କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ହୃଦ୍ରୋଗ ଚିକିତ୍ସା କେନ୍ଦ୍ର : ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର Kanak News

କନକ ବ୍ୟୁରୋ : ହୃଦ୍ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ବତନ୍ତ୍ର ହୃଦ୍ରୋଗ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟରେ କ୍ରମାଗତ ଭାବେ ହୃଦ୍ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅଧିକାଂଶ ରୋଗୀଙ୍କୁ ରାଜ୍ୟ ବାହାର ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ତେବେ ଏହି ରୋଗୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ, କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କୁ ଏହି ଚିକିତ୍ସା ସୁବିଧା ମିଳିବ। ଏହି ହୃଦ୍ରୋଗ କେନ୍ଦ୍ରର ନିର୍ଦେଶକଭାବେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡା.ପି.କେ ଦାସ କାର୍ଯ୍ୟରେ ଯୋଗ ଦେଇଛନ୍ତି । ପ୍ରଥମଥର ଲାଗି ଶିଶୁମାନଙ୍କର ହୃଦ୍ ଅସ୍ତ୍ରୋପଚାରର ସୁବିଧା ମିଳିପାରିବ।
କ୍ୟାପିଟାଲ ହସ୍ପିଟାଲରେ ଏବେ ହୃଦ୍ରୋଗ ବିଭାଗ କାର୍ଯ୍ୟ କରୁଛି। ଏଠାରେ ମାସକୁ ପ୍ରାୟ ୭ଟି ଆଞ୍ଜିଓପ୍ଲାଷ୍ଟି ଓ ଷ୍ଟେଟିଂ ହୋଇପାରୁଛି। ତେବେ ଏହି ସ୍ବତନ୍ତ୍ର କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ହସ୍ପିଟାଲରେ ଦିନକୁ ୧୫/୨୦ଜଣ ରୋଗୀଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇପାରିବ। ଏହାସହ ହୃଦ୍ରୋଗୀଙ୍କ ଅନ୍ୟାନ୍ୟ ଜଟିଳି ସମସ୍ୟାର ସହଜ ଓ ଗୁଣାତ୍ମକ ଚିକିତ୍ସା ହୋଇପାରିବ। ଡା.ଦାସଙ୍କ ତତ୍ତ୍ବାବଧାନରେ ସମସ୍ତ ହୃଦ୍ରୋଗୀଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇ ଦିଆଯିବ। ହୃଦ୍ରୋଗୀଙ୍କ ସମସ୍ତ ଚିକିତ୍ସା ରାଜ୍ୟ ସରକାର ବହନ କରିବେ। ଏଥିପାଇଁ ସ୍ବତନ୍ତ୍ର ଭିତ୍ତିଭୂମି କାମ ଖୁବଶୀଘ୍ର ଆରମ୍ଭ ହେବ। ଉତ୍ତରାଞ୍ଚଳ, ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ହୃଦ୍ରୋଗୀଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଲେ, କ୍ୟାପିଟାଲ ହସ୍ପିଟାଲର ହୃଦ୍ ବିଭାଗକୁ ଖୁବଶୀଘ୍ର ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ଏହାସହ ରାଜ୍ୟ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ହୃଦ୍ରୋଗ ଚିକିତ୍ସା ଉପଲବ୍ଧ ହେବ। ଏଥିପାଇଁ ସରକାର ଉଦ୍ୟମ ଆରମ୍ଭ କରିଥିବା ଶ୍ରୀ ଦାସ କହିଥିଲେ।
from Kanak News https://ift.tt/2EnPs8r https://ift.tt/2Pr2hFw
No comments: