ହେଲେ ନିୟତିର ନିର୍ଦ୍ଦେଶ ଥିଲା କିନ୍ତୁ ଅଲଗା । ପିଲାଟି ମାଆ ପେଟରୁ ଜନ୍ମନେଲା ସତ ହେଲେ, ମାଆ ତାର ସଦ୍ୟ ଜନ୍ମିତ କନ୍ୟା ସନ୍ତାନକୁ ପାଉଁଶଗଦାରେ ଶୁଆଇଦେଇ ଆସିଲା। ପୂର୍ବରୁ ଥିବା ପିଲାମାନଙ୍କ ବୋଝ ସାଙ୍ଗକୁ ପୁଣି କନ୍ୟାସନ୍ତାନ ଜନ୍ମହେବାର ଚିନ୍ତା ମାତୃତ୍ବକୁ ମାରିଦେଲା। ଦୁଇଦିନ ପରେ ସାରା ଦେଶ କନ୍ୟା ସନ୍ତାନ ଦିବସ ପାଳିବା ପାଇଁ ପ୍ରସ୍ତୁତିରେ ଲାଗିଥିବା ବେଳେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।
ଚାନ୍ଦିପୁର ଥାନା ଅଞ୍ଚଳର ଜଣେ ଅନ୍ତଃସତ୍ତ୍ବା ମହିଳା ଗତକାଲି ଭୋର୍ ସମୟରେ ଶୌଚ ହେବା ପାଇଁ ଯାଇଥିଲେ। ଏହି ସମୟରେ ଘର ପାଖ ପଡ଼ିଆରେ ତାଙ୍କର ପ୍ରସବ ହୋଇଥିଲା। ସେ କନ୍ୟା ସନ୍ତାନ ଜନ୍ମ ହୋଇଥିବା ଦେଖି ତାକୁ ନିକଟସ୍ଥ ପାଉଁଶଗଦାରେ ଛାଡ଼ି ଘରକୁ ପଳାଇ ଆସିଥିଲେ। ପରେ ଶିଶୁକନ୍ୟାଟିର କାନ୍ଦ ଶୁଭିଥିଲା। ଘରଲୋକ ଘଟଣା ବାବଦରେ ଜାଣିପାରି ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଆଶାକର୍ମୀଙ୍କୁ ଖବର ଦେବା ସହ ଆମ୍ବୁଲାନ୍ସ ଡକାଇ ତୁରନ୍ତ ମା’ ଓ ଛୁଆକୁ ବାଲେଶ୍ବର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ଦୁହିଁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ମା’କୁ ଏମସିଏଚ୍ ବିଭାଗ ଓ ଶିଶୁକନ୍ୟାକୁ ଆଇସିୟୁରେ ଭର୍ତି କରାଯାଇଛି।
ଉଲ୍ଲେଖଥାଉ କି, ସମ୍ପୃକ୍ତ ମହିଳାଙ୍କର ଦୁଇପୁଅ ଓ ଦୁଇଝିଅ ଅଛନ୍ତି। ଏପରି ସମୟରେ ସେ ପୁଣିଥରେ ଅନ୍ତଃସ୍ବତ୍ତ୍ବା ହୋଇଥିଲେ। ହେଲେ ୪ଟି ସନ୍ତାନ ଥିବା ବେଳେ ପାରିବାରିକ ସମସ୍ୟା ପାଇଁ ସେ ଗର୍ଭସ୍ଥ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁନଥିଲେ। ସନ୍ତାନ ଜନ୍ମ ହେବା ଏବଂ ସେ ଝିଅ ବୋଲି ଜାଣିବା ପରେ ମହିଳା ଜଣକ ମାନସିକ ଭାରସାମ୍ୟ ହରାଇବସିଥିଲେ।
from Kanak News https://ift.tt/2ujSwRi https://ift.tt/2TL5P88
No comments: