ଯାଜପୁର: ସପ୍ତାହ ତଳେ ବାହା ହୋଇଥିଲେ। ଆଉ ଖୁସିରେ ବାପ ଘରକୁ ଆସିଥିଲେ ବୁଲିବାକୁ। ହେଲେ ସେ ଜାଣି ନ ଥିଲେ ନୂଆ କରି ଘର ସଂସାର ଆରମ୍ଭ କରିବା ପୂର୍ବରୁ ତାଙ୍କ ସହ ଏମିତି କିଛି ଘଟିବ। ଆଉ ଏସବୁ ପଛରେ କାରଣ କ’ଣ ଜାଣନ୍ତି ? ସେଲ୍ଫି ନିଶା। ଆଜିକାଲି ଯୁବପିଢ଼ିଙ୍କ ମନରୁ ସେଲ୍ଫି ଉଠାଇବା ନିଶା ଆଦୌ ଯାଉନାହିଁ। ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନିଶା ପ୍ରାୟ ସମସ୍ତଙ୍କର ରହିଛି। ହେଲେ ସେଲ୍ଫି ନେବା ନିଶାରେ ବେଳେବେଳେ ଆମେ ଏମିତି ଭୁଲ୍ କରିଥାଉ, ଯାହା ଆମ ପାଇଁ ବିପଦ ହୋଇଥାଏ। ଏଭଳି ଏକ ଅଘଟଣ ଘଟିଛି ଯାଜପୁର ଜିଲ୍ଲାରେ।
ନଦୀକୁ ଗାଧୋଇବାକୁ ଯାଇ ସେଲ୍ଫି ନେବାବେଳେ ଦୁଇ ଭଉଣୀ ନଦୀରେ ବୁଡ଼ି ଯାଇଛନ୍ତି। ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ଉଦ୍ଧାର ଯୁବତୀଙ୍କ ନାଁ ନାଜରିନ୍ ବେଗମ। ନିଖୋଜ ଯୁବତୀ ହେଲେ ସାଇସ୍ତା ବେଗମ। ସେମାନଙ୍କ ଘର ଏରବା ଗାଁରେ।
ସୂଚନା ଅନୁସାରେ, ନାଜରିନ୍ ସପ୍ତାହ ତଳେ ବିବାହ କରିଥିଲେ। ସେ ବାପ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ଅପରାହ୍ଣରେ ସେ ତାଙ୍କ ସମ୍ପର୍କୀୟ ଭଉଣୀ ସାଇସ୍ତାଙ୍କ ସହ ଯାଜପୁର ଜିଲ୍ଲା ସଦରଥାନା ଖରସ୍ରୋତା ନଦୀର ତନ୍ତିଘାଇ ନିକଟକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ସେଲ୍ଫି ଉଠାଉଥିବା ବେଳେ ଉଭୟ ନଦୀ ଭିତରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ନାଜରିନ୍ଙ୍କୁ ଉଦ୍ଧାର କରିଥିବା ବେଳେ ସାଇସ୍ତା ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲା। ତେବେ ରାତି ହେବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବାରୁ ଆଜି ପୁଣି ଥରେ ସାଇସ୍ତାଙ୍କୁ ଖୋଜାଖୋଜି କରିବେ ଅଗ୍ନିଶମ କର୍ମଚାରୀ।
ସୂଚନାଥାଉ କି, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ଜଣେ ଯୁବକ ରାମଦୋଳିରେ ବସି ସେଲ୍ଫି ନେବା ବେଳେ ଦୋଳିରୁ ଖସି ଜଣେ ତାଙ୍କର ମୃତ୍ୟୁ ଘଟିଥିଲା।
from OTV Khabar. https://ift.tt/2rFUVFa
No comments: