ଭୁବନେଶ୍ବର ୨୫।୧: ଭୁବନେଶ୍ବର ବିମାନବନ୍ଦରରେ ବଡ଼ ଅଘଟଣ ଘଟିଛି । ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଓଡ୍ରାଫ୍ ଓ ଏନଡିଆରଏଫର ଟିମ୍ ଅଢ଼େଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ସାରିଥିଲେ ।
ଭୁଶୁଡ଼ିଲା ଛାତ । ନିମିଷକେ ମଧ୍ୟରେ ମାଟିରେ ମିଶିଲା ପାଖାପାଖି ୧୦ ହଜାର ସ୍କୋୟାର ଫୁଟର ଛାତ । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି ଏଭଳି ଅଘଟଣ । ବିମାନବନ୍ଦରରେ ଟର୍ମିନାଲ ୧ ଓ ୨କୁ ସଂଯୋଗ କରୁଥିବା ବିଲଡିଂର ଛାତ ତିଆରି କାମ ଚାଲୁଥିବା ବେଳେ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଫଳରେ ଜଣେ ଶ୍ରମିକଙ୍କର ଚାପି ହୋଇ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଉଛନ୍ତି ଅନ୍ତର୍ଯ୍ୟାମୀ ଗୁରୁ ଓ ତାଙ୍କ ଘର ବଡ଼ମ୍ବା ନରସିଂହପୁର ଅଞ୍ଚଳର । ସେହିପରି ଆହତ ଶ୍ରମିକ ନବ କିଶୋର ସ୍ବାଇଁଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ ମଧ୍ୟରେ ଏଭଳି ଘଟଣା ଘଟିଛି । ଡେଡ୍ଲାଇନ ପୂରି ଆସୁଥିବାରୁ ଶୀଘ୍ର କାମ ସାରିବାକୁ ଉଦ୍ୟମ କରୁଥିଲା ଟେଣ୍ଡର ନେଇଥିବା ଦିଲୀପ କନଷ୍ଟ୍ରକସନ । ତେବେ ନିର୍ମାଣ ସମୟରେ ତ୍ରୁଟି ବିଚ୍ୟୁତି ଘଟିଥିବା ସ୍ବୀକାର କରିଛନ୍ତି କାମ କରୁଥିବା ଦିଲୀପ କନଷ୍ଟ୍ରକସନ୍ର ଏମ୍ଡି ଦିଲ୍ଲୀପ ଖଟେଇ ।
ତେବେ କାହିଁକି ଘଟିଲା ଏଭଳି ଘଟଣା ? ନିର୍ମାଣ ସମୟରେ ସବୁ ସେଫ୍ଟି ମେଜର ନିଆଯାଇଥିଲା ତ ? ଡେଡ୍ଲାଇନ ଡରରେ କାମରେ ଏପଟ ସେପଟ ହେଉନଥିଲା । ତେବେ ଘଟଣାର ତଦନ୍ତ ପରେ ହିଁ ସଠିକ୍ ରିପୋର୍ଟ ସାମ୍ନାକୁ ଆସିବ ।
କିଛି ଏଭଳି ଢ଼ଙ୍ଗରେ ହିଁ ବମିଖାଲରେ ଭୁଶୁଡ଼ି ଥିଲା ଓଭରବ୍ରିଜ । ଭୁବନେଶ୍ବର ବିମାନବନ୍ଦରକୁ ବିଶ୍ବସ୍ତରୀୟ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଏଭଳି ଅଘଟଣ ସେଥିରେ ବାଧାସୃଷ୍ଟି କରିବନି ତ ?
from Prameya News7 https://ift.tt/2NUS8Qk
No comments: