ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳା : ଦେଶବ୍ୟାପୀ ଅସନ୍ତୋଷ, ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ Kanak News

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ବିକ୍ଷୋଭ କରିଥିବା ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିୟା ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗତକାଲି ରାତିରେ ପୁଲିସ ଏହି ବିଶ୍ବବିଦ୍ୟାଳୟ କ୍ୟାମ୍ପସେର ପଶି ଛାତ୍ରଛାତ୍ରୀଙ୍କୁ ଲାଠିମାଡ଼ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏପରିକି ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିବାର ମଧ୍ୟ ଅଭିଯୋଗ ହୋଇଛି। ପୁଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଦେଶବ୍ୟାପୀ ଛାତ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜାମିଆ ଛାତ୍ରଛାତ୍ରୀଙ୍କ ପ୍ରତି ସମର୍ଥନ ଜଣାଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟ, ବନାରସ ବିଶ୍ବବିଦ୍ୟାଳୟ, ଜେଏନ୍ୟୁ, କଲିକତାର ଯାଦବ ବିଶ୍ବିବିଦ୍ୟାଳୟ, ମୁମ୍ବାଇ, କାନପୁର ଓ ମାଡ୍ରାସ ଆଇଆଇଟି ଏବଂ ହାଇଦ୍ରାବାଦ ସମେତ ଅନେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଶ୍ରେଶୀ ବର୍ଜନ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ପୁଲିସ ଜାମିଆ ହିଂସାକାଣ୍ଡର ତଦନ୍ତ ଆରମ୍ଭ କରିଥିବା ବେଳେ ଶାନ୍ତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଜଣାଇଛନ୍ତି। ଆମ ଭିତରେ ବିଭାଜନ ପାଇଁ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀର ଉଦ୍ୟମକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତା ସଂଶୋଧନ ଆଇନ ଏବଂ ଏନ୍ଆର୍ସିକୁ ବିରୋଧ କରି ଆଜି ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାର କରିଥିଲେ। ସେ କହିଥିଲେ ଯେ ତାଙ୍କ ରାଜ୍ୟରେ ଏହି ଦୁଇଟି ଆଇନକୁ ଲାଗୁ ହେବାକୁ ଦେବେନାହିଁ। ଏହି ଆଇନ ବିରୋଧରେ ତାଙ୍କ ପାର୍ଟି ପ୍ରତିବାଦ ଜାରି ରଖିବ। ତାଙ୍କ ସରକାରକୁ ବରଖାସ୍ତ କରିବା ପାଇଁ କେନ୍ଦ୍ରକୁ ଚାଲେଞ୍ଜ କରି ସେ କହିଛନ୍ତି ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଇଦେବେ ନାହିଁ। ଅନ୍ୟପକ୍ଷରେ ପଶ୍ଚିମବଂଗରେ ମୁଖ୍ୟମନ୍ତ୍ରୀ ନିଜେ ବିରୋଧର ନେତୃତ୍ବ ନେବାରୁ ରାଜ୍ୟପାଳ ଜଗ୍ଦୀପ ଧନଖଡ଼ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିଂସା ସୃଷ୍ଟିକାରୀଙ୍କୁ କଦାପି ପ୍ରୋତ୍ସାହନ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଜାମିଆ ମିଲିଆ ଇସ୍ଲାମିୟା କୁଳପତି ନଜମା ଅଖ୍ତାର କହିଛନ୍ତି ଯେ ରବିବାର ରାତିରେ ପୁଲିସ କ୍ୟାମ୍ପସରରେ ପଶି ଯେଭଳି କାର୍ଯ୍ୟାନୁଷ୍ଠାନ କଲା ତାହା କଦପି ଗ୍ରହଣୀୟ ନୁହେଁ। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଛି। ଉତ୍ତର ପ୍ରଦେଶର ମଉରେ ଆଜି ସିଏଏକୁ ବିରୋଧ କରି ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଥିଲା। ବ୍ୟାପକ ପୋଡ଼ାଜଳା ଏବଂ ପୁଲିସ ଉପରେ ଆକ୍ରମଣ ଯୋଗୁଁ ସେଠାରେ କର୍ଫ୍ୟୁ ଲାଗୁ ହୋଇଛି। ଆନ୍ଦୋଳନକାରୀମାନେ ଥାନାରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପାଟନା ଏବଂ ଲକ୍ଷ୍ନୌରେ ମଧ୍ୟ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ପଶ୍ଚିମବଂଗର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ଜାରି ରହିଛି। ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ଜାମିଆ ଏବଂ ଆଲିଗଡ଼ରେ ହୋଇଥିବା ପୁଲିସ-ଛାତ୍ର ସଂଘର୍ଷରେ ୧୦୦ରୁ ଅଧିକ ଛାତ୍ର ଓ ପୁଲିସ ଆହତ ହୋଇଛନ୍ତି। ଆସନ୍ତାକାଲି ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଣି କରିବେ।
from Kanak News https://ift.tt/36FUd9v https://ift.tt/2M1nIuq
No comments: