କନକ ବ୍ୟୁରୋ : ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଏସଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାର ୩୫ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ଆରମ୍ଭ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ କେନ୍ଦ୍ର ସରକାର ଏହି ରାଶି ପ୍ରଦାନ କରିଥିବା କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଶି ରିଲିଜ୍ କରାଯାଇଥିବା ସମ୍ପର୍କରେ କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ପକ୍ଷରୁ ଟ୍ବିଟ୍ କରାଯାଇଛି। କେନ୍ଦ୍ର ସରକାର ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ଜିଏସଟି କ୍ଷତିପୂରଣ ବାବଦ ଅର୍ଥ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ପ୍ରଦାନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ ନିକଟ ଅତୀତରେ କେତେକ ରାଜ୍ୟ ଆଣିଥିଲେ।
ଏଥିଯୋଗୁ ରାଜ୍ୟ ଗୁଡ଼ିକର ବିକାଶମୂଳକ କାର୍ଯ୍ୟ ମଧ୍ୟ ବ୍ୟାହତ ହେଉଛି ବୋଲି ଅଭିଯୋଗ କରାଯାଇଥିଲା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ କେତେକ ରାଜ୍ୟର ଅର୍ଥମନ୍ତ୍ରୀ ଏବଂ ଅଧିକାରୀମାନେ ଭେଟି ଜିଏସଟି କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଥିଲେ। ସିବିଆଇସି ପକ୍ଷରୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଜିଏସଟି କ୍ଷତିପୂରଣ ପ୍ରଦାନ କରିବା ସଂକ୍ରାନ୍ତ ଟ୍ବିଟ୍ କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ସରକାର ରାଜ୍ୟଗୁଡ଼ିକୁ କ୍ଷତିପୂରଣ ପାଇଁ ଦେଇଥିବା ପ୍ରତିଶ୍ରୁତିରୁ ଓହରିଯିବେ ନାହିଁ। ତେବେ ଜିଏସଟି ଆଦାୟ ମନ୍ଥର ଥିବା ଯୋଗୁ କ୍ଷତିପୂରଣ ପ୍ରଦାନ ବିଳମ୍ବ ହୋଇଛି। ରାଜ୍ୟଗୁଡ଼ିକ ଏ ନେଇ ଚିନ୍ତିତ ହେବା ଉଚିତ ନୁହେଁ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ମଧ୍ୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ପାଇଁ ୧୧୯୪ କୋଟି ଟଙ୍କାର ଜିଏସଟି କ୍ଷତିପୂରଣ ରାଶି ପାଇ ନଥିଲା। ବାରମ୍ବାର କେନ୍ଦ୍ରକୁ ଏ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିଲା। କିନ୍ତୁ ତାହା ପ୍ରଦାନ କରାଯାଇଥିଲା। ଏହାକୁ ନେଇ ସରକାର ଚିନ୍ତାରେ ଥିଲେ। ଉଲ୍ଲେଖଯୋଗ୍ୟ, ଜିଏସଟି କ୍ଷତିପୂରଣ ଆଇନ ୨୦୧୭ର ବ୍ୟବସ୍ଥା ଅନୁଯାୟୀ, ରାଜ୍ୟଗୁଡ଼ିକର ଜିଏସଟି ଆଦାୟ ଅଭିବୃଦ୍ଧି ୧୪ ପ୍ରତିଶତରୁ କମ୍ ରହିଲେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ୫ ବର୍ଷ ପାଇଁ କ୍ଷତିପୂରଣ ପ୍ରଦାନ କରିବେ। ତେଣୁ ୨୦୨୨ ମସିହା ପର୍ଯ୍ୟନ୍ତ ରାଜ୍ୟ ଗୁଡ଼ିକ ଏହି କ୍ଷତିପୂରଣ କେନ୍ଦ୍ରଠାରୁ ପାଇବେ।
କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପ୍ରତି ୨ ମାସରେ ଥରେ ଏହି କ୍ଷତିପୂରଣ ରାଜ୍ୟଗୁଡ଼ିକୁ ପ୍ରଦାନ କରିବା ବ୍ୟବସ୍ଥା ରହିଛି। ଜିଏସଟି ପରିଷଦର ବୈଠକ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ପ୍ରଥମ ଦିନ ଅଧିକାରୀସ୍ତରୀୟ ବୈଠକ ଥିବାବେଳେ ବୁଧବାର ଜିଏସଟି ପରିଷଦର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ଜିଏସଟି କ୍ଷତିପୂରଣ ରାଶି ଏ ପର୍ଯ୍ୟନ୍ତ ମିଳି ନଥିବାରୁ ବୈଠକରେ ରାଜ୍ୟଗୁଡ଼ିକ ପାଟିତୁଣ୍ଡ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି କ୍ଷତିପୂରଣ ରାଶି ପ୍ରଦାନ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଏତଦବ୍ୟତୀତ ଜିଏସଟି ହାରକୁ ବଢ଼ାଇବା ସମ୍ପର୍କରେ ମଧ୍ୟ ପରିଷଦରେ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଜିଏସଟି ଠକେଇକୁ କିଭଳି ରୋକାଯାଇ ଅଧିକ ରାଜସ୍ବ ଆଦାୟ ହେବ ତାହା ଉପରେ ମଧ୍ୟ ପରିଷଦ କିଛି ଠୋସ୍ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ୫ ପ୍ରତିଶତ ସ୍ଲାବକୁ ୮ ପ୍ରତିଶତ କରିବା ପାଇଁ ସରକାର ଯୋଜନା ରଖିଥିବା ଚର୍ଚ୍ଚା ହେଉଛି। ଏହା ହେଲେ ଦେଶରେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଯିବା ଆଶଙ୍କା ରହିଛି।
from Kanak News https://ift.tt/2PRCPrD https://ift.tt/2PRfXbF
No comments: