
କନକ ବ୍ୟୁରୋ : ମାତ୍ର ଦୁଇ ଦିନର ଆଶ୍ବସ୍ତି ପରେ ପୁଣି ପିଆଜ ଦର ଉପରମୁହାଁ ହୋଇଛି। ଦୁଇ ଦିନ ପୂର୍ବେ ୮୫ ଟଙ୍କାକୁ ଖସି ଆସିଥିବା ପିଆଜ ଏବେ ପୁଣି ପୁରୁଣା ଭାଉ ୧୩୦ରେ ପହଞ୍ଚି ଯାଇଛି । ଆନ୍ଧ୍ରପ୍ରଦେଶରେ ଅମଳ ହ୍ରାସ ପାଇ ଆସୁଥିବା କାରଣରୁ ପିଆଜ ଦର ପୁଣି ବୃଦ୍ଧି ପାଇଥିବା କୁହାଯାଉଛି । ଆନ୍ଧ୍ରପ୍ରଦେଶର ଅମଳ ହ୍ରାସର ପରିମାଣକୁ ଇଜିପ୍ଟରୁ ଆମଦାନି ହୋଇଥିବା ପିଆଜ ଭରଣା କରିବାରେ ସମର୍ଥ ହେଉନଥିବାରୁ ପୁଣି ପିଆଜ ଦର ବଢ଼ିବାରେ ଲାଗିଛି ବୋଲି ବ୍ୟବସାୟୀ ମହଲରୁ ଜଣାପଡ଼ିଛି । ଏଣୁ ଏବେ ଆନ୍ଧ୍ରପ୍ରଦେଶର ପିଆଜ ଅମଳ ସ୍ଥିତି ଭାରତ ବଜାରରେ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିବ, ତାହା ସ୍ବତଃ ଆହୁରି ଦର ବୃଦ୍ଧିକୁ ବାଟ କଢ଼ାଇବ ବୋଲି ଆଶଙ୍କା କରାଯାଉଛି ।
ଆଜି ରାଜଧାନୀର କୁବେରପୁରୀରେ ଛୋଟ ଓ ବଡ଼ ଆକାରକୁ ନେଇ ପିଆଜର ପାଇକାରୀ ଦର ଯଥାକ୍ରମେ ୯୦ ଟଙ୍କାରୁ ୧୧୦ ଟଙ୍କା ହୋଇଥିଲା । ତେଣୁ ସ୍ବାଭାବିକଭାବେ ହାଟମାନଙ୍କରେ ଖୁଚୁରା ହିସାବରେ ପିଆଜ କିଲୋ ୧୧୦ ଟଙ୍କାରୁ ୧୩୦ ଟଙ୍କା ଦରରେ ବିକ୍ରି ହୋଇଛି। ଗତ ୧୨ ଓ ୧୩ ତାରିଖରେ ପିଆଜ ଦର ବେଶ୍ ହ୍ରାସ ପାଇଥିଲା । କିଲୋ ପିଛା ପ୍ରାୟ ୫୦ ଟଙ୍କା ଖସିଥିଲା । ପାଇକାରୀ ଦର ୬୫/୭୦ ଟଙ୍କାକୁ ଖସି ଯାଇଥିବାବେଳେ ଖୁଚୁରା ବଜାରରେ କିଲୋକୁ ୮୦/୮୫ ଟଙ୍କା ପଡ଼ୁଥିଲା ।
ମାତ୍ର ନାସିକ୍ର ବଡ଼ ଆକାର ପିଆଜ ୧୦୦ ଟଙ୍କା ତଳକୁ ଖସିନଥିଲା। ତେବେ ୮୦/୮୫ ଟଙ୍କା ଦର ପାଇଁ ଖାଉଟିଙ୍କ ମନରେ ବେଶ୍ ଆଶ୍ବସ୍ତି ଆସିଥିଲା । ଏଣିକି ପିଆଜ ଦର କମିବା ଆରମ୍ଭ ହେଲା ବୋଲି ଲୋକେ ଭାବି ନେଇଥିଲେ। ଇଜିପ୍ଟ ପିଆଜର ବଜାର ପ୍ରବେଶ ଉକ୍ତ ଦର ହ୍ରାସର କାରଣ ବୋଲି ଚର୍ଚ୍ଚା ହୋଇଥିଲା। ଏମିତିକି ବ୍ୟବସାୟୀମାନେ ମଧ୍ୟ ଏଭଳି ସୂଚନା ଦେଇଥିଲେ । ମାତ୍ର ଗତକାଲିଠାରୁ ପୁଣି ବଜାର ଚିତ୍ର ବଦଳି ଯାଇଛି। ପୁରୁଣା ବର୍ଧିତ ଦର ସ୍ଥିତିକୁ ଫେରି ଆସିଲା ପିଆଜ ଦର ।
ତେଣେ ଆନ୍ଧ୍ରପ୍ରଦେଶରେ ଅମଳ ହ୍ରାସ ପାଉଥିବା ଜଣାପଡ଼ିବା ପରେ ପୁଣି ଦର ଆକାଶଛୁଆଁ ହୋଇଛି। ଦର ବୃଦ୍ଧି ପାଇଁ ବହୁ ଚାଷୀ ଅମଳର ଉପଯୁକ୍ତ ସମୟ ପୂର୍ବରୁ ପିଆଜ ଖୋଳି ପକାଇଥିଲେ ଓ ସେସବୁକୁ ସେମାନେ ବିକି ସାରିଛନ୍ତି। ଏବେ ଅନ୍ୟ ଚାଷୀମାନେ ଅମଳ କରୁଥିଲେ ବି ତାହାକୁ ସାଇତିବାକୁ ପସନ୍ଦ କରୁଛନ୍ତି। ଉପଯୁକ୍ତ ସମୟର ଅମଳ ପିଆଜ ଶୁଖିଲା ଥିବାରୁ ତାହା ଅଧିକ ଦିନ ରହିପାରିବ ଓ ପରେ ବିକିଲେ ଅଧିକ ଫାଇଦା ହେବା ଲକ୍ଷ୍ୟରେ ଚାଷୀମାନେ ଏବେ ବଜାରକୁ ନ ଛାଡ଼ି ସାଇତିବାରେ ଲାଗିଥିବା ଜଣାପଡ଼ିଛି। ତେଣୁ ଗତକାଲିଠାରୁ କର୍ଣ୍ଣୁଲ୍ ଓ ଗୁଡ଼ୁମ୍ ଭଳି ସରକାରୀ ମଣ୍ଡିରେ ପିଆଜ ମହଜୁଦ୍ ହେବା କମିଛି ।
ଫଳରେ ସେଠାରେ ମଧ୍ୟ ପାଇକାରୀ ଦର ୮୦ ଟଙ୍କା ଡେଇଁଥିବା ଜଣାପଡ଼ିଛି। ତେଣୁ ଏବେ ଓଡ଼ିଶାକୁ ମହାରାଷ୍ଟ୍ର ନାସିକ୍ ଭରସା । ଏବେ ମହାରାଷ୍ଟ୍ର ନାସିକ୍ରୁ ଯେତିକି ପିଆଜ ଆସୁଛି, ତାହାକୁ ନେଇ ଓଡ଼ିଶା ବଜାର ତିଷ୍ଠିବ। ଆଜି କୁବେରପୁରୀକୁ କେବଳ ମହାରାଷ୍ଟ୍ର ନାସିକ୍ ପିଆଜ ହିଁ ଆମଦାନି ହୋଇଛି । ଆନ୍ଧ୍ରପ୍ରଦେଶରୁ ପିଆଜ ଗାଡ଼ି ଆସିନାହିଁ । ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୨୫୦ ଟନ୍ ପିଆଜ ଆସିଛି । ବଡ଼ କଥା ହେଉଛି ପିଆଜ ଦର ପୁଣି ବଢ଼ିବା କାରଣରୁ ବ୍ୟବସାୟୀମାନେ ଆମଦାନି କରିବାକୁ ଡରୁଛନ୍ତି ।
ତେଣୁ ଆସନ୍ତାକାଲିକୁ କି ପରିସ୍ଥିତି ଉପୁଜିବ କହିବା ମୁସ୍କିଲ୍ ବୋଲି ସେମାନେ କହିଛନ୍ତି। ନୂଆବର୍ଷ ପର୍ଯ୍ୟନ୍ତ ଏମିତି କମ୍ବେଶୀ ହୋଇ ଚାଲିବ ଓ ଜାନୁଆରି ଦ୍ବିତୀୟ ସପ୍ତାହ ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇପାରେ ବୋଲି ଆଶା କରାଯାଉଛି। ତେବେ ସେତେବେଳକୁ କିଲୋ ୪୦ ଟଙ୍କା ତଳକୁ ଖସିବା ଆଶା କରିବା ବୃଥା ବୋଲି ବହୁ ବ୍ୟବସାୟୀ କହିଛନ୍ତି।
from Kanak News https://ift.tt/38OLgNg https://ift.tt/34QSdL1
No comments: